ଭୁବନେଶ୍ୱର: ରାତି ପାହିଲେ ମୋହନ ମାଝିଙ୍କ ନେତୃତ୍ୱାଧୀନ ଓଡ଼ିଶା ସରକାରକୁ ୧୦୦ ଦିନ ପୂରିବ। ଶାସନ କ୍ଷେତ୍ରରେ ପରିବର୍ତ୍ତନ ଆଶା କରି ଏକ ଅପରିକଳ୍ପିତ ପରିବର୍ତ୍ତନ ରିଥିବା ଓଡ଼ିଶାବାସୀ ଏଥିରେ କେତେ ଉପକୃତ ହୋଇଛନ୍ତି। ଏହି ୧୦୦ ଦିନ ଭିତରେ ସେମାନେ ଏହି ପରିବର୍ତ୍ତନକୁ ଅନୁଭବ କରିଛନ୍ତି କି? ଯଦି ହଁ, ତେବେ କେଉଁସବୁ ନୂଆ କଥା ଲାଗୁ ହୋଇଛି ଏହି ସମୟରେ ଆଉ ଯଦି ନାଁ ତେବେ କ’ଣ ସବୁ ଅଭିଯୋଗ ଆସିଛି ? ତାହାକୁ କେମିତି ମୁକାବିଲା କରିଛନ୍ତି ସରକାର? କେତେ ପ୍ରତିଶୃତି ପୂରଣ ହୋଇଛି ଆଉ କେତେ ବାକି ଅଛି?
ଜୁନ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ସାରା ଦେଶକୁ ଚମକାଇ ଦେଇଥିଲା। ୨୪ ବର୍ଷର କ୍ଷମତାଧାରୀ ବିଜେଡିକୁ ଓଡ଼ିଶାର ଜନତା ଜିତପଟାଙ୍ଗ କରି ବିଜେପିକୁ କ୍ଷମତା ଦେଇଥିଲେ। ପୁଣି ଜୁନ୍ ୧୨ ତାରିଖରେ କେହି କେବେ ଭାବି ନଥିବା ବିଧାୟକ ମୋହନ ଚରଣ ମାଝିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କଲେ ରାଜ୍ୟବାସୀ। ଆଜି ଦିନ ଗଣିଲେ ସେପ୍ଟେମ୍ବର ୧୯କୁ ୧୦୦ ଦିନରେ ଏହି ସରକାର ପହଞ୍ଚିଛି। ଏ ଭିତରେ ଅନେକ କାହାଣୀ, ସାମାଜିକ ଗଣମାଧ୍ୟମରେ ଗଢ଼ାଯାଇଛି, ମୁଖ୍ୟସ୍ରୋତ ଗଣମାଧ୍ୟମରେ ତାହାର ଚର୍ଚ୍ଚା ବି ହୋଇଛି। ଅପରପକ୍ଷେ ଓଡ଼ିଆ ଅସ୍ମିତାକୁ କେନ୍ଦ୍ର କରି ସରକାର ଧିମା ଧିମା ପାଦରେ ଆଗକୁ ଚାଲିଥିବା ନଜରକୁ ଆସିଛି। ଆସନ୍ତୁ ନଜର ପକାଇବା କିଛି ପ୍ରମୁଖ ବିନ୍ଦୁ ଉପରେ।
1. ପ୍ରଥମେ ନିର୍ବାଚନ ପ୍ରତିଶୃତିକୁ ପୂରଣ କରିବାକୁ ଯାଇ ସରକାର ଶ୍ରୀ ଜଗନ୍ନାଥ ମନ୍ଦିରର ଚାରିଦ୍ୱାରକୁ ଭକ୍ତଙ୍କ ପାଇଁ ଖୋଲିଥିଲେ। ପୂର୍ବରୁ କେବଳ ଗୋଟିଏ ଦ୍ୱାର ଦେଇ ପ୍ରବେଶ ଓ ଅନ୍ୟ ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା ଥିଲା। ଏବେ ଯେ କୌଣସି ଦ୍ୱାର ଦେଇ ପ୍ରବେଶ ପ୍ରସ୍ଥାନ କରାଯାଇପାରୁଛି। ଏ ବିଷୟ ବିଶେଷ ଚର୍ଚ୍ଚାର ବିଷୟ ହୋଇଛି ସତ କିନ୍ତୁ ଲୋକେ ଶ୍ରୀମନ୍ଦିର ଭିତରେ ଯେଉଁ ଅସୁବିଧା ଭୋଗୁଥିଲେ ତାହା ଭୋଗୁଛନ୍ତି। ଏଣୁ ଏହା ଦୀର୍ଘସ୍ଥାୟୀ ମାଇଲେଜ ସରକାରଙ୍କୁ ନ ଦେଇପାରେ।
