Trending Photos
Weather Updates: ଭୁବନେଶ୍ୱର: ଧିରେ ଧିରେ ହଜିବାକୁ ବସିଲାଣି ଶୀତ। ମାଘ ମାସରେ ଆଉ ହାଡ଼ ଭଳି ଶୀତ ହେଉନାହିଁ। ରେକର୍ଡ ଭାଙ୍ଗୁଛି ତାତି। ଚଳିତ ବର୍ଷ ଜାନୁଆରୀ ମାସରେ ସର୍ବକାଳୀନ ରେକର୍ଡ କରିଛି ତାତି। ସ୍ୱଭାବିକ ଠାରୁ 5 ଡିଗ୍ରୀ ଉପରେ ରହିଛି ତାପମାତ୍ରା। କୋରାପୁଟରେ ବୁଧବାର ଦିନରେ ୩୩.୨ ଡିଗ୍ରୀ ରେକର୍ଡ କରାଯାଇଛି। ଏହାପୂର୍ବରୁ କୋରାପୁଟରେ ୨୦୦୯ ମସିହା ଜାନୁଆରୀ ମାସରେ ସର୍ବାଧିକ ୩୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏଭଳି ସ୍ଥିତିକୁ ଦେଖି ୨୦୦୯ ପରିସ୍ଥିତି ଉପୁଜିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି।
Minimum Temperature Forecast for next 5 days #Odisha #WINTER pic.twitter.com/7q0oCpcVwX
— Meteorological Centre, Bhubaneswar (@mcbbsr) January 22, 2025
ପାଣିପାଗ ବିଭାଗ କହିବା ଅନୁଯାୟୀ ଆଗାମୀ କିଛି ଦିନରେ ରାତି ତାପମାତ୍ରା ବୃଦ୍ଧି ପାଇବ। ରାତିରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆଗାମୀ ୨୬ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଦେଖାଦେଇପାରