Odisha Universities: ଆଜି ବିଜେଡି ବିଧାୟକ ଗଣେଶ୍ୱର ବେହେରା ପ୍ରଶ୍ନ ମାଧ୍ୟମରେ ଏଥିପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ କେଉଁ ବିଶ୍ୱବିଦ୍ୟାଳୟରୋ କେତେ ପଦବୀ ଖାଲି ପଡ଼ିଛି ଏବଂ ପଦବୀ ପୂରଣ ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି ସେଥିନେଇ ଏକ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ଶ୍ରୀ ସୂରଜ କହିଛନ୍ତି, ରାଜ୍ୟରେ ସମୁଦାୟ ୧୭ଟି ବିଶ୍ୱବିଦ୍ୟାଳୟ ରହିଛି। ଏଥିରେ ୨୦୦୩ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ରହିଛି। ସେଥିରୁ ୧୩୦୭ଟି ପଦବୀ ଖାଲି ପଡ଼ିଛି ବୋଲି ସେ କହିଛନ୍ତି। ଖାଲିପଡ଼ିଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ଭିତରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସର୍ବାଧିକ ୧୫୭ ପଦବୀ ଖାଲିପଡ଼ିଥିବା ବେଳେ ଉତ୍କଳରେ ୧୩୬ ପଦବୀ ଖାଲି ପଡ଼ିଛି। ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ କୌଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଖଲିକୋଟ ବିଶ୍ୱବିଦ୍ୟାଳୟରେ ୧୧୨, ବିକ୍ରମଦେବ ବିଶ୍ବବିଦ୍ୟାଳୟରେ ୧୧୧, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ୧୦୬ ପଦବୀ ଖାଲି ପଡ଼ିଛି। ସମୁଦାୟ ୧୩୦୭ ଖାଲି ପଦବୀରୁ ୬୩୪ ଆସିଷ୍ଟାଣ୍ଟ ପ୍ରଫେସର, ୪୩୧ଆସୋସିଏଟ୍ ପ୍ରଫେସର ଏବଂ ୨୪୨ ପ୍ରଫେସର ପଦବୀ ରହିଛି।
ନୂଆ ବିଶ୍ୱବିଦ୍ୟାଳୟ ଆଇନ ଆସିଲେ ଏହି ପଦବୀ ପୂରଣ କରାଯିବ ବୋଲି ସେ କହିଛନ୍ତି। ତେବେ ବିଶ୍ବବିଦ୍ୟାୟ ଆଇନ ନେଇ ଅନେକ ବାଧା ସରକାରଙ୍କ ଆଗରେ ରହିଛି। ଏଣୁ ଏହି ଆଇନ କ୍ୟାବିନେଟ ଅନୁମୋଦନ ପାଇ ଗୃହରେ ଉପସ୍ଥାପନ ହୋଇଥିଲେ ସୁଦ୍ଧା ଗତ ଅଧିବେଶନରେ ଆଲୋଚନା ହୋଇପାରି ନଥିଲା। ଏହି ଅଧିବେଶନରେ ମଧ୍ୟ ଏହି ବିଧେୟକ ବାବଦରେ କୌଣସି ଚର୍ଚ୍ଚା ହୋଇ ନାହିଁ। ଏଣୁ ଏହି ଆଇନ ଆସିବା ଆହୁରି ବିଳମ୍ବିତ ହେବା ସ୍ୱାଭାବିକ। ଅପରପକ୍ଷେ ବିଶ୍ୱବିଦ୍ୟାଳୟଗୁଡ଼ିକର ଆବଶ୍ୟକତା ପୂରଣ କରିବା ଲାଗି ସରକାର ୯୬୩ ଜଣଙ୍କୁ ଅତିଥି ଅଧ୍ୟାପକ ଭାବେନ ନିଯୁକ୍ତ ଦେଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।