Odisha Agriculture Budget 2025-26: ରାଜ୍ୟର ଜନସଂଖ୍ୟାର ପ୍ରାୟ ୪୮ ପ୍ରତିଶତ ଶ୍ରମଶକ୍ତି କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭରଶୀଳ। କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଜେଟ୍ରେ ୨୦୨୫-୨୬ରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରପାଇଁ ୩୭,୮୩୮ କୋଟି ଟଙ୍କା କୃଷି ବିଭାଗ ପାଇଁ ବ୍ୟୟବରାଦ କରାଯାଇଛି । ପୂର୍ବ ବର୍ଷର ବଜେଟ୍ ତୁଳନାରେ ପ୍ରାୟ ୧୨ ପ୍ରତିଶତ ଅଧିକ ।
Trending Photos
ଭୁବନେଶ୍ୱର: ରାଜ୍ୟର ଜନସଂଖ୍ୟାର ପ୍ରାୟ ୪୮ ପ୍ରତିଶତ ଶ୍ରମଶକ୍ତି କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭରଶୀଳ। କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଜେଟ୍ରେ ୨୦୨୫-୨୬ରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରପାଇଁ ୩୭,୮୩୮ କୋଟି ଟଙ୍କା କୃଷି ବିଭାଗ ପାଇଁ ବ୍ୟୟବରାଦ କରାଯାଇଛି । ପୂର୍ବ ବର୍ଷର ବଜେଟ୍ ତୁଳନାରେ ପ୍ରାୟ ୧୨ ପ୍ରତିଶତ ଅଧିକ । ଏଥିମଧ୍ୟରୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପାଇଁ ୧୪,୭୦୧ କୋଟି ଟଙ୍କାର ପ୍ରସ୍ତାବ ରହିଛି ।
ସମୃଦ୍ଧ କୃଷକ ଯୋଜନା ପାଇଁ ୬୦୦୦ କୋଟି ବ୍ୟୟବରାଦ ହୋଇଛି । କୃଷକମାନଙ୍କୁ ଠିକ୍ ସମୟରେ ଆର୍ଥିକ ସହାୟତା ଏବଂ ଇନପୁଟ୍ ସହାୟତା ପାଇଁ ସିଏମ୍-କିଷାନ ଅଧୀନରେ ୨୦୨୫-୨୬ ବର୍ଷ ପାଇଁ ୨୦୨୦ କୋଟି ଟଙ୍କା, ମେଗା ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ପ୍ରାୟ ୨ ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ଅଣଧାନ ଫସଲ ପାଇଁ ୬୯୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଆଳୁରେ ଆତ୍ମ ନିର୍ଭର ଯୋଜନା
ଚଳିତ ବର୍ଷ ଆଳୁ ଚାଷ ପାଇଁ ୧.୮୦ ଲକ୍ଷ କୃଷକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷ ରବି ଋତୁରେ ୧.୬୦ ଲକ୍ଷ କୁଇଣ୍ଟାଲ ସାର୍ଟିଫାଏଡ୍ ବିହନ ଆଳୁ ଯୋଗାଣ କରାଯାଇଛି। ଶ୍ରୀ ଅନ୍ନ ଅଭିଯାନ "ଶ୍ରୀ ଅନ୍ନ ଅଭିଯାନ’ରେ ସମସ୍ତ ୩୦ଟି ଜିଲ୍ଲାର ୧୭୭ଟି ବ୍ଲକରେ ବିସ୍ତାର କରାଯାଇଛି । ଆମ ସରକାର ଚଳିତ ବର୍ଷ କ୍ୱିଣ୍ଟାଲ ପିଛା ୪୨୯୦ ଟଙ୍କା ଏମଏସପିକୁ କ୍ୱିଣ୍ଟାଲ ପିଛା ୨୧୦ ଟଙ୍କା ଅତିରିକ୍ତ ବଜେଟ୍ ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଫଳରେ ମାଣ୍ଡିଆର କ୍ରୟ ମୂଲ୍ୟ କ୍ୱିଣ୍ଟାଲ ପିଛା ୪୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ୬୦୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି ।
ଶୀତଳ ଭଣ୍ଡାର
ଶୀତଳ ଭଣ୍ଡାରର କରୁଥିବା ଘରୋଇ ଉଦ୍ୟୋଗୀମାନଙ୍କୁ ୭ ବର୍ଷ ପାଇଁ ମୋଟ୍ ବିଜୁଳି ବିଲ୍ ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ପୁଞ୍ଜି ନିବେଶ ସବସିଡି ଏବଂ ୫୦ ପ୍ରତିଶତ ଶୁଳ୍କ ସବସିଡି ସୁନିଶ୍ଚିତ କରାଯାଇଛି । ଏ ବାବଦରେ ୨୫୨ କୋଟି ଟଙ୍କାର ପ୍ରତିଶ୍ରୁତି ଦେଇଛୁ । ଏହି ଯୋଜନାରେ ରାଜ୍ୟର ସମସ୍ତ ୫୮ଟି ସବ୍ ଡିଭିଜନରେ ନୂତନ ଶୀତଳ ଭଣ୍ଡାର ୟୁନିଟ୍ ନିର୍ମାଣ ସହ ଅଚଳ ଥିବା ଉପଖଣ୍ଡଗୁଡ଼ିକର ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦିଆଯାଇଛି ।
କୃଷି ଉଦ୍ୟୋଗ
କୃଷି ଯାନ୍ତ୍ରିକକରଣ ଓ କୃଷି ଉଦ୍ୟୋଗ ଯୋଜନା ରେ ୪୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହି ଯୋଜନା ଅଧୀନରେ କୃଷି ଉଦ୍ୟୋଗର ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (ଏମକେୟୁୱାଇ) ଯୋଜନା ପାଇଁ ୨୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କୃଷିକ୍ଷେତ୍ରରେ ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ ପାଇଁ ଓୟୁଏଟି ପାଇଁ ୫୧୧ କୋଟି ଟଙ୍କା ପ୍ରଦାନ କରାଯିବ ।
୧,୦୦୦ରୁ ଅଧିକ କୃଷକ ଉତ୍ପାଦକ ସଂଗଠନ (ଏଫପିଓ)କୁ ସମର୍ଥନ କରାଯିବ, ଯାହାଦ୍ୱାରା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଅତି କମ୍ରେ ୩ ଲକ୍ଷ କୃଷକ ଉପକୃତ ହେବେ । ଏହି କାର୍ଯ୍ୟକ୍ରମ ପାଇଁ ୭୪ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରାଯାଇଛି । ରାଜ୍ୟରେ ୨୦୨୯-୩୦ ସୁଦ୍ଧା ଜଳସେଚନ କ୍ଷମତା ୧୫ ଲକ୍ଷ ହେକ୍ଟର ବୃଦ୍ଧି କରିବାକୁ ଯୋଜନା କରାଯାଇଛି । ଏଥିପାଇଁ ଜଳସମ୍ପଦ ବିଭାଗର ଆବଣ୍ଟନ ୨୦୨୪-୨୫ରେ ୧୩,୨୭୨ କୋଟି ଟଙ୍କା ଥିବାବେଳେ ୨୦୨୫-୨୬ରେ ଏହା ୧୨% ବୃଦ୍ଧି ସହ ୧୪,୮୯୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।
ଚଳିତ ବର୍ଷ ବଜେଟରେ ବ୍ୟାପକ ବନ୍ୟା ପରିଚାଳନା ପାଇଁ ୩୮୬ କୋଟି ଟଙ୍କାର ପ୍ରସ୍ତାବ ରହିଛି । ହୀରାକୁଦ ଡ୍ୟାମ୍ ପ୍ରକଳ୍ପର କେନାଲ ବ୍ୟବସ୍ଥାର ନବୀକରଣ ପାଇଁ ନାମରେ ୮୫୦ କୋଟି ଟଙ୍କା, ଉନ୍ନତ କଂକ୍ରିଟ ଲାଇନି ପାଇଁ ୨୦୨୪-୨୫ରୁ ୨୦୨୫-୨୬ ପର୍ଯ୍ୟନ୍ତ ୨୦୦ଟି ଫିଲ୍ଡ ଚ୍ୟାନେଲ ହାତକୁ ନିଆଯାଉଛି । ଏଥିପାଇଁ ଚଳିତ ବର୍ଷ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଡ୍ୟାମ ସୁରକ୍ଷା ଏବଂ ଉନ୍ନତି କାର୍ଯ୍ୟ ଯୋଜନା ଅଧୀନରେ ୫୭ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ୧୯୦୦୦ ୠଭୀର ନଳକୂପ ଏବଂ ୧୬୩୦ କମ୍ୟୁନିଟି ଲିଫ୍ଟ ପଏଣ୍ଟ ପାଇଁ ୧୧୫୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି ।
ଏହାବ୍ୟତୀତ ଅଚଳ ଉଠା ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ଯୋଜନା ଅଧୀନରେ ୧୯୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ପାର୍ବତୀ ଗିରି ମେଗା ଉଠା ଜଳସେଚନ ଯୋଜନାରେ ୧୩୧୮ କୋଟି ଟଙ୍କାର ଆବଣ୍ଟନ ପ୍ରସ୍ତାବ ରହିଛି । ଇନ-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚଟର ଯୋଜନା ଅଧୀନରେ ୮୮୦ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଆଦିବନ୍ଧ ତିଆରି ଯୋଜନାରେ ୩୫୦ କୋଟି ଟଙ୍କାର ପ୍ରସ୍ତାବିତ ବଜେଟ୍ ବ୍ୟବସ୍ଥା ସହିତ ପ୍ରାୟ ୧୦,୦୦୦ହେକ୍ଟର ଆୟକଟ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି । ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା ୧୬୦ଟି କେଏମ୍ ଲାଇନିଂ ପାଇଁ ୪୩୦ କୋଟି ଟଙ୍କାର ପ୍ରସ୍ତାବ ରହିଛି । ନବକୃଷ୍ଣ ଚୌଧୁରୀ ସେଚା ଉନ୍ନୟନ ଯୋଜନା ଅଧୀନରେ ୨୪୦ କୋଟି ଟଙ୍କା ଏବଂ କମାଣ୍ଡ ଏରିଆ ଡେଭଲପମେଣ୍ଟ ଆଣ୍ଡ ୱାଟର ମ୍ୟାନେଜମେଣ୍ଟ ଅଧୀନରେ ୨୫୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।
ବାଲେଶ୍ୱର ଜିଲ୍ଲାରେ ୭୫୭ କୋଟି ଟଙ୍କା ବ୍ୟୟ ଅଟକଳରେ ୧୯୩ କିଲୋମିଟର ଲମ୍ବର ଲୁଣିଆ ବନ୍ଧକୁ ସୁଦୃଢ଼ କରାଯିବ । ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀରେ ମୁଖ୍ୟମନ୍ତ୍ରୀ ଡିଜାଷ୍ଟର ରେଜିଲିଏଣ୍ଟ୍ ଲୁଣିଆ ବନ୍ଧ ପ୍ରକଳ୍ପ ପାଇଁ ୨୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।
କେନାଲ ମରାମତି, ନବୀକରଣ ଓ ପୁନରୁଦ୍ଧାର ପାଇଁ ୫୩୯ କୋଟି ଟଙ୍କା ବ୍ୟୟଅଟକଳରେ ୫୭୪ଟି ପ୍ରକଳ୍ପର ମରାମତି, ନବୀକରଣ ଓ ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି । ଏଥିପାଇଁ ୨୦୨୫-୨୬ ରେ ୨୦୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି । କଟକ ପେଟାନାଲାର ମରାମତି, ଗଞ୍ଜାମର ବାହାନନାଳା ଓ ବାହାଲନାଲାର ନଦୀ ମୁହାଣ ସଫା କରିବା ସହ ବାଲେଶ୍ୱରରେ ସୁବର୍ଣ୍ଣରେଖା ସଂସ୍କାର ଯୋଜନା ପାଇଁ ଅଧୀନରେ ୩୬୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି ।
ରିଅଲ ଟାଇମ୍ ଏମଆଇଏସ ଏବଂ ଡ୍ୟାସବୋର୍ଡ ସହିତ ପ୍ରକଳ୍ପ ମନିଟରିଂ ଏବଂ କେନାଲ ପରିଚାଳନାପାଇଁ ୨୦୨୫-୨୬ ରେ ୧୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପାଇଁ ୧୯୦୯ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ ୨୩୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ମତ୍ସ୍ୟ ଚାଷ ଭିତ୍ତିଭୂମି ବିକାଶ ପାଇଁ ୨୦୨୫-୨୬ରେ ୧୪୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ପାଇଁ ୨୪୫ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପାଇଁ ୧୪୬ କୋଟ, ମୁଖ୍ୟମନ୍ତ୍ରୀ ପ୍ରଣୀ କଲ୍ୟାଣ ଯୋଜନା ପାଇଁ ୩୪ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।
ସମଗ୍ର ରାଜ୍ୟରେ ୧୦୦ଟି ଆଦର୍ଶ ମଣ୍ଡି ପ୍ରତିଷ୍ଠା କରିବାକୁ ସମବାୟ ବିଭାଗ ପାଇଁ ୨୨୭୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କୃଷକମାନଙ୍କୁ ଫସଲ ଋଣ ପ୍ରଦାନ ପାଇଁ ସୁଧ ଛାଡ଼ ବାବଦରେ ୯୧୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୬୫୦ କୋଟି ଟଙ୍କା, ଅଫିସ କୋଠା ଓ ଗୋଦାମ ନିର୍ମାଣ ପାଇଁ ୧୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଚାଷୀମାନଙ୍କୁ ଋଣ ବୃଦ୍ଧି ନିମନ୍ତେ ଇକ୍ୱିଟି ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ୧୫୦ କୋଟି ଟଙ୍କାର ଅଂଶଧନ ପୁଞ୍ଜି ସହାୟତା ପ୍ରଦାନ କରିବେ ।