Paradip Puja Preparation: ଦେବ ଶିଳ୍ପୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ବନ୍ଦର ନଗରୀ, ଜୋରସୋରରେ ଚାଲିଛି ପ୍ରସ୍ତୁତି
Advertisement
Article Detail0/zeeodisha/odisha1870347

Paradip Puja Preparation: ଦେବ ଶିଳ୍ପୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ବନ୍ଦର ନଗରୀ, ଜୋରସୋରରେ ଚାଲିଛି ପ୍ରସ୍ତୁତି

Puja Preparation Paradip: ଲଘୁଚାପ ଜନିତ ବର୍ଷା କାରଣକୁ ନେଇ ତୋରଣ କାର୍ଯ୍ୟ ବିଳମ୍ବରେ ହୋଇଥିଲେ ମଧ୍ୟ ଆୟୋଜକ ଠାରୁ ଆରମ୍ଭ କରି କାରିଗର ସେମାନଙ୍କ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଦିନରାତି ଏକ କରି ଦେଇଛନ୍ତି।

 

Paradip Puja Preparation: ଦେବ ଶିଳ୍ପୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ବନ୍ଦର ନଗରୀ, ଜୋରସୋରରେ ଚାଲିଛି ପ୍ରସ୍ତୁତି

Port City Paradip: ଏବେ ଚଳଚଞ୍ଚଳ ହୋଇଉଠିଛି ବନ୍ଦର ନଗରୀ ପାରାଦ୍ୱୀପ। ଏନେଇ ଜୋରଦାର ଚାଲିଛି ପ୍ରସ୍ତୁତି। ରାଜ୍ୟ ତଥା ରାଜ୍ୟ ବାହାରୁ ନିଖୁଣ କାରିଗର ଦ୍ୱାରା ନିର୍ମାଣ ହେଉଛି ଉଚ୍ଚ ଉଚ୍ଚ ତୋରଣ ସହ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ମୂର୍ତ୍ତୀ। ଆଉ କିଛି ଦିନ ପରେ ଆଲୋକ ମାଳରେ ସଜେଇ ହେବ ବନ୍ଦର ନଗରୀ ପାରାଦ୍ୱୀପ। କାରଣ ଆଉ ଅଳ୍ପଦିନ ପରେ ଆସୁଛି ବିଶ୍ୱକର୍ମା ପୂଜା। ପ୍ରାୟ ୭ ଦିନ ଧରି ବନ୍ଦର ନଗରୀରେ ଚାଲୁଥିବା ବିଶ୍ୱକର୍ମା ପୂଜା ପାଇଁ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା।

ଆସନ୍ତା ୧୭ ତାରିଖରେ ପାଳିତ ହେବ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା। ସେଥିପାଇଁ ଏବେ ଠାରୁ ଚଳଚଞ୍ଚଳ ହୋଇଉଠିଛି ବନ୍ଦର ନଗରୀ ପାରାଦ୍ୱୀପ। ପ୍ରତି ବର୍ଷ ପରି ପୂଜା ପ୍ରତିଯୋଗିତାକୁ ଲକ୍ଷ କରି ସମସ୍ତେ ଲାଗି ପଡିଛନ୍ତି ନିଜ ନିଜ ପୂଜା ମଣ୍ଡପ ସଜାଇବାରେ ଲାଗି ପଡ଼ିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ନିଖୁଣ କାରିଗରଙ୍କୁ ଆଣି ବିଭିନ୍ନ ପ୍ରକାର ବଡ଼ ବଡ଼ ତୋରଣ ନିର୍ମାଣ କରାଯାଉଛି। ଆୟୋଜକଙ୍କ ଠାରୁ ଆରମ୍ଭ କରି କାରିଗରଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ପୂଜା ମଣ୍ଡପ ସଜାଇବାରେ ଲାଗି ପଡିଛନ୍ତି। ଚଳିତ ବର୍ଷ ପୂଜାରେ ପ୍ରଥମ ସ୍ଥାନ ଗ୍ରହଣ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଜାରି ରହିଛି ପ୍ରୟାସ।  

