Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
କିଟ ବିବାଦ: ସ୍ପଷ୍ଟି କରଣ ରଖିଲେ ସରକାର
କଳିଙ୍କ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି ବା କିଟ ବିବାଦରେ ୧୧ ସୂତ୍ରୀ ସ୍ପଷ୍ଟିକରଣ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ଦେଇଥିବା ୧୧ ସୂତ୍ରୀ ସ୍ପଷ୍ଟିକରଣ ଅନୁସାରେ ବର୍ତ୍ତମାନ ସୁଦ୍ଧା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଅଭିଯୁକ୍ତକୁ ଗିରଫ କରାଯିବା ସହିତ ନେପାଳ ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯିବା ଘଟଣାରେ କେଉଁ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ଉପରେ ସରକାର ସୂଚନା ପ୍ରଦାନ କରିଛନ୍ତି।
କିଟରେ ଛାତ୍ରୀ ମୃତ୍ୟୁ ଘଟଣା: ଗିରଫ ପରେ ମିଳିଗଲା ଜାମିନ
କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଗିରଫ କରାଯାଇଥିବା ୫ଜଣ ଦୋଷୀଙ୍କୁ ଜାମିନ ମିଳିଛି । ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀଙ୍କୁ ଭୁବନେଶ୍ବର ଜେଏମ୍ଏଫ୍ସି-୨ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର, ପ୍ରତାପ ଚମ୍ପତି, ସୁଧୀର ରଥଙ୍କ ସମେତ ରକ୍ଷାକର୍ମୀ ରମାକାନ୍ତ ନାୟକ ଓ ଯୋଗେନ୍ଦ୍ର ବେହେରାଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବେଲ୍ ବଣ୍ଡରେ ଜାମିନ ଆଧାରରେ କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି ।
ଆରମ୍ଭ ହେବ ୧୦୯ ଆମ୍ବୁଲାନ୍ସ ସେବା
୧୦୮ ପରେ ଏବେ ରାଜ୍ୟରେ ୧୦୯ ଆମ୍ବୁଲାନ୍ସ ସେବା ଆରମ୍ଭ ହେବାକୁ ଯାଉଛି । ଯଦି କୌଣସି ବ୍ୟକ୍ତିଙ୍କର ହସ୍ପିଟାଲରେ ମୃତ୍ୟୁ ହୁଏ ତେବେ ତାଙ୍କୁ ହସ୍ପିଟାଲରୁ ଏହି ୧୦୯ ଆମ୍ବୁଲାନ୍ସ ଯୋଗେ ଘରକୁ କିମ୍ବା ଶ୍ମଶାନକୁ ନିଆଯିବ । ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ ବୋଲି ଆଜି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଫୋନ୍ କରିବାର ୨୦ରୁ ୩୦ମିନିଟ ମଧ୍ୟରେ ସେବା ମିଳିବ । ପ୍ରଥମ ପର୍ଯ୍ୟାୟରେ ଏହା ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଏନେଇ ବଜେଟ୍ରେ ସ୍ଵତନ୍ତ୍ର ଅର୍ଥ ବରାଦ ହୋଇଛି । ଏହାଦ୍ବାରା ସରକାରୀ ହସ୍ପିଟାଲରେ ମୃତ୍ୟୁ ପରେ ଶବ ନେବାରେ ଯେଉଁ ସମସ୍ୟା ହେଉଛି ତାହା କମିଯିବ ବୋଲି ମନ୍ତ୍ରୀ ମହାଲିଙ୍ଗ କହିଛନ୍ତି ।
ଆଇଏଏସ୍ ବିଷ୍ଣୁପଦଙ୍କ ଘରୁ ବାହାରିଲା ସିବିଆଇ
ବ୍ରିଜ ଆଣ୍ଡ ରୁଫ ଲାଞ୍ଚ ମାମଲାରେ ପୁଣି ଜୋର ଧରିଲା ତଦନ୍ତ। ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ମାରାଥନ ଜେରା ଚାଲିଥିଲା। ୧୬ ଘଣ୍ଟା ଧରି ଘାଣ୍ଟିଛି ସିବିଆଇ। ଗତକାଲି ସକାଳଠାରୁ ରାତି ୧୧ଟା ପର୍ଯ୍ୟନ୍ତ ଯାଞ୍ଚ କରୁଥିଲା ସିବିଆଇ। ନୂଆଦିଲ୍ଲୀରୁ ଆସିଥିବା ସିବିଆଇର ୮ଜଣିଆ ଟିମ ବିଷ୍ଣୁପଦଙ୍କ ସରକାରୀ ବାସଭବନରେ ଚଢଉ କରିଥିଲା। ଭୁବନେଶ୍ବର ବାସଭବନ ସମେତ ପୈତୃକ ଗାଁରେ ହୋଇଛି ଚଢ଼ାଉ। ଡିସେମ୍ବର ମାସରେ ବ୍ରିଜ ଆଣ୍ଡ ରୁଫ ଲାଞ୍ଚ ମାମଲାରେ ବିଷ୍ଣୁପଦଙ୍କ ସଂପୃକ୍ତି ସାମ୍ନାକୁ ଆସିଥିଲା। ଏଥିପାଇଁ ବିଷ୍ଣୁପଦଙ୍କୁ ସିବିଆଇରେ ହାଜର ହେବାକୁ ସମନ ହୋଇଥିଲା।
ଖୁବଶୀଘ୍ର ଲାଗୁ ହେବ ଶିଶୁ ବାଲ ବାଟିକା ୩
ଆସନ୍ତା ଶିକ୍ଷାବର୍ଷରେ ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ ଖୋଲାଯିବ ଶିଶୁ ବାଲ ବାଟିକା ୩ । ସୋମବାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟରେ ଏନେଇ ଘୋଷଣା କରିଥିବା ବେଳେ, ମଙ୍ଗଳବାର ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି ଯେ, ଛୋଟ ପିଲାଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ପିଲାଟିଏ କିଭଳି ତାର ଗୁଣାତ୍ମକ ଶିକ୍ଷା ବୃଦ୍ଧି କରିବ ସେନେଇ ଯୋଜନା ଚାଲିଛି । ପ୍ରାୟ ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ ବାଲବାଟିକା ନିଆଯାଇଛି । ଏହା ଖୁବଶୀଘ୍ର ଲାଗୁ କରାଯିବ । ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ସୁଦୃଢ କରାଯିବା ନେଇ ମଧ୍ୟ ଗୁରୁତ୍ଵ ଦିଆଯାଇଛି ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।
ଆଜିଠୁ ୪ଦିନ ବର୍ଷା
ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା। ୧୯ ତାରିଖରୁ ୨୧ ତାରିଖ ଯାଏଁ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ୨୦ ତାରିଖରୁ ଉତ୍ତର ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ଓ ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ହେବାର ଅନୁମାନ କରାଯାଇଛି। ଗତକାଲି ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ଆଜି ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ୨୦ରୁ ୨୩ ତାରିଖ ଯାଏ ଉତ୍ତର ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏହି ୪ ଦିନ ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ହାରାହାରି ୯୦ ମିମି ପର୍ଯ୍ୟନ୍ତ ବର୍ଷା ହେବ। ଯାଜପୁର, କେନ୍ଦୁଝର ଓ ଢେଙ୍କାନାଳରେ ୩୦ ମିମି ଯାଏ ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା ଓ କଟକରେ ୫ରୁ ୧୫ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ।
ଝିଅ ବାହାଘର କରିବେ ରାଜ୍ୟ ସରକାର
