Cyclone Update: ବାତ୍ୟା ପାଇଁ ୧୪ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା
Advertisement
Article Detail0/zeeodisha/odisha2482377

Cyclone Update: ବାତ୍ୟା ପାଇଁ ୧୪ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା

ବଙ୍ଗୋପସାଗରରେ ଆସୁଥିବା ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ୨୩ ଅକ୍ଟୋବରରୁ ୨୫ ଅକ୍ଟୋବର ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି

Cyclone Update: ବାତ୍ୟା ପାଇଁ ୧୪ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ପ୍ରଭାବିତ ଅଞ୍ଚଳରେ ସ୍କୁଲଗୁଡିକୁ ଛୁଟି ଘୋଷଣା କରାଯାଇଛି । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଏବଂ କଟକ । ଉକ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସରକାର ଛୁଟି ଘୋଷଣା କରିଛନ୍ତି ।

ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ ଏକ ଚିଠି ଲେଖି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗକୁ ଏ ସମ୍ପର୍କରେ ଅବଗତ କରାଇଥିଲେ ।

ସୂଚନାଯୋଗ୍ୟ, ଲୋକସେବା ଭବନ ଠାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ସମ୍ପର୍କିତ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମ୍ଭାବ୍ୟ ବାତ୍ୟା 'ଦାନା' ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହା ଉପରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । 

ରାଜ୍ଯରେ ଧନ ଜୀବନକୁ ସୁରକ୍ଷିତ ରଖିବା ସହିତ ବାତ୍ୟାର ସଫଳ ମୁକାବିଲା କରିବା ନିମନ୍ତେ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସ୍ଵତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି। ବାତ୍ୟାର ସଠିକ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ, ଯୋଗାଯୋଗ, ବିଦ୍ୟୁତସେବା, ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ରିଲିଫ ସାମଗ୍ରୀ ଯୋଗାଣ, କଳାବଜାରୀ ନିୟନ୍ତ୍ରଣ ଭଳି ବିଷୟକୁ ବିଶେଷ ଗୁରୁତ୍ଵ ଦିଆଯିବ। 

ଲୋକଙ୍କ ସରକାର ଲୋକଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଉଛନ୍ତି। ପ୍ରତିଟି ଜୀବନକୁ ସୁରକ୍ଷିତ ରଖିବା ଏବଂ ଜିରୋ କାଜୁଆଲିଟିକୁ ନିଶ୍ଚିତ କରିବା ପାଇଁ ଆମ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସରକାର ଆପଣଙ୍କ ସହ ସବୁବେଳେ ସବୁ ସମୟରେ ସହଯୋଗ ପାଇଁ ପ୍ରସ୍ତୁତ ଅଛନ୍ତି। ସମସ୍ତେ ସଚେତନ ରହିବା ସହ ଭୟଭୀତ ନହୋଇ ସରକାରୀ ସ୍ତରରେ ଜାରି ହୋଇଥିବା ସୂଚନା ଆଧାରରେ ନିଜକୁ ପ୍ରସ୍ତୁତ ରଖନ୍ତୁ ବୋଲି ସମୀକ୍ଷା ବୈଠକରେ କୁହାଯାଇଛି ।

ବାତ୍ୟା ନେଇ ପାଣିପାଗ ବିଭାଗ ସ୍ପଷ୍ଟ କରିବା ପରେ ଆଗୁଆ ପନିପରିବା ଏବଂ ତେଜରାତୀ ସାମଗ୍ରୀ ସାଇତି ରଖିବା ଲକ୍ଷ୍ୟରେ ଲୋକଙ୍କ ଭିଡ଼ ହାଟ ଓ ବଜଡାରରେ ଦେଖିବାକୁ ମିଳିଛି। ସକାଳେ ଯେଉଁ ପରିବା ଦର କିଲୋପିଛା ୫୦ ଟଙ୍କାରେ ବିକ୍ରି ହେଉଥିଲା ତାହା ସନ୍ଧ୍ୟା ବେଳକୁ ଦୁଇଗୁଣା ହୋଇଯାଇଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ୧ ନମ୍ବର ହାଟରେ। ବାତ୍ୟା ସମୟରେ କଳାବଜାରୀ ନକରିବାକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଚେତାବନୀ ଦେଇଛନ୍ତି। ଯେଉଁ ଅସାଧୁ ବ୍ୟବସାୟୀ କଳାବଜାରୀ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। 

ବାତ୍ୟା ପୂର୍ବରୁ ମତ୍ସ୍ୟ ବିଭାଗ ପକ୍ଷରୁ ସତ ପାରାଦୀପର ବିଭିନ୍ନ ବସ୍ତି ଅଞ୍ଚଳରେ ମାଇକ୍‌ ଦ୍ବାରା ପ୍ରଚାର କରାଯାଇଛି । ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଯିଏ ବି ସମୁଦ୍ରରେ ଅଛନ୍ତି ତୁରନ୍ତ କୂଳକୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋପାଳପୁର ସମୁଦ୍ର କୂଳରେ ମଧ୍ୟ ପର୍ଯ୍ୟଟକମାନେ ବୁଲାବୁଲି କରୁଥିବା ସମୟରେ ସୁରକ୍ଷାକର୍ମୀ ସତର୍କ କରାଉଛନ୍ତି ।

ବାତ୍ୟା ପ୍ରଭାବରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଉଛି । ମୁଖ୍ୟାଳୟ ନଛାଡ଼ିବା ପାଇଁ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ବିଶେଷ କରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, କଟକ ଏବଂ ଯାଜପୁରକୁ ଆଲର୍ଟ କରାଯାଇଛି ।

Also Read- Family Horoscope: ମଙ୍ଗଳବାର ଦିନ ୬ ରାଶିର ପରିବାରରେ ଖେଳିବ ଖୁସିର ଲହରୀ