ଲଘୁଚାପ ଜନିତ ବର୍ଷା ଯଦିଓ ବିଶ୍ୱକର୍ମା ପୂଜା ଆୟୋଜନ କାର୍ଯ୍ୟରେ ବାଧା ସୃଷ୍ଟି କରିଛି। ହେଲେ କାରିଗର ଦିନରାତି ଏକ କରି ସେମାନଙ୍କର କାର୍ଯ୍ୟରେ ଲାଗି ପଡିଛନ୍ତି। ସମସ୍ତଙ୍କର ଗୋଟଏ ଲକ୍ଷ କିଭଳି ପୂଜା ପୁର୍ବରୁ ପ୍ରସ୍ତୁତି ସମ୍ପୂର୍ଣ୍ଣ ହେବ। କାରିଗର ମୂର୍ତ୍ତି ଗଢିବା ପାଇଁ କୋଲକତା ଅଞ୍ଚଳର ଗଙ୍ଗା ମାଟି ବ୍ୟବହାର କରୁଥିବା ବେଳେ,ଏବେ ଗଢା ହୋଇଥିବା ମୂର୍ତ୍ତିକୁ ରଙ୍ଗ କରିବା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ଶଙ୍ଖ, ସାମୁକା, ତୁଳା, ସ୍ପଞ୍ଜ, ପ୍ଲାଇ, ପ୍ଲାଷ୍ଟର ଅଫ୍ ପ୍ୟାରିସ ସହାୟତାରେ ନିର୍ମିତ ତୋରଣ ସହିତ ବିଭିନ୍ନ ପ୍ରକାରର ବୈଦ୍ୟୁତିକ ଆଲୋକରେ ବିଶ୍ୱ କର୍ମା ପୂଜାକୁ ବେଶ ଆକର୍ଷଣୀୟ କରିବ ବୋଲି କାରିଗର କହିଛନ୍ତି।

କୋରୋନା ମହାମାରୀ ପାଇଁ ବିଗତ ୩ ବର୍ଷ ଧରି ବନ୍ଦର ନଗରୀ ପାରାଦ୍ୱୀପରେ ବିଶ୍ବକର୍ମା ପୂଜା ବନ୍ଦ ରହିଥିଲା। ହେଲେ ଚଳିତ ବର୍ଷ ପୂଜାକୁ ସରସ ସୁନ୍ଦର କରିବା ପାଇଁ ପ୍ରତ୍ୟେକ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି। କିଛି ଅନୁଷ୍ଠାନ ବିଶ୍ବକର୍ମା ପୂଜାକୁ ନିଜ କାର୍ଯ୍ୟାଳୟରେ କରୁଥିବାରୁ ସମସ୍ତ ପୂଜା କମିଟି ଅନୁଷ୍ଠାନକୁ ବିଶ୍ୱକର୍ମା ପୂଜାରେ ସାମିଲ ହେବା ପାଇଁ ଅନୁରୋଧ କରାଯାଇଛି। ଏବେ ଠାରୁ ବଡ଼ ବଡ଼ ପୂଜା ମଣ୍ଡପ ଏଥର ଜୋରସୋରରେ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଛୋଟ ଛୋଟ ପୂଜା ମଣ୍ଡପ ପଛରେ ପଡ଼ିନାହାଁନ୍ତି। ଆଉ କିଛି ଦିନର ଅପେକ୍ଷା ପରେ ରଙ୍ଗ ବେରଙ୍ଗର ଆଲୋକ ମାଳାରେ  ସଜେଇ ହେବ ବନ୍ଦର ନଗରୀ ପାରାଦ୍ୱୀପ। 

ପ୍ରତିବର୍ଷ ପରି ବିଭିନ୍ନ ଶ୍ରମିକ ସଂଘ ସମେତ ଟ୍ରଲର ମାଲିକ ସଂଘ, ପାରାଦ୍ୱୀପ ବନ୍ଦରର ବିଭିନ୍ନ ବିଭାଗ ପକ୍ଷରୁ ବିଶ୍ୱକର୍ମା ପୂଜାକୁ ବଡ ଆଡମ୍ବର ସହ ପାଳନ କରାଯାଉଥିବା ବେଳେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ନାମୀଦାମୀ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ବିଶ୍ୱକର୍ମା ପୂଜାକୁ ଶାନ୍ତି ଶୃଙ୍ଖଳା ସହ ଆୟୋଜନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ମଣ୍ଡପରେ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବସ୍ଥା, ପଲିଥିନ୍ ପ୍ଲାଷ୍ଟିକ ବର୍ଜନ, ଅଶ୍ଲୀଳ ନୃତ୍ୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିବା ବେଳେ ଯାତ୍ରା ପଡିଆରେ ଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତବର୍ଷ ପାରାଦୀପରେ ବିଶ୍ବ ବିନ୍ଧାଣୀ ଦେବଶିଳ୍ପୀ ବିଶ୍ବକର୍ମା ପୂଜାରେ ବହୁ ଜନ ସମାଗମ ହେବ ବୋଲି ଆକଳନ କରାଯାଇଛି।