Cabinet Decisions: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ “ତୃତୀୟ ଲଞ୍ଚ ପ୍ୟାଡ୍” ସ୍ଥାପନକୁ କେନ୍ଦ୍ର କ୍ୟାବିନେଟ ଦେଲା ମଞ୍ଜୁରି
Advertisement
Article Detail0/zeeodisha/odisha2604110

Cabinet Decisions: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ “ତୃତୀୟ ଲଞ୍ଚ ପ୍ୟାଡ୍” ସ୍ଥାପନକୁ କେନ୍ଦ୍ର କ୍ୟାବିନେଟ ଦେଲା ମଞ୍ଜୁରି

ISRO Third Launch Pad: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ଥିବା ISROର ସତୀଶ ଧାୱନ ମହାକାଶ କେନ୍ଦ୍ରରେ 'ତୃତୀୟ ଲଞ୍ଚ ପ୍ୟାଡ୍' ବା TLP ସ୍ଥାପନକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। କ୍ୟାବିନେଟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରେସକୁ କହିଛନ୍ତି ଯେ କ୍ୟାବିନେଟର ଏହି ନିଷ୍ପତ୍ତି ନୂତନ ପିଢ଼ିର ଲଞ୍ଚ ଯାନ କାର୍ଯ୍ୟକ୍ରମକୁ ଆଗକୁ ନେବାରେ ସାହାଯ୍ୟ କରିବ। ଏହି ଲଞ୍ଚ ପ୍ୟାଡ୍ ୩୯୮୫ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯିବ।

 

ISRO Third Launch Pad

Cabinet Decisions: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ଥିବା ଇସ୍ରୋର ସତୀଶ ଧାୱନ ମହାକାଶ କେନ୍ଦ୍ରରେ ୩,୯୮୫ କୋଟି ଟଙ୍କା ବ୍ୟୟରେ ଏକ ତୃତୀୟ ଲଞ୍ଚ ପ୍ୟାଡ୍ ସ୍ଥାପନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଗୁରୁବାର ଦିନ ଏହି ମଞ୍ଜୁରୀ ପ୍ରଦାନ କରିଛନ୍ତି।

ତୃତୀୟ ଲଞ୍ଚ ପ୍ୟାଡ୍ ପ୍ରକଳ୍ପରେ ISROର ପରବର୍ତ୍ତୀ ପିଢ଼ିର ଲଞ୍ଚ ଯାନ ପାଇଁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ଲଞ୍ଚ ଭିତ୍ତିଭୂମି ସ୍ଥାପନ ଏବଂ ଶ୍ରୀହରିକୋଟାରେ ଦ୍ୱିତୀୟ ଲଞ୍ଚ ପ୍ୟାଡ୍ ପାଇଁ ଷ୍ଟାଣ୍ଡବାଏ ଲଞ୍ଚ ପ୍ୟାଡ୍ ଭାବରେ ସହାୟତା ଯୋଗାଇବା ଅନ୍ତର୍ଭୁକ୍ତ। ଏହା ଭବିଷ୍ୟତର ଭାରତୀୟ ମାନବ ମହାକାଶ ଉଡ଼ାଣ ମିଶନ ପାଇଁ ଉତ୍କ୍ଷେପଣ କ୍ଷମତାକୁ ମଧ୍ୟ ବୃଦ୍ଧି କରିବ।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:
ଟିଏଲପିକୁ ଏଭଳି ଢାଞ୍ଚା ପ୍ରଦାନ କରାଯାଇଛି ଯାହା ଯଥାସମ୍ଭବ ସାର୍ବଜନୀନ ଏବଂ ଅନୁକୂଳ। ଏହା କେବଳ ଏନଜିଏଲଭି ନୁହେଁ, ବରଂ ସେମିକ୍ରାୟୋଜେନିକ ପର୍ଯ୍ୟାୟ ସହିତ ଏଲଭିଏମ-3 ଯାନ ତଥା ଏନଜିଏଲଭିର ଉନ୍ନତ ବିନ୍ୟାସ ବା କନଫିଗୁରେସନକୁ ମଧ୍ୟ ସମର୍ଥନ କରିପାରିବ। ପୂର୍ବବର୍ତ୍ତୀ ଲଞ୍ଚ୍ ପ୍ୟାଡ୍ ପ୍ରତିଷ୍ଠା ଏବଂ ବର୍ତ୍ତମାନ ଲଞ୍ଚ୍ କମ୍ପ୍ଲେକ୍ସ ସୁବିଧାଗୁଡ଼ିକୁ ଅନ୍ୟମାନଙ୍କ ଉପଯୋଗ ପାଇଁ ସର୍ବାଧିକ ସୁବିଧା ଦେବାରେ ଇସ୍ରୋର ଅଭିଜ୍ଞତାକୁ ସମ୍ପୂର୍ଣ୍ଣ ଉପଯୋଗ କରି ଶିଳ୍ପ କ୍ଷେତ୍ରର ସର୍ବାଧିକ ଅଂଶଗ୍ରହଣ ଜରିଆରେ ଏହା ସାକାର ହେବ। ଏହି ପ୍ରକଳ୍ପ ଭାରତୀୟ ମହାକାଶ ଇକୋସିଷ୍ଟମକୁ ଅଧିକ ମହାକାଶଯାନ ଉତକ୍ଷେପଣ ଏବଂ ମାନବ ମହାକାଶ ଉଡ଼ାଣ ଓ ମହାକାଶ ଅନୁସନ୍ଧାନ ମିଶନ ହାତକୁ ନେବା ପାଇଁ ଜାତୀୟ କ୍ଷମତାକୁ ସକ୍ଷମ କରିବ।

ବର୍ତ୍ତମାନ ଭାରତୀୟ ମହାକାଶ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଦୁଇଟି ଲଞ୍ଚ ପ୍ୟାଡ ଉପରେ ନିର୍ଭରଶୀଳ- ପ୍ରଥମ ଲଞ୍ଚ ପ୍ୟାଡ୍ (ଏଫଏଲପି) ଏବଂ ଦ୍ୱିତୀୟ ଲଞ୍ଚ ପ୍ୟାଡ୍ (ଏସଏଲପି)। ପିଏସଏଲଭି ପାଇଁ ୩୦ ବର୍ଷ ପୂର୍ବେ ଏଫଏଲପି ସ୍ଥାପନ କରାଯାଇଥିଲା ଏବଂ ଏହା ପିଏସଏଲଭି ଓ ଏସଏସଏଲଭିର ଉତକ୍ଷେପଣ ନିମନ୍ତେ ଏହାର ଉପଯୋଗ ଜାରି ରହିଛି । ଏସଏଲପିକୁ ମୁଖ୍ୟତଃ ଜିଏସଏଲଭି ଏବଂ ଏଲଭିଏମ ୩ ପାଇଁ ପ୍ରତିଷ୍ଠା କରାଯାଇଥିଲା ଏବଂ ପିଏସଏଲଭି ପାଇଁ ଏହା ଷ୍ଟାଣ୍ଡବାଇ ଭାବେ ମଧ୍ୟ କାର୍ଯ୍ୟ କରିଥାଏ। ଏସଏଲପି ପ୍ରାୟ ୨୦ ବର୍ଷ ଧରି କାର୍ଯ୍ୟକ୍ଷମ ରହିଛି ଏବଂ ଚନ୍ଦ୍ରଯାନ-୩ ମିଶନ ସମେତ ଜାତୀୟ ମିଶନ ଏବଂ  ପିଏସଏଲଭି/ଏଲଭିଏମ-୩ର କିଛି ବ୍ୟବସାୟିକ ମିଶନକୁ ସକ୍ଷମ କରିବା ଲାଗି ଏହା ଉତକ୍ଷେପଣ କ୍ଷମତାକୁ ବୃଦ୍ଧି କରିଛି। ଗଗନଯାନ ଅଭିଯାନ ପାଇଁ ମାନବ ମାନ୍ୟତା ପ୍ରାପ୍ତ ଏଲଭିଏମ-୩ ଉତକ୍ଷେପଣ ନିମନ୍ତେ ମଧ୍ୟ ଏସଏଲପି ପ୍ରସ୍ତୁତ ହେଉଛି।

୨୦୩୫ ମସିହା ସୁଦ୍ଧା ଭାରତୀୟ ମହାକାଶ ଷ୍ଟେସନ (ବିଏଏସ୍) ପ୍ରତିଷ୍ଠା ଏବଂ ୨୦୪୦ ମସିହା ସୁଦ୍ଧା ଭାରତୀୟ ମହାକାଶଯାତ୍ରୀଙ୍କୁ ଚନ୍ଦ୍ରରେ ଅବତରଣ କରାଇବା ସମେତ ଅମୃତ କାଳରେ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ବିସ୍ତାରିତ ଲକ୍ଷ୍ୟ ପାଇଁ ନୂତନ ପ୍ରପଲ୍ସନ ସିଷ୍ଟମ ସହିତ ଏକ ନୂଆ ପିଢ଼ିର ଭାରୀ ଉତକ୍ଷେପଣ ଯାନର ଆବଶ୍ୟକତା ରହିଛି, ଯାହା ବର୍ତ୍ତମାନର ଲଞ୍ଚ ପ୍ୟାଡ ଦ୍ୱାରା ପୂରଣ ହୋଇପାରିବ ନାହିଁ। ଅଧିକ ଭାରୀ ହୋଇଥିବା ପରବର୍ତ୍ତୀ ପିଢ଼ିର ଉତକ୍ଷେପଣ ଯାନଗୁଡିକୁ ଆବଶ୍ୟକତା ପୂରଣ କରିବା ଏବଂ ଏସଏଲପି ପାଇଁ ଏକ ଷ୍ଟାଣ୍ଡବାଇ ଭାବରେ ତୃତୀୟ ଲଞ୍ଚ ପ୍ୟାଡର ତ୍ୱରିତ ପ୍ରତିଷ୍ଠା ଅତ୍ୟନ୍ତ ଆବଶ୍ୟକ, ଯାହାଦ୍ୱାରା ଆଗାମୀ ୨୫-୩୦ ବର୍ଷ ଲାଗି ପରିବର୍ତ୍ତିତ ମହାକାଶ ପରିବହନ ଆବଶ୍ୟକତାକୁ ପୂରଣ କରାଯାଇପାରିବ।