khordha news: ଖୋର୍ଦ୍ଧା ଏମ୍ପ୍ଲେୟମେଣ୍ଟ ଏକ୍ସଚେଞ୍ଜ କାର୍ଯ୍ୟାଳୟରେ ସଙ୍ଗୀନ ସ୍ଥିତି; ୧୦ ବର୍ଷରେ ମିଳିଛି ମାତ୍ର ୩୧ ନିଯୁକ୍ତି
Advertisement
Article Detail0/zeeodisha/odisha1678596

khordha news: ଖୋର୍ଦ୍ଧା ଏମ୍ପ୍ଲେୟମେଣ୍ଟ ଏକ୍ସଚେଞ୍ଜ କାର୍ଯ୍ୟାଳୟରେ ସଙ୍ଗୀନ ସ୍ଥିତି; ୧୦ ବର୍ଷରେ ମିଳିଛି ମାତ୍ର ୩୧ ନିଯୁକ୍ତି

khordha news: ଉଚ୍ଚ ଶିକ୍ଷାର ହବ ଭାବେ ଖୋର୍ଦ୍ଧା ଜିଲ୍ଲାକୁ ଗଣାଯାଇଥାଏ । ବଡ ବଡ଼ ଶିକ୍ଷାନୁଷ୍ଠାନରେ ପାଠ ପଢି ଡ଼ିଗ୍ରୀ ପାଇବା ପରେ ହଜାର ହଜାର ଉଚ୍ଚ ଶିକ୍ଷିତ ଯୁବକ ଓ ଯୁବତୀ ଚାକିରୀ ଅନ୍ୱେଷଣ ସହ ନିଯୁକ୍ତି ସହାୟତା ପାଇଁ ଏମ୍ପେ୍ଲାମେଂଟ୍ ଏକ୍ସଚେଂଚରେ ନାମ ପଞ୍ଜିକରଣ କରୁଛନ୍ତି । ମାତ୍ର ସେମାନଙ୍କୁ ନିଯୁକ୍ତି ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ।

ସୌ(ସୋସିଆଲ ମିଡିଆ)

khordha news: ଉଚ୍ଚ ଶିକ୍ଷାର ହବ ଭାବେ ଖୋର୍ଦ୍ଧା ଜିଲ୍ଲାକୁ ଗଣାଯାଇଥାଏ । ନାଇଜର, ଆଇଆଇଟି ଓ ଏମସ୍ ଭଳି ବହୁ ବିଶ୍ୱ ସ୍ତରୀୟ ଶିକ୍ଷାନୁଷ୍ଠାନରେ ପାଠ ପଢିବା ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ଏମିତିକି ବିଦେଶରୁ ଅନେକ ଛାତ୍ରଛାତ୍ରୀ ଏଠାକୁ ଆସିଥାଆନ୍ତି । କିନ୍ତୁ ବହୁ ବିଶ୍ୱ ସ୍ତରୀୟ ଶିକ୍ଷାନୁଷ୍ଠାନ ସହ ଅନେକ ପ୍ରତିଷ୍ଠାନ ରହିଥିବା ବେଳେ ବେରୋଜଗାରୀ ଏଠିକାର ମୁଖ୍ୟ ପ୍ରସଙ୍ଗ ପାଲଟିଛି । ବଡ ବଡ଼ ଶିକ୍ଷାନୁଷ୍ଠାନରେ ପାଠ ପଢି ଡ଼ିଗ୍ରୀ ପାଇବା ପରେ ହଜାର ହଜାର ଉଚ୍ଚ ଶିକ୍ଷିତ ଯୁବକ ଓ ଯୁବତୀ ଚାକିରୀ ଅନ୍ୱେଷଣ ସହ ନିଯୁକ୍ତି ସହାୟତା ପାଇଁ ଏମ୍ପ୍ଲେୟମେଣ୍ଟ ଏକ୍ସଚେଞ୍ଜରେ ନାମ ପଞ୍ଜିକରଣ କରୁଛନ୍ତି । ମାତ୍ର ସେମାନଙ୍କୁ ନିଯୁକ୍ତି ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ।

ଅନେକ ଯୁବକ ପରିସ୍ଥିତିରେ ପଡ଼ି ଅପରାଧ ଦୁନିଆରେ ପାଦ ଥାପୁଛନ୍ତି, ତ ପୁଣି କିଏ କାମ ଲାଗି ବାହାର ରାଜ୍ୟକୁ ଚାଲିଯାଉଛନ୍ତି । ଯେଉଁ କିଛିଟା ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁଛି, ତାହା ସମୁଦ୍ରକୁ ଶଂଖେ ଭଳି । ବହୁ ମେଧାବୀ ଛାତ୍ରଛାତ୍ରୀ ଗ୍ରୁପ (ଡ଼ି) ରେ ଚାକିରୀ କରିବାକୁ ପଛାଉନାହାନ୍ତି । ଏପରିକି ଅନେକ ଛାତ୍ରଛାତ୍ରୀ ଚୁକ୍ତିଭିତ୍ତିକ ଭାବେ ଡ଼ାଟା ଏଣ୍ଟ୍ରି ଅପରେଟର ଭାବେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ଯାହା ଫଳରେ ହୁ ହୁ ହୋଇ ବେକାରୀ ସମସ୍ୟା ମାଡ଼ି ଚାଲିଛି । ସେପଟେ ସରକାରୀ ସଂସ୍ଥାରେ ଅର୍ଦ୍ଧାଧିକ ପଦବୀ ଖାଲି ପଡ଼ିଛି । ହେଲେ ଏହି ପଦବୀ ପୂରଣ ନ ଯୋଗୁଁ କାମରେ ବାଧା ଉପୁଜୁଛି ।  କିନ୍ତୁ ଆନ୍ତରିକତା ଅଭାବ ଯୋଗୁଁ ନିଯୁକ୍ତି ଦିଆଯାଇପାରୁନାହିଁ । ସେହିପରି ଖୋର୍ଦ୍ଧା ଓ ସାରୁଅ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଶିକ୍ଷିତ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେବା ବଦଳରେ ବାହାର ରାଜ୍ୟର ପିଲାଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ନଜରକୁ ଆସୁଛି । ବିଗତ ୧୦ ବର୍ଷରେ ଖୋର୍ଦ୍ଧା ଏମ୍ପ୍ଲେୟମେଣ୍ଟ ଏକ୍ସଚେଞ୍ଜ ଅଧିନରେ ନାମ ପଞ୍ଜିକରଣ କରିଥିବା ପିଲାଙ୍କ ମଧ୍ୟରୁ ମାତ୍ର ୯ ଜଣଙ୍କୁ ନିଯୁ୍‌କ୍ତି ଦିଆଯାଇଛି । ସେହିପରି ଗତ ୭ ବର୍ଷ ମଧ୍ୟରେ ଜଣଙ୍କୁ ବି ନିଯୁକ୍ତି ଦିଆଯାଇନଥିବା ତଥ୍ୟରୁ ଜଣାପଡ଼ିଛି । ଛାତ୍ର କଂଗ୍ରେସର ଜଣେ ଯୁବ ନେତା ଆରଟିଆଇ ତଥ୍ୟ ମାଗିବା ପରେ ଏହା ଆସିଛି ।

ତେବେ ଚଳିତ ମାର୍ଚ୍ଚ ମାସରେ ଏମ୍ପ୍ଲେୟମେଣ୍ଟ ଏକ୍ସଚେଞ୍ଜ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟରୁ ରାଜ୍ୟ ସରକାର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଥିବା ସ୍ପଷ୍ଟ ହୋଇଛି । ତଥ୍ୟ ଅନୁଯାୟୀ, ୨୦୧୩ ମସିହାରୁ ୨୦୨୨ ମସିହା ମଧ୍ୟରେ ଜିଲ୍ଲାରେ ସମୁଦାୟ ୧୬ ହଜାର ୩୨୫ ଜଣ ଯୁବକ ଯୁବତୀ ଚାକିରୀ କରିବାକୁ ଏମ୍ପ୍ଲେୟମେଣ୍ଟ ଏକ୍ସଚେଞ୍ଜ ବିଭାଗରେ ନାମ ପଞ୍ଜିକରଣ କରିଥିଲେ । ତନ୍ମଧ୍ୟରୁ ୧୧୦୪୪ ପୁରୁଷ ଓ ୫୨୮୧ଜଣ ମହିଳା ଥିଲେ ବୋଲି ଜଣାଯାଇଛି । ଏମାନଙ୍କ ମଧ୍ୟରୁ ମାତ୍ର ୩୧ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ସୂଚନା ଅଧିକାର ତଥ୍ୟରୁ ଜଣାଯାଇଛି । ସେହିପରି ବେସରକାରୀ ସଂସ୍ଥା କଥା ନ କହିବା ଭଲ । ସେପଟେ ବେକାରୀ ସମସ୍ୟା ସହ ଅପରାଧ ମଧ୍ୟ ବଢି ଚାଲିଛି । ତେଣୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଅତି କମରେ ନିଜ ଅଞ୍ଚଳରେ ଥିବା ଶିଳ୍ପାନୁଷ୍ଠାନ ଗୁଡ଼ିକରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନେଇ ଗୁରୁତ୍ବରୋପ କରିବା ଆବଶ୍ୟକ ।

ଏହା ବି ପଢନ୍ତୁ-Cyclone Odisha: ବଙ୍ଗୋପସାଗରେ ଦାନ ବାନ୍ଧୁଛି ଲଘୁଚାପ, ୬ରେ ଘୂର୍ଣ୍ଣବଳୟ ସମ୍ଭାବନା

ଏହା ବି ପଢନ୍ତୁ-President Droupadi Murmu: ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ଗାଁକୁ ଆସିବେ ମହାମହିମ, ସ୍ବାଗତ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି