ବାତ୍ୟା ପାଇଁ BMC ପକ୍ଷରୁ ରାତି ସୁଦ୍ଧା ୧୧୫୨ ଲୋକଙ୍କୁ ସ୍ଥାନାନ୍ତର
Advertisement
Article Detail0/zeeodisha/odisha2486969

ବାତ୍ୟା ପାଇଁ BMC ପକ୍ଷରୁ ରାତି ସୁଦ୍ଧା ୧୧୫୨ ଲୋକଙ୍କୁ ସ୍ଥାନାନ୍ତର

109 ଆଶ୍ରୟସ୍ଥଳ ପ୍ରସ୍ତୁତ, ବିଏମସି କମାଣ୍ଡ କଣ୍ଟ୍ରୋଲ ସେଣ୍ଟରରୁ ଚାଲିଛି ନିୟନ୍ତ୍ରଣ । ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିଲେ ପ୍ରମୁଖ ଶାସନ ସଚିବ ଓ କମିଶନର । 11ଜଣ ଅସହାୟଙ୍କୁ ନିଆଗଲା ସହରାଞ୍ଚଳ ଆଶ୍ରୟସ୍ଥଳକୁ । ବୁଲା କୁକୁର ଓ ଗାଈଗୋରୁଙ୍କୁ ଦିଆଗଲା ରନ୍ଧା ଖାଦ୍ୟ ।

ବାତ୍ୟା ପାଇଁ BMC ପକ୍ଷରୁ ରାତି ସୁଦ୍ଧା ୧୧୫୨ ଲୋକଙ୍କୁ ସ୍ଥାନାନ୍ତର

​ଭୁବନେଶ୍ୱର; ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବି ଏମ୍ ସି)ପକ୍ଷରୁ ତଳି ବା ଖାଲୁଆ ଅଂଚଳ ଏବଂ କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ସେମାନଙ୍କର ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ବର୍ତମାନ ସୁଦ୍ଧା ମୋଟ 1152 ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ସେମାନଙ୍କ ରହଣି ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଓ ବି ଏମ୍ ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଛନ୍ତି । ଇତି ମଧ୍ୟରେ 11ଜଣ ଅସହାୟ ଲୋକମାନଙ୍କୁ ସହରାଞ୍ଚଳ ଆଶ୍ରୟସ୍ଥଳୀରେ ଏବଂ 36 ଜଣ ଆସନ୍ନ ପ୍ରସବାଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି ।

ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ମୁଖ୍ୟାଳୟରେ ଖୋଲିଥିବା 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସୂଚାରୁ ଭାବେ ଚାଲୁ ରହିଛି । ବି ଏମ୍ ସି ଆଇସିଓଏମ୍ ଟାଓ୍ୱାରର ପ୍ରଥମ ମହଲାରେ ଚାଲୁଥିବା ଏହି କଣ୍ଟ୍ରୋଲ ରୁମ୍ 3 ଜଣ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ 3 ସିଫ୍ଟରେ କାର୍ଯ୍ୟ ଜାରି ରଖିଛି । ସକାଳ 7ଟାରୁ 1ଟା, ମଧ୍ୟାହ୍ନ 1ଟାରୁ ରାତି 10ଟା ଏବଂ ରାତି 10ଟାରୁ ସକାଳ 7 ପର୍ଯ୍ୟନ୍ତ କାର୍ଯ୍ୟ ଚାଲୁ ରହିଅଛି । ପ୍ରତି ସିପ୍ଟରେ 22 ଜଣ ଲେଖାଏଁ କର୍ମଚାରୀ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିବା ସହ ତୁରନ୍ତ ସେଗୁଡିକର ସମାଧାନ ପାଇଁ ଅଧିକାରୀଙ୍କୁ ଅବଗତ କରାଉଛନ୍ତି । ସଂପ୍ରତ୍ତି ବି ଏମ୍ ସି କଣ୍ଟ୍ରୋଲ ରୁମ୍ ବା କମାଣ୍ଡ କଣ୍ଟ୍ରୋଲ ସେଣ୍ଟରର 1929ରେ 12ଟି ଲାଇନ୍ କାମ କରୁଛି । ଆହୁରି 30ଟି ଲାଇନ୍ ପ୍ରସ୍ତୁତ ରହିଛି । କମାଣ୍ଡ କଣ୍ଟ୍ରୋଲ ସେଣ୍ଟରରୁ ରାଜଧାନୀର ସମସ୍ତ ମୁଖ୍ୟ ରାସ୍ତା ଓ ଟ୍ରାଫିକ୍ ଛକଗୁଡିକରେ ତୀକ୍ଷ୍ଣ  ନଜର ରଖାଯାଇଛି । ବିଦ୍ୟୁତ୍ ଖୁଣ୍ଟ, ଗଛ କିମ୍ବା ତାର ଛିଣ୍ଡି ପଡିଲେ, ସିଧାସଳଖ ଜାଣିହେବ ଏବଂ ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯିବ । ଏହା ବ୍ୟତିତ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଯଥା-ଓ୍ୱାଟକୋ, ଟିପିସିଓଡିଏଲ୍, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ଅଗ୍ନିଶମ, କମିଶନରରେଟ ପୋଲିସର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଛନ୍ତି । ପ୍ରତ୍ୟେକ ବିଭାଗର ଜଣେ ଜଣେ ନୋଡାଲ ଅଫିସରଙ୍କ ସହ ଅନ୍ୟ କର୍ମଚାରୀମାନେ 3 ସିଫ୍ଟରେ କାମ କରୁଛନ୍ତି । ବାତ୍ୟା ସଂପର୍କିତ  ତିନି ଜୋନ୍ ର ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣିବା ସହ ସେଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦେଶ ଦିଆଯାଉଛି । ଗତ କାଲିଠାରୁ ଆଜି ରାତି 7 ଘଟିକା ସୁଦ୍ଧା ବାତ୍ୟା ସଂପର୍କିତ ମୋଟ 288 ଟି ଅଭିଯୋଗ ଆସିଛି । ସେଥି ମଧ୍ୟରୁ ଗଛକଟା ଓ ବିଦ୍ୟୁତ ସଂପର୍କିତ ଅଭିଯୋଗ ଅଧିକ ରହିଥିବା ବେଳେ ପରିମଳ ଓ ଅନ୍ୟାନ୍ୟ ବାଦରେ ଅଭିଯୋଗ ରହିଛି । ଅଭିଯୋଗଗୁଡିକ ହସ୍ତଗତ ହେବା ମାତ୍ରେ ସେଗୁଡିକୁ ସଂପୃକ୍ତ ବିଭାଗୀୟ ଅଧିକାରୀ ବା ଦାୟୀତ୍ୱରେ ଥିବା ନୋଡାଲ ଅଫିସରଙ୍କୁ ଜଣାଇ ଦିଆଯାଇଛି । ନୋଡାଲ ଅଫିସରମାନେ ସଂଗେ ସଂଗେ ଟିମ୍ ସହ ଆବଶ୍ୟକ ଉପକରଣ ପଠାଇ ସମସ୍ୟାର ସମାଧାନ କରୁଛନ୍ତି ।

ସଂପ୍ରତି ବି ଏମ୍ ସି ପକ୍ଷରୁ ମହାନଗର ନିଗମ ଅଂଚଳରେ ମୋଟ 109ଟି ଆଶ୍ରୟସ୍ଥଳି ପ୍ରସ୍ତୁତ କରାଯାଇଛି । ଲୋକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ 3ଟି ବସ୍ ସହିତ ବି ଏମ୍ ସି ଗାଡି ପ୍ରସ୍ତୁତ ହୋଇ ରହିଛି । ବାତ୍ୟା ଆଶ୍ରୟସ୍ଥଳରେ ଲୋକମାନଙ୍କ ରହିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଲୋକମାନେ ଭୟଭୀତ ନ ହୋଇ ଧୈର୍ଯ୍ୟର ସହ ବାତ୍ୟାର ମୁକାବିଲା କରିବା ପାଇଁ ନିବେଦନ କରିଛନ୍ତି ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଓ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ । ଯେ କୌଣସି ସମସ୍ୟା ସୃଷ୍ଟି ହେଲେ, 1929କୁ ତୁରନ୍ତ ଫୋନ୍ କରି ଜଣାଇବାକୁ ମାନନୀୟା ମେୟର ଓ କମିଶନର ଅନୁରୋଧ କରିଛନ୍ତି ।

ଇତି ମଧ୍ୟରେ ବିପଦ ସଂକୁଳ ଅବସ୍ଥାରେ ଥିବା ପ୍ରାୟ ଗଛ ଓ ଗଛ ଡାଳ କାଟି ଦିଆଯାଇଥିବା ବେଳେ ବିଦ୍ୟୁତ୍ ଖୁଣ୍ଟଗୁଡିକୁ ହଟାଇ ଦିଆଯାଇଛି । ଏବେ ବି ଏମ୍ ସିର ଗଛକଟା ମେସିନ, ଅଗ୍ନିଶମ ବିଭାଗର 65ଟି ମେସିନ ସହ ଓଡ୍ରାଫ ଗଛକଟା ମେସିନ ମହଜୁଦ୍ ରହିଛି । ସେହିପରି ବି ଏମ୍ ସି 31ଟି ଜଳବନ୍ଦୀ ଅଂଚଳରେ ପମ୍ପସେଟ୍ ମୁତୟନ କରିଥିବା ବେଳେ ଆହୁରି 6ଟି ପମ୍ପସେଟ୍ ମହଜୁଦ୍ ରଖିଛି । ସେହିପରି ଅଗ୍ନିଶମ ବିଭାଗର 28ଟି ପମ୍ପସେଟ୍ ମହଜୁଦ୍ ରହିଛି । ଏହା ବ୍ୟତୀତ ଓ୍ୱାଟକୋର ମଧ୍ୟ ପମ୍ପସେଟ୍ ରହିଛି । ସେପଟେ ନିରନ୍ତର ପାନୀୟ ଜଳ ଯୋଗାଣ ପାଇଁ ଓ୍ୱାଟକୋ ପକ୍ଷରୁ ସବୁଠାରେ ପାଣି ପମ୍ପ ଓ ଜେନେରେଟର ରଖାଯାଇଛି । ଏହା ବାଦ୍ କେତେକ ଅଂଚଳକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି । ସହରରେ ଯେପରି ପାନୀୟ ଜଳ ସମସ୍ୟା ସୃଷ୍ଟି ନ ହୁଏ, ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ବିଦ୍ୟୁତ୍ ବିଭାଗ ପକ୍ଷରୁ ମଧ୍ୟ ଅଧିକ ଲୋକଙ୍କୁ ନିୟୋଜିତ କରାଯାଇଛି । ପ୍ରତି ସବଷ୍ଟେସନରେ ଗୋଟିଏ ଗୋଟିଏ ରାପିଡ୍ ଆକ୍ସନ ଟିମ୍ ମୃତୟନ କରାଯାଇଛି । ନିରବଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ସମସ୍ତ ପ୍ରକାର ପ୍ରୟାସ କରାଯାଇଛି ।

ଅଗ୍ନିଶମ ବିଭାଗ ପକ୍ଷରୁ ଗାଡି, କଟର ମେସିନ, ବୋଟ୍ ଆଦି ପ୍ରସ୍ତୁତ ରଖାଯାଇଛି । ଯେ କୌଣସି ପରିସ୍ଥିତି ଆସିଲେ ତାର ମୁକାବିଲା କରିବା ପାଇଁ ସଂପ୍ରତି 10ଟି ଟିମ୍ ମଧ୍ୟରୁ କେବଳ ବି ଏମ୍ ସି ପାଇଁ 7ଟି ଟିମ୍ ରହିଛନ୍ତି । ଆବଶ୍ୟକ ଉପକରଣ ସହ ସେମାନେ ପ୍ରସ୍ତୁତ ରହିଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ।
ସେପଟେ ବୁଲା କୁକୁରଙ୍କୁ ଆଜି 1 କ୍ୱିଣ୍ଟାଲ ରନ୍ଧା ଖାଦ୍ୟ ଓ ଗାଈଗୋରୁଙ୍କୁ 0.5 କ୍ୱିଣ୍ଟାଲ ଖାଦ୍ୟ ଦିଆଯାଇଛି । କାଲିଠାରୁ ବୁଲା କୁକୁର ଓ ଗାଈଗୋରୁଙ୍କୁ ଖାଇବାକୁ ଦିଆଯାଉଛି ।  ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ପବନର ବେଗ ଓ ବର୍ଷାର ପରିମାଣକୁ ଅନୁଧ୍ୟାନ କରି ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ ଓ୍ୱାର୍ଡସ୍ତରୀୟ ଟିମ୍ ଗଠନ କରାଯାଇଛି । ଯେ କୌଣସି ପରିସ୍ଥିତି ଆସିଲେ ତାର ମୁକାବିଲା କରିବା ପାଇଁ ବି ଏମ୍ ସି ଓ ତାର ସହଯୋଗୀ ବିଭାଗ ପ୍ରସ୍ତୁତ ରହିଛନ୍ତି । ସେମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ପାଇଁ ବି ଏମ୍ ସିର ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । କମିଶନର ଓ ଅତିରିକ୍ତ କମିଶନର ପ୍ରତ୍ୟକ୍ଷ ଭାବେ ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି । ସଂଯୁକ୍ତି ବିଭାଗଗୁଡିକର ସହଯୋଗରେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଟିମ୍ ବି ଏମ୍ ସି ପ୍ରସ୍ତୁତ ରହିଛି । ବି ଏମ୍ ସି ପକ୍ଷରୁ ରହିଥିବା ବିଭିନ୍ନ ପ୍ରସ୍ତୁତି ବାବଦରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ଲୋକମାନେ ଯେପରି ଭୟଭୀତ ନ ହେବେ ସେ ବାବଦରେ ସୂଚନା ପ୍ରଦାନ କରିବାକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅନୁରୋଧ କରିଛନ୍ତି କମିଶନର ।

Also Read- Diwali Lucky Zodiac Signs: ଦୀପାବଳିରେ ୫ ରାଶିର ବ୍ୟକ୍ତିଙ୍କ ଜୀବନରେ ଆସିବ ନୂଆ ଆଲୋକ