2. ଦ୍ୱିତୀୟରେ ରତ୍ନ ଭଣ୍ଡାର ଖୋଲିବା, ଗଣତି, ମଣତି ଓ ମରାମତି ପ୍ରସଙ୍ଗ। ଏକ ବିଶେଷ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଜାତୀୟ ଓ ରାଜ୍ୟସ୍ତରରେ ଏହା ଏକ ଚର୍ଚ୍ଚାର ବିଷୟ ହୋଇ ରହିଛି। ପୂର୍ବ କମିଟିକୁ ରାତିରାତି ଭାଙ୍ଗିବା, ନୂଆ କମିଟି ଗଠନ କରିବା ଏବଂ ବାରମ୍ବାର ତାରିଖ ବଦଳାଇ ପରେ ରତ୍ନ ଭଣ୍ଡାରକୁ ଖୋଲିବାରେ ସଫଳତା ପାଇବା ପ୍ରଭୃତି ବିଷୟ ଏଥିରେ ରହିଛି। ଯଦିଓ ଏବେ ରତ୍ନ ଏବଂ ଅଳଙ୍ଗକାର ସ୍ଥାନାନ୍ତରଣ ହୋଇଛି କିନ୍ତୁ ଏହାର ଗଣତି ବା ମଣତି ହୋଇପାରି ନାହିଁ। ଶ୍ରୀମନ୍ଦିରରେ ଏଏସ୍ଆଇ ଟିମ୍ ଯାଞ୍ଚ କରିଛନ୍ତି। ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଉ କିଛିଦିନ ପରେ ମରାମତି ଆରମ୍ଭ ହେବ। ଏବେ ମରାମତି ସମୟରେ ଭକ୍ତଙ୍କୁ କିପରି ନିୟନ୍ତ୍ରଣ କରାଯିବ, କିପରି ରୀତି ନୀତି ପାଳନ କରାଯିବ ତାହା ଏକ ପ୍ରମୁଖ ବିଷୟ ହେବ।
3. ତୃତୀୟ ସଫଳତା ଭିତରେ ରହିଛି କୃଷକଙ୍କୁ ଧାନ କିଣା ବାବଦରେ ୩୧୦୦ ଟଙ୍କାର ସର୍ବନିମ୍ନ ସହାୟତା ରାଶି ପ୍ରଦାନ। ଏହାକୁ ଘୋଷଣା କରାଯାଇଛି। ହେଲେ କିଭଳି କାର୍ଯ୍ୟକାରୀ ହେବ ତାହାକୁ ଅପେକ୍ଷା। କାରଣ ୩୧୦୦ ଟଙ୍କା ମିଳିବ ବୋଲି ଜାଣି ଅନେକ ପଡ଼ିଆ ପଡ଼ୁଥିବା ଜମିରେ ଚାଷ ହୋଇଛି। ଏଥର ବର୍ଷା ବି ଅନୁକୂଳ ରହିଛି। ଅର୍ଥାତ୍ ଅମଳ ଭଲ ହେବ। ଏଣୁ ଅମଳ ଧାନରୁ କେତେ ସରକାର କିଣିବେ ତାହାକୁ ଅପେକ୍ଷା। ଯଦି ପୂର୍ବ ସରକାରଙ୍କ ଭଳି ସ୍ୱଳ୍ପ ଧାନ କିଣାଯାଏ ତେବେ ଚାଷୀଙ୍କ ମନରେ ଅସନ୍ତୋଷ ହେବାର ଆଶଙ୍କା ଏଡ଼ାଯାଇ ନପାରେ। ପୁଣି ଯଦି ସବୁ ଧାନ କିଣାଯିବ ତେବେ ରଖାଯିବ କେଉଁଠି ତାହା ବି ଏକ ସମସ୍ୟା ହେବ।
4. ଚତୁର୍ଥ ସଫଳତା ହେଉଛି ଓଡ଼ିଆ ଭାଷାର ବ୍ୟବହାର। ସରକାରୀ କାଗଜପତ୍ରରେ ସରକାରୀ ଭାଷା ବ୍ୟବହାରକୁ ସରକାର ପ୍ରାଥମିକତା ଦେଇଛନ୍ତି। ଏହା ଓଡ଼ିଆ ଅସ୍ମିତାର ପ୍ରତୀକ ବୋଲି ଗ୍ରହଣ କରାଯାଇଛି। ପୂର୍ବରୁ ଅନେକ ସରକାର ଏଥିପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି। ବିଶେଷ କରି ଅଧିକାରୀମାନଙ୍କ ଭିତରେ ଅମନଯୋଗୀତା ଏହାର କାରଣ ହୋଇଛି। ନିକଟରେ ଶେଷ ହୋଇଥିବା ବିଧାନସଭା ଅଧିବେଶନରେ ଯେଉଁଭଳି ଭାବେ ମନ୍ତ୍ରୀଙ୍କ ଉତ୍ତରକୁ ଓଡ଼ିଆରେ ଉପସ୍ଥାପନ କରାଯାଇଛି ସେଥିରେ ଅନେକ ଅଶୁଦ୍ଧି ଓ ଭୁଲ ଶବ୍ଦ ପ୍ରୟୋଗ ନଜରକୁ ଆସିଛି। ଏପରିକି କିଛି ତଳସ୍ତରରର ଅଧିକାରୀ ଇଂରାଜୀ ଲିଖିତ ଉତ୍ତରକୁ ଏଆଇ ପ୍ରୟୋଗ କରି ଅନୁବାଦ କରିଥିବାରୁ ତାହାର ଶବ୍ଦ ଓ ଭାବ ଅସ୍ପଷ୍ଟ ରହିଛି।
5. ପଞ୍ଚମ ଏବଂ ସର୍ବ ବୃହତ ସଫଳତା ଭାବେ ସରକାର ଯାହା ଘୋଷଣା କରୁଛନ୍ତି ତାହା ହେଲା ‘ସୁଭଦ୍ରା’। ପୂର୍ବ ସରକାରର ମିଶନ ଶକ୍ତିକୁ ରାଜନୀତିକ ଭାବେ ଏହା ମାତ୍ ଦେବ ବୋଲି କିଛି ଆଶା କରୁଛନ୍ତି। କିନ୍ତୁ ଯେଉଁଭଳି ଭାବେ ଘୋଷଣା କରାଯାଇଥିଲା ସେହି ଅନୁସାରା ମହିଳାଙ୍କୁ ଅର୍ଥ ମିଳି ନାହିଁ। ପ୍ରତିଶୃତିରେ ବିଜେପି ନିର୍ବାଚନ ଇସ୍ତାହାରରେ ଦୁଇ ବରତ୍ଷକୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଥିଲା। ହେଲେ ଲାଗୁ କରିବା ବେଳକୁ ତାହା ୫ ବର୍ଷକୁ ଡେଇଁଛି। ଅର୍ଥାତ୍ ପ୍ରତିଶୃତି ପାଣିର ଗାର ହୋଇଛି। ପୁଣି ଅନେକ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ମିଳି ନାହିଁ। ଯଦିଓ ଏଯାଏ ଲୋକଙ୍କ ରୋଷ ପରିଚାଳନାରେ ସରକାର ସମର୍ଥ ରହିଛନ୍ତି କିନ୍ତୁ ଆଗକୁ କି ରୂପ ନେବ ତାହା ଆକଳନ କରାଯାଇ ନପାରେ।
ଏବେ ପ୍ରମୁଖ ୩ ନିଷ୍ପତ୍ତି ପ୍ରତ୍ୟାହାର କଥା:
ସରକାରକୁ ଆସିବା ପରେ ମୋହନ ମାଝିଙ୍କ ମନ୍ତ୍ରିମଣ୍ଡଳ ଅନେକ ବିଷୟରେ ପ୍ରଥମେ ନିଷ୍ପତ୍ତି ଗ୍ରହଣ କରି ତାହାକୁ ପ୍ରତ୍ୟାହାର କରିଛନ୍ତି। ଏହା ତାଙ୍କର ଦୁର୍ବଳତା ତଥା କର୍ତ୍ତୃତ୍ୱହୀନ ଆଚରଣକୁ ପ୍ରମାଣିତ କରିଛି। ତୋଗଲକଙ୍କ ଭଳି ପରିମାଣ ନଭାବି ସରକାର ନିଷ୍ପତ୍ତି ନେଇଛନ୍ତି ବା ଘୋଷଣା କରି ପୁଣିଥରେ ତାହାକୁ ପ୍ରତ୍ୟାହାର କରିଛନ୍ତି। ଏପରି ୩ ପ୍ରମୁଖ ପ୍ରସଙ୍ଗକୁ ଏଠାରେ ଉଲ୍ଲେଖ କରାଯାଇପାରେ।
1. ସରକାରକୁ ଆସିବାର ଅଳ୍ପ ଦିନ ଭିତରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇଁ ନାମ ଆହ୍ୱାନ କରାଗଲା। ହେଲେ ଏଥିରେ ଏମିତି କେଁ ରହିଲା ଯେ ସାରା ରାଜ୍ୟର ବୁଦ୍ଧିଜୀବୀ ସରକାରଙ୍କୁ ସମାଲୋଚନା କରିଲେ। ବିଜୁ ପଟ୍ଟନାୟକଙ୍କ ନାଁକୁ ଏଥିରୁ ବାଦ ଦେଇ ସରକାର ଭିତରେ ଯେ ସବୁକିଛି ଠିକ ଚାଲିନି ତାହା ସ୍ପଷ୍ଟ କରିଲେ। ଶେଷରେ ମୁଖ୍ୟମନ୍ତ୍ରୀ କହିଲେ ଏ ପରିବର୍ତ୍ତନ ବିଷୟରେ ସେ କିଛି ଜାଣି ନାହାନ୍ତି ଆଉ ନାଁ ପରିବର୍ତ୍ତନ ହେବ ନାହିଁ। ସରକାରରେ ମୁଖ୍ୟମନ୍ତ୍ରୀ ନଜାଣି ନିଷ୍ପତ୍ତି ନିଆଯିବା ନିହାତି ଭାବେ ତୃତୀୟ ପକ୍ଷରୁ ପ୍ରଭାବକୁ ସ୍ପଷ୍ଟ କରୁଛି। ହେଲେ ଏହାକୁ ଚିହ୍ନଟ କରି କିପରି ଦମନ କରାଯିବ ତାହା ମୁଖ୍ୟମନ୍ତ୍ରୀଙ୍କ ଆଗରେ ଏକ ଆହ୍ୱାନ।
2. ଦ୍ୱିତୀୟ ଛେପ ଢୋକା କାରବାର ଭାବେ ପରିଚିତ ହୋଇଛି ସରକାରଙ୍କ ‘ମଦ କୁଟୀର’ ଯୋଜନା। ନୂଆ ମଦ ନୀତି ଆଣି ସରକାର ମଦ ଦୋକାନ ଖୋଲା ଉପରେ କଟକଣା ଜାରି କରିଲେ। ଯଦିଓ ଘୋଷଣା ଅନୁସାରେ ମଦ ବନ୍ଦ କରି ନାହାନ୍ତି କିନ୍ତୁ ମଦ ବିକ୍ରୀକୁ ନିୟନ୍ତ୍ରଣରେ ଆଣିବା ଲାଗି ସରକାର ଆଉ ନୂଆ ଲାଇସେନ୍ସ ଦେବେ ନାହିଁ ବୋଲି କଟକଣା ଲଗାଇଛନ୍ତି। ଅପରପକ୍ଷେ ପର୍ଯ୍ୟଟନକୁ ବିକଶିତ କରିବା ଲାଗି ବେଳାଭୂମିରେ ମଦ କୁଟୀର ଖୋଲିବା ଲାଗି ସରକାର ପ୍ରୋତ୍ସାହନ ଦେବେ ବୋଲି ପ୍ରଥମେ ଘୋଷଣା କରିଥିଲେ। ହେଲେ ଏହାକୁ ନେଇ ସୃଷ୍ଟି ହୋଇଥିବା ଜନ ଅସନ୍ତୋଷକୁ ଆଖିରେ ରଖି ସରକାର ତାହାକୁ ପ୍ରତ୍ୟାହାର କରିଛନ୍ତି। ଏବେ ଧାର୍ମିକ ସ୍ଥାନର ୫ କିଲୋମିଟର ପରିଧିରେ କୌଣସି ମଦ ଦୋକାନ ଖୋଲାଯିବ ନାହିଁ ବୋଲି ସରକାର କହିଛନ୍ତି।
3. ତୃତୀୟ ପ୍ରମୁଖ ବିଷୟ ଯାହାକୁ ଖୋଦ ମୁଖ୍ୟମନ୍ତ୍ରୀ ତାଳି ପକାଇବାକୁ ବାଧ୍ୟ ହେଲେ ତାହା ହେଲା ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ। ସରକାରଙ୍କ ପକ୍ଷରୁ ବିଧାନସଭାରେ ଏକ ଲିଖିତ ଉତ୍ତରରେ ପ୍ରଥମେ ହାଇକୋର୍ଟ ବେଞ୍ଚ ସ୍ଥାପନକୁ ରୋକ ଠୋକ ମନା କରାଯାଇଥିଲା। ଏହା ପଶ୍ଚିମାଞ୍ଚଳର ଜନସାଧାରଣଙ୍କୁ ବେଶ୍ ବ୍ୟଥିତ କରିଥିଲା। ଏଣୁ ସରକାର ଏହି ମନ୍ତବ୍ୟକୁ ପ୍ରତ୍ୟାହାର କରିବାକୁ ଯାଇ ପୁଣିଥରେ ବିଧାନସଭାରେ ମତ ରଖିଲେ ଯେ, ଏ ବିଷୟ ବିଚାରାଧୀନ ରହିଛି।
ନାମ ପରିବର୍ତ୍ତନ ବା ରଙ୍ଗ ବଦଳାଇବା ସରକାର
ମୋହନ ମାଝିଙ୍କ ୧୦୦ ଦିନର ସରକାରକୁ ବିରୋଧୀ ତଥା କିଛି ଗଣମାଧ୍ୟମ ରଙ୍ଗ ବଦଳାଉଥିବା ସରକାର ଭାବେ ଉଲ୍ଲେଖ କରିଛନ୍ତି। ବିଶେଷ କରି ଲକ୍ଷ୍ମୀ ବସ, ଓମ୍ଫେଡ୍ କ୍ଷୀର ପ୍ୟାକେଟର ରଙ୍ଗ ବଦଳାଯିବା ପ୍ରସଙ୍ଗ ଏଥିରେ ଅନ୍ତର୍ଭୁକ୍ତ। ଅପରପକ୍ଷେ କାଳିଆ ଯୋଜନାକୁ ସିଏମ୍ କିଶାନ କରାଯିବା, ଆଦର୍ଶ ବିଦ୍ୟାଳୟକୁ ଗୋଦାବରୀଶଙ୍କ ନାମରେ ନାମିତ କରିବା, ମୋ ସ୍କୁଲ୍ର ନାମ ପରିବର୍ତ୍ତନ ପ୍ରଭୃତି ଲୋକଙ୍କ ମନରେ ଚର୍ଚ୍ଚା ସୃଷ୍ଟି କରିଛି। ଆଗକୁ ଅନେକ ବାଟ ଚାଲିବାକୁ ଅଛି। କିନ୍ତୁ କଥାରେ ଅଛି ସକାଳର ସୂର୍ଯ୍ୟ ସାରା ଦିନକୁ ପ୍ରତିପାଦିତ କରିଥାଏ, ଠିକ୍ ସେହିପରି ଏହି ପ୍ରଥମ ୧୦୦ ଦିନ ସରକାରଙ୍କ ଆସନ୍ତା ଦିନଗୁଡ଼ିକୁ ବିଚାର କରିବାରେ ବିଶେଷ ସହାୟକ ହୋଇଥାଏ। ଏଣୁ ଯଦି ସରକାର ନିଜ ନୀତିରେ ପରିବର୍ତ୍ତନ ବା ସୁଧାର ନଆଣନ୍ତି ତେବେ ଆସନ୍ତା ୧୭୨୫ ଦିନ କିପରି କଟିବ ତାହା ଏହି କାହାଣୀରୁ ନିଶ୍ଚିତ ଅନୁମେୟ।