Parliament Budget Discussion: ଆଜିଠାରୁ ସଂସଦର ନିମ୍ନ ସଦନ ଲୋକସଭାରେ ବଜେଟ୍ ଆଲୋଚନା ଆରମ୍ଭ ହେବ। ସେହିପରି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିବ। ଆଜି ଲୋକସଭାର ପୁନଃନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପ୍ରଶ୍ନୋତ୍ତର କାଳ ପରେ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଉପସ୍ଥାପନ କରିବେ। ଏହାପରେ ଧାରା ୩୭୭ ଅନୁସାରେ ସଦସ୍ୟମାନେ ଶୂନ୍ୟ କାଳରେ ନିଜ ନିଜ ବକ୍ତବ୍ୟ ରଖିବେ।
ଜାନୁୟାରୀ ୩୧ ତାରିଖରେ ରାଷ୍ଟ୍ରପତି ଅଧିବେଶନର ପ୍ରଥମ ଦିନରେ ଦୁଇ ଗୃହକୁ ମିଳିତ ଭାବେ ସମ୍ବୋଧନ କରିଥିଲେ। ଏହାପରେ ବଜେଟ୍ ଉପସ୍ଥାପନ ହୋଇଥିଲା। ବଜେଟ୍କୁ ନେଇ ଆଲୋଚନା ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଦୁଇ ଦିନ ନିରନ୍ତର ଆଲୋଚନା ଚାଲିଥିଲା। ପ୍ରଥମ ଦିନରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ରାଷ୍ଟ୍ରପତିଙ୍କ ଅଭିଭାଷକୁ ସମାଲୋଚନା କରିଥିଲେ। ଏହା ପରଦିନ ଗୃହରେ ନିଜର ମତ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମର ଦର୍ପଣ ବୋଲି ବର୍ଣ୍ଣନା କରିଥିଲେ। ଏହି କ୍ରମରେ ବିଭିନ୍ନ ଜନମଙ୍ଗଳକାରୀ କାର୍ଯ୍ୟକ୍ରମକୁ ଉପସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ। ଫେବୃୟାରୀ ୫ ତାରିଖ ଦିନ ଦିଲ୍ଲୀ ନିର୍ବାଚନକୁ ଦୃଷ୍ଟିରେ ରଖି ଗୃହ କାର୍ଯ୍ୟକୁ ମୁଲତବୀ କରାଯାଇଥିଲା।