Trending Photos
Budget Session 2025: ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱାରା ଯେଉଁଭଳି ଭାବେ ଭାରତୀୟଙ୍କୁ ପ୍ରତ୍ୟାର୍ପଣ କରାଯାଉଛି ତାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ। ଲୋକସଭାର ପ୍ରଶ୍ନୋତ୍ତର କାଳରେ ଏହାକୁ ନେଇ ସେମାନେ ଗୃହର ଧ୍ୟାନ ଆକର୍ଷଣ କରିଛନ୍ତି। ପ୍ରଶ୍ନୋତ୍ତର କାଳ ବନ୍ଦକରି ଏ ପ୍ରସଙ୍ଗରେ ଆଲୋଚନ କରିବାକୁ ବିରୋଧୀଙ୍କ ଦାବିକୁ କିନ୍ତୁ ବାଚସ୍ପତି ସ୍ୱୀକାର ନ କରିବାରୁ ଆଜି ହଟ୍ଟଗୋଳ ଦେଖିବାକୁ ମିଳିଛି। ଏହାଦ୍ୱାରା ଗୃହକାର୍ଯ୍ୟ ବାତିଲ ହେବାରୁ ବାଚସ୍ପତି ଗୋଟିଏ ପ୍ରଶ୍ନ ପରେ ଗୃହକୁ ମୁଲତବୀ କରିଛନ୍ତି।
ଆଜି ସକାଳ ଗୃହକାର୍ଯ୍ୟ ଆରମ୍ଭ ହେବାକ୍ଷଣି ବିରୋଧୀ କଂଗ୍ରେସ ଦଳର ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସିଥିଲେ। ନାରାବାଜି ସହ ସେମାନେ ଏନେଇ ସରକାରଙ୍କ ସ୍ପଷ୍ଟୀକରଣ ଚାହିଁଥିଲେ। ବାଚସ୍ପତି ଏ ବିଷୟରେ ଶୁନ୍ୟକାଳର ଆଲୋଚନ ଲାଗି ଅନୁରୋଧ କରିଥିଲେ। ପୁଣି ଏହା ବୈଦେଶିକ ମାମଲା ହୋଇଥିବାରୁ ଏ ବିଷୟରେ ସରକାର ଉଚିତ ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ। ହେଲେ ବିରୋଧୀ ସାଂସଦ ମାନେ ଏହା ଶୁଣି ନ ଥିଲେ। ଫଳରେ ଗୃହର ପ୍ରଶ୍ନ କଲା ବାଧାପ୍ରାପ୍ତ ହୋଇଥିଲା।
ଗତକାଲି ରାତିରେ ଆମେରିକା ଏକ ସେନା ବାହିନୀ ବିମାନରେ ୧୦୪ ଜଣ ଭାରତୀୟଙ୍କୁ ଅମୃତସର ବିମାନବନ୍ଦରରେ ପହଞ୍ଚିଥିଲା। ଏହାକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର ସେନା ବିମାନ କାହିଁକି ବୋଲି ପ୍ରଶ୍ନ ପଚାରିଥିଲେ। ଏମାନେ ସମସ୍ତେ ବେଆଇନ ଭାବେ ଆମେରିକା ଭୂଇଁରେ ବାସ କରୁଥିଲେ ବୋଲି ଆମେରିକା ଅଭିଯୋଗ କରିଛି। ଏଣୁ ଆମେରିକାର ନୂଆ ରାଷ୍ଟ୍ରପତିଙ୍କ ଆଦେଶ ଅନୁସାରେ ସେନା ତାଙ୍କୁ ଭାରତକୁ ପ୍ରତ୍ୟାର୍ପିତ କରିଛି।
ଅମୃତସର ବିମାନବନ୍ଦରରେ ଏକ ଆମେରିକୀୟ ସେନା ବିମାନରେ ଏହି ୧୦୪ ଜଣ ଭାରତୀୟ ଭାରତ ପହଞ୍ଚିବା ପରେ ତାଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି। କିନ୍ତୁ ସାରା ଯାତ୍ରାରେ ତାଙ୍କ ହାତ ଓ ଗୋଡ଼କୁ ବନ୍ଧା ଯାଇଥିଲା ବୋଲି କହିଛନ୍ତି ଭାରତ ଫେରିଥିବା ଏହି