ଏଣିକି ଗରିବ ଘରେ ଝିଅ ବାହାଘର ଚିନ୍ତା ରହିବ ନାହିଁ। ସରକାର ଏହି ବାହାଘର ଖର୍ଚ୍ଚ ଉଠାଇବେ। ଖାଲି ସେତିକି ନୁହେଁ ବାହାଘର ପରେ ଉପହାର ବି ସରକାର ଦସେବେ। ଏଥିଲାଗି ସରକାର ୧୨ କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା କରିଛନ୍ତି। ମୋହନ ମାଝିଙ୍କ ଦ୍ୱିତୀୟ ବଜେଟରେ ସାମାଜିକ ମଙ୍ଗଳର ଏକ ନୂତନ ଦିଗ ଉନ୍ମୋଚିତ ହୋଇଛି।
ଶେଷ ହୋଇପାରେ ଋଷ-ୟୁକ୍ରେନ ଯୁଦ୍ଧ
ମଙ୍ଗଳବାର ଦିନ କିଭ୍ କିମ୍ବା EU ବିନା ସାଉଦି ଆରବରେ ଆମେରିକା-ରୁଷ ସାକ୍ଷାତ କରିଥିଲେ। ୟୁକ୍ରେନରେ ଯୁଦ୍ଧ ସମାପ୍ତ କରିବାର ଉପାୟ ଖୋଜିବା ପାଇଁ ସାଉଦି ଆରବ ଆମେରିକା ଏବଂ ରୁଷ ମଧ୍ୟରେ ପ୍ରଥମ ବୈଠକର ମଧ୍ୟସ୍ଥତା କରିଥିଲା। ଏହି ବୈଠକର ଉଦ୍ଦେଶ୍ୟ ଥିଲା ୟୁକ୍ରେନ ଏବଂ ରୁଷ ମଧ୍ୟରେ ସଂଘର୍ଷର କିପରି ଅନ୍ତ କରାଯାଇପାରିବ ସେ ବିଷୟରେ ଦୁଇ ଦେଶ ମଧ୍ୟରେ ଏକ ସହମତି ସୃଷ୍ଟି କରିବା। ବୈଠକ ଶେଷ ହେବା ପରେ, ରୁଷ ଏବଂ ଆମେରିକାରୁ ମଧ୍ୟ ପ୍ରତିକ୍ରିୟା ଆସିଥିଲା। ରୁଷ କହିଛି ଯେ ଦୁଇ ଦେଶ ଯୁଦ୍ଧର ଅନ୍ତ ଘଟାଇବା ପାଇଁ ନିକଟତର ହେଉଛନ୍ତି କି ନାହିଁ ତାହା ବର୍ତ୍ତମାନ କହିବା କଷ୍ଟକର।
ଆହ୍ଲାବାଦିଆଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ସମୟ ରୈନାଙ୍କ କମେଡି ଶୋ’ ‘ଇଣ୍ଡିଆଜ୍ ଗଟ୍ ଲଟେଣ୍ଟ’ରେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ପିତାମାତାଙ୍କ ସଂପର୍କରେ ଦେଇଥିବା ଅଶ୍ଳୀଳ ମନ୍ତବ୍ୟ ମାମଲା ସଂପର୍କରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟରେ କୋର୍ଟ ଆହ୍ଲାବାଦିଆଙ୍କୁ ଗିରଫଦାରିରୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। କିନ୍ତୁ ତାଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଆହ୍ଲାବାଦିଆଙ୍କ ମନ୍ତବ୍ୟକୁ ନିନ୍ଦନୀୟ, ଲଜ୍ଜାଜନକ, ଅଶ୍ଳୀଳ ବୋଲି ବର୍ଣ୍ଣନା କରିଛନ୍ତି କୋର୍ଟ। ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ୍ ଏନ୍ କୋଟେଶ୍ଵର ସିଂହ ଆଜି ମାମଲାର ଶୁଣାଣି କରିଥିଲେ। ଖଣ୍ଡପୀଠ କହିଥିଲେ, ବାକ୍ ସ୍ବାଧୀନତାର ଆଳ ଦେଖାଇ କେହି ସମାଜର ନିୟମ ବିରୋଧରେ ମନଇଚ୍ଛା ମନ୍ତବ୍ୟ ଦେବାର ଲାଇସେନ୍ସ ପାଇନାହାନ୍ତି।
ଭାରତ କତାର ଆଲୋଚନା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କାତାର ଆମୀର ଶେଖ୍ ତାମିମ୍ ବିନ୍ ହମାଦ୍ ଅଲ୍-ସାନିଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ଏକ ଚୁକ୍ତିନାମା ହୋଇଛି। ଦୁଇ ନେତା ଭାରତ-କତାର ସମ୍ପର୍କକୁ ଏକ ରଣନୈତିକ ସହଭାଗୀତା ସ୍ତରକୁ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ଶକ୍ତି ଏବଂ ଲୋକ-ଲୋକ ସମ୍ପର୍କ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା।