Lighthouse Tourism Conclave-2024: ପୁରୀରେ ଦୁଇ ଦିନିଆ ‘ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ’ ଉଦ୍‌ଯାପିତ
Advertisement
Article Detail0/zeeodisha/odisha2481115

Lighthouse Tourism Conclave-2024: ପୁରୀରେ ଦୁଇ ଦିନିଆ ‘ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ’ ଉଦ୍‌ଯାପିତ

Lighthouse Tourism Conclave-2024: ଆଜି ପୁରୀରେ ଦୁଇ ଦିନିଆ ‘ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ’ ଉଦ୍‌ଯାପିତ ହୋଇଛି । ଭାରତରେ ଲାଇଟହାଉସ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ବନ୍ଦର, ଜାହାଜ ପରିବହନ ଓ ଜଳମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। 

Lighthouse Tourism Conclave-2024
ଭୁବନେଶ୍ୱର: ଆଜି ପୁରୀରେ ଦୁଇ ଦିନିଆ ‘ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ’ ଉଦ୍‌ଯାପିତ ହୋଇଛି । ଭାରତରେ ଲାଇଟହାଉସ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ବନ୍ଦର, ଜାହାଜ ପରିବହନ ଓ ଜଳମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଓଡିଶାର ପର୍ଯ୍ୟଟନ ସ୍ଥଳଗୁଡିକ ମଧ୍ୟରେ ବତୀଘର ଗୁଡିକ ମଧ୍ୟ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ସ୍ଥାନ ପାଇବ।
 
ସୂଚନାଯୋଗ୍ୟ ଯେ, ଗତ ବର୍ଷ ଗୋଆରେ ପ୍ରଥମ ଲାଇଟହାଉସ ପର୍ଯ୍ୟଟନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏ ବର୍ଷ ଓଡିଶାରେ ଦ୍ୱିତୀୟ ଲାଇଟହାଉସ ପର୍ଯ୍ୟଟନ ମହୋତ୍ସବ ଅନୁଷ୍ଠିତ ହେଉଛି। ବତୀଘର ପର୍ଯ୍ୟଟନରେ ଓଡିଶାକୁ ଯେଉଁ ଗୁରୁତ୍ୱ ଦିଆଯାଇଛି, ସେଥିପାଇଁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ।
 
ସ୍ୱାଧୀନତାର ୭୫ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ଦେଶର ୭୫ଟି ଲାଇଟହାଉସର ବିକାଶ କରାଯାଇଛି। ଏଥିରେ ଓଡିଶାର ୫ଟି ଲାଇଟହାଉସ ସ୍ଥାନ ପାଇଛି। ଏଗୁଡିକ ହେଲା- ଗୋପାଳପୁର, ପୁରୀ, ଚନ୍ଦ୍ରଭାଗା, ଫଲ୍‌ସ ପଏଣ୍ଟ ଓ ପାରାଦୀପ। 
 
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବତୀଘରକୁ ଯେ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ବ୍ୟବହାର କରାଯାଇପାରିବ, ଏହା ସାମାନ୍ୟ ଚିନ୍ତାଧାରାର ବାହାରେ ଥିଲା। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଅସାଧାରଣ ଚିନ୍ତାଧାରା ଓ ଦୂରଦୃଷ୍ଟି ଯୋଗୁ ଆଜି ଆମର ବତୀଘର ଗୁଡିକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ସ୍ଥାନ ପାଇବା ସହିତ ଆମର ନୌବାଣିଜ୍ୟ ଐତିହ୍ୟର ପ୍ରସାର କରୁଛନ୍ତି।
 
ସୂଚନାଯୋଗ୍ୟ ଯେ, ଲାଇଟହାଉସ ଗୁଡିକୁ ବିକଶିତ କରାଯାଇ ଏଥିରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ସୁବିଧାର ବିକାଶ ମଧ୍ୟ କରାଯାଇଛି। ଏଥିରେ ଦର୍ଶକଙ୍କ ବସିବା ପାଇଁ ସେଡ୍, ଝରଣା, ପିଲାଙ୍କ ଖେଳିବା ପାଇଁ ବ୍ୟବସ୍ଥା, ପଥର କାରୁକାର୍ଯ୍ୟ ଓ ଅନ୍ୟାନ୍ୟ ସୁବିଧାର ବିକାଶ ମଧ୍ୟ କରାଯାଇଛି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ସ୍ୟାଣ୍ଡ ଆର୍ଟ, ବୋର୍ଟ ଆର୍ଟ, ବିଚ୍ କ୍ଲିନ୍-ଅପ୍ ଡ୍ରାଇଭ୍, ଯୋଗ ଆଦି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି। ଏହା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଫୁଡ୍ ଫେଷ୍ଟିଭାଲ୍ ଆଦିର ଆୟୋଜନ ମଧ୍ୟ କରାଯାଉଛି। 
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏସବୁ କାର୍ଯ୍ୟକ୍ରମ ଜରିଆରେ ପୁରୀର ବିଭିନ୍ନ ଆକର୍ଷଣୀୟ ସ୍ଥାନ ମଧ୍ୟରେ ବତୀଘର ମଧ୍ୟ ଯୋଡି ହୋଇଯିବ। ମୁଁ ଆଶା କରୁଛି କେନ୍ଦ୍ର ସରକାରଙ୍କ ଏହି ଅଭିନବ କାର୍ଯ୍ୟକ୍ରମ ଯୋଗୁ ଦେଶର ପର୍ଯ୍ୟଟନ ମ୍ୟାପରେ ଓଡିଶାର ଅବସ୍ଥିତ ବତୀଘରଗୁଡିକ ଏକ ପ୍ରମୁଖ ସ୍ଥାନ ଭାବରେ ବିବେଚିତ ହେବ। ଏହା ନିଶ୍ଚିତ ଭାବରେ ଏକ ଅତ୍ୟନ୍ତ ଦୂରଦର୍ଶୀ ସମ୍ପନ୍ନ କାର୍ଯ୍ୟକ୍ରମ ବୋଲି ସେ କହିଥିଲେ। 
 
 ବତୀଘର ବା ଲାଇଟହାଉସ ଆମ ଐତିହାସିକ ବୈଭବର ପରିଚୟ ଦିଏ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଇତିହାସରୁ ଜଣାଯାଏ ଯେ ପ୍ରାଚୀନ ସିନ୍ଧୁ ସଭ୍ୟତାରେ ଏକ ଦୃଢ ନୌବାଣିଜ୍ୟ ପରମ୍ପରା ରହିଥିଲା। ସେ ସମୟରେ ସେଠାରେ ବତୀଘର ପରମ୍ପରା ଥିବାର ଅନୁମାନ ମଧ୍ୟ କରାଯାଏ। ପ୍ରାଚୀନ ଭାରତରେ ତାମିଲନାଡୁର ମହାବଳିପୁରମ ଠାରେ  ଥିବା ଓଲାକାନେଶ୍ୱର ମନ୍ଦିର ଏକ ଲାଇଟହାଉସ ବା ବତୀଘର ଭାବେ ବ୍ୟବହୃତ ହେଉଥିବାର ପ୍ରମାଣ ମିଳେ। ତେଣୁ, ଭାରତର ନୌବାଣିଜ୍ୟ ପରମ୍ପରା ଓ ବତୀଘରର ପ୍ରଚଳନ ଯେ ବହୁ ପୁରାତନ, ଏଥିରେ ସନ୍ଦେହ ନାହିଁ ।
 
ଓଡିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଓଡିଆ ସାଧବ ପୁଅମାନେ ଜାଭା, ସୁମାତ୍ରା ଓ ବାଲି ଦ୍ୱୀପ ସହିତ  ଦକ୍ଷିଣ-ପୂର୍ବ ଏସିଆର ଅନେକ ଦେଶ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲେ। ଆମର ଏହି ନୌବାଣିଜ୍ୟ ପରମ୍ପରା ଓଡିଶାର ଅର୍ଥନୀତିକୁ ସମୃଦ୍ଧ କରିଥିଲା। ସେହି ପରମ୍ପରାର ସ୍ମୃତି ସ୍ୱରୂପ ଆଜି ଓଡିଶାର ବିଭିନ୍ନ ସ୍ଥାନରେ ବାଲିଯାତ୍ରା ଉତ୍ସବ ପାଳନ କରାଯାଉଛି। ବର୍ତ୍ତମାନ ବାଲିଯାତ୍ରା ସହିତ ବତୀଘର ମହୋତ୍ସବ ଯୋଡି ହୋଇ ଓଡିଶାର ପ୍ରାଚୁର୍ଯ୍ୟମୟ ଐତିହ୍ୟର ସ୍ମୃତିଚାରଣ କରିବା ସହିତ ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ମଧ୍ୟ ଆଣିବ।
 
ପୁରୀ ସମୁଦ୍ରକୁଳର ଆକର୍ଷଣ ଉପରେ ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପୁରୀ ହେଉଛି  ଏକମାତ୍ର  ବେଳାଭୂମି ଯେଉଁଠି ବର୍ଷସାରା ଏକ ପ୍ରକାର ଉତ୍ସବମୁଖର ବାତାବରଣ ଦେଖିବାକୁ ମିଳିଥାଏ। ଏହି ଉତ୍ସବର ମାହୋଲ ପୁରୀ ବେଳାଭୂମିକୁ ଦେଶର ଅନ୍ୟାନ୍ୟ ବେଳାଭୂମିଠାରୁ ଅଲଗା ପରିଚୟ ଦେଇଥାଏ। 
 
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ମହାପ୍ରଭୁଙ୍କ ଶ୍ରୀମନ୍ଦିରର ଦ୍ୱାର ଗୁଡିକୁ ବନ୍ଦ କରାଯାଇ ଭକ୍ତ ଓ ଭଗବାନଙ୍କ ମଧ୍ୟରେ କୃତ୍ରିମ ପ୍ରାଚୀର ସୃଷ୍ଟି କରାଯାଇଥିଲା। ବର୍ତ୍ତମାନ ଆମ ସରକାର ଚାରି ଦ୍ୱାର ଖୋଲି ସେ ପ୍ରାଚୀରକୁ  ଦୂରକରି ଜଗନ୍ନାଥ ଦର୍ଶନକୁ ଏକ ଆନନ୍ଦମୟ ମୂହୁର୍ତ୍ତ କରିବା ପାଇଁ ଉଦ୍ୟମ କରିଛନ୍ତି।  ଏହା ସହିତ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ୫୦୦ କୋଟ ଟଙ୍କାର ଏକ କର୍ପସ ପାଣ୍ଠି ମଧ୍ୟ ଗଠନ କରାଯାଇଛି। ନୀତିକାନ୍ତିକୁ ସମୟାନୁବର୍ତ୍ତିତା କରିବା ପାଇଁ ସବୁପ୍ରକାର ଉଦ୍ୟମ କରାଯାଉଛି। ଏଥିସହିତ ଶୃଙ୍ଖଳିତ ତଥା ସୁରକ୍ଷିତ ଦର୍ଶନ କରିବା ପାଇଁ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି।
 
 
ସୂଚନାଯୋଗ୍ୟ ଯେ, ଏହି ଅବସରରେ ପାରାଦୀପ ବନ୍ଦରରେ ଦୁଇଟି ପ୍ରକଳ୍ପର ଉଦ୍‌ଘାଟନ ମଧ୍ୟ କରାଗଲା । ପାରାଦୀପ ବନ୍ଦରରେ ମାଲ ପରିବହନର ସୁବିଧା ପାଇଁ ଗୋଟିଏ ଫ୍ଲାଇ-ଓଭର ଏବଂ ଚାରି ଲେନ୍ ବିଶିଷ୍ଟ ଏକ ସଡକ ମଧ୍ୟ ନିର୍ମାଣ କରାଯାଇଛି। ଏହା ସହିତ କାର୍ଗୋ ହାଣ୍ଡଲିଙ୍ଗରେ ସୁବିଧା ପାଇଁ ଏହାର ଆଧୁନିକୀକରଣ ମଧ୍ୟ କରାଗଲା। ଏହା ଦ୍ୱାରା ଘଣ୍ଟାକୁ ୩୦ ହଜାର ଟନ ଲୁହା ପଥର କାରବାର କରାଯାଇପାରିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ପାରାଦୀପ ବନ୍ଦରର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ନିଶ୍ଚିତ ଭାବରେ ପ୍ରଶଂସନୀୟ।
 
କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ବନ୍ଦର, ଜାହାଜ ପରିବହନ ଓ ଜଳମାର୍ଗ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ କହିଥିଲେ ଯେ ପାରାଦୀପ ବନ୍ଦରର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ପାରାଦୀପ ବନ୍ଦରରେ ଜାହାଜ ନିର୍ମାଣ ଓ ମରାମତି ପାଇଁ ଏକ କ୍ଲଷ୍ଟର ର ବିକାଶ କରାଯିବ ବୋଲି ସେ ଘୋଷଣା କରିଥିଲେ। ଓଡ଼ିଶାର ୪୮୦ କିଲୋମିଟର ଉପକୂଳ ଅଞ୍ଚଳର ସମନ୍ୱିତ ବିକାଶ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ। ସେ କହିଥିଲେ ଯେ ବ୍ରାହ୍ମଣୀ ଓ ମହାନଦୀରେ କାର୍ଗୋ  ପରିବହନ ପାଇଁ କେନ୍ଦ୍ର ସରକାର ସହଯୋଗ ଯୋଗାଇ ଦେବେ।
 
ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡ. ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍‌ ପ୍ରକାଶ ମିଶ୍ର, ପୁରୀ ବିଧାୟକ ଶ୍ରୀ ସୁନିଲ କୁମାର ମହାନ୍ତି,  ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
 
କେନ୍ଦ୍ର ବନ୍ଦର, ଜାହାଜ ପରିବହନ ଓ ଜଳମାର୍ଗ ବିଭାଗର ସଚିବ ଶ୍ରୀଟି.କେ. ରାମଚନ୍ଦ୍ରନ୍ ସ୍ବାଗତ ଭାଷଣ ଦେଇଥିଲେ।
 
ପାରାଦୀପ ବନ୍ଦର ଅଧ୍ୟକ୍ଷ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଯୋଗ ଦେଇଥିଲେ।