ବେଆଇନ ପ୍ରବେଶକାରୀ। ଅମୃତସରରେ ଓହ୍ଲାଇଥିବା ଏହି ୧୦୪ ଜଣଙ୍କ ଭିତରୁ ୩୩ ଜଣ ହରିୟାଣା, ୩୩ଜଣ ଗୁଜରାଟ, ୩୦ ଜଣ ପଞ୍ଜାବ, ଏବଂ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରୁ ୩ଜଣ ଲେଖାଏଁ ଥିବା ବେଳେ ଦୁଇଜଣ ଚଣ୍ଡିଗଡ଼ରୁ ରହିଛନ୍ତି। ଏଥିରେ ୧୯ ଜଣ ମହିଳା, ୧୩ଶିଶୁ ରହିଛନ୍ତି। ପ୍ରତ୍ୟାର୍ପିତ ସମସ୍ତ ନାଗରିକଙ୍କୁ ସେମାନଙ୍କ ନିଜ ଥାନାକୁ ପଞ୍ଜାବ ପୁଲିସ ପଠାଇଛି।
କଂଗ୍ରେସ ସାଂସଦ ତଥା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସ୍ଥାୟୀ କମିଟି ଅଧ୍ୟକ୍ଷ ଶଶି ଥରୁର ଭଏହି ବେଆଇନ ଅନୁପ୍ରବେଶକାରୀଙ୍କୁ ସେନା ବିମାନରେ ଅଣାଯିବା ନେଇ ଆପତ୍ତି ଉଠାଇଛନ୍ତି। ‘ଇଣ୍ଡିଆନ୍ ଏକ୍ସପ୍ରେସ’ରେ ପ୍ରକାଶିତ ଏକ ଖବରରେ ସେ, ପ୍ରତ୍ୟାର୍ପଣକୁ ଯଥାର୍ଥ ବୋଲି କହିବା ସହ ଭାରତ ସେମାନଙ୍କୁ ଗ୍ରହଣ କରିବାକୁ ମଧ୍ୟ ଉଚିତ ବୋଲି କହିଛନ୍ତି। କିନ୍ତୁ ସେମାନଙ୍କୁ ସାଧାରଣ ବାଣିଜ୍ୟିକ ବିମାନ କିମ୍ବା ସ୍ୱତନ୍ତ୍ର ବେସାମରିକ ଚାର୍ଟରରେ ପଠାଯାଇ ପାରିଥାଆନ୍ତା ବୋଲି କହି କହିଛନ୍ତି।
କର୍ମ ନିଯୁକ୍ତି ଲାଗି ଆମେରିକାକୁ ଅନେକ ସଂଖ୍ୟାରେ ଯୁବକ ଉତ୍ତର ଭାରତରୁ ବେଆଇନ ଭାବେ ଯାତ୍ରା କରିଥାଆନ୍ତି। ଏଥିଲାଗି ସେମାନଙ୍କୁ ଦଲାଲ୍ ମାଧ୍ୟମରେ ଯିବାକୁ ପଡ଼ିଥାଏ। ଏଥିଲାଗି ୪୦-୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାଆନ୍ତି ବୋଲି ଫେରିଥିବା କିଛି ଲୋକ କହିଛନ୍ତି।
‘ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ରିପୋର୍ଟରେ ଜଣେ ପ୍ରତ୍ୟାର୍ପିତ କହିଛନ୍ତି ଯେ ସେମାନେ ଆମେରିକାକୁ ଯିବା ପୂର୍ବରୁ ପ୍ରଥମେ ଇଟାଲୀ ଯାଇଥିଲେ। ସେଠାରେ କିଛିଦିନ ରହିବା ପରେ ତାଙ୍କୁ ଲାଟିନ୍ ଆମେରିକା ପଠାଯାଇଥିଲା। ସେଠାରୁ ୧୫ ଘଣ୍ଟାର ନୌକା ଯାତ୍ରା ଓ ପରେ ୪୦-୪୫ କିଲୋମିଟର ପାଦଚଲା ରାସ୍ତାରେ ଯାଇ ସେମାନେ ଆମେରିକା ପହଞ୍ଚିଥିବା କହିଛନ୍ତି। ଏହି ଯାତ୍ରା ସମୟରେ ସେମାନଙ୍କୁ ୧୭-୧୮ ପାହାଡ଼ ଚଢ଼ିବାକୁ ପଡ଼ିଥିଲା। ଏହି ପାହାଡ଼ସବୁ ତୀଖ ଥିବାରୁ ଏଥିରୁ ଖସିଲେ ବଞ୍ଚିବାର ସମ୍ଭାବନା ନଥିଲା। ଏମିତି କି ସେମାନେ କିଛି ମୃତ ଶରୀର ସେଠାରେ ପଡ଼ିଥିବା ମଧ୍ୟ ଦେଖିଥିବା କହିଛନ୍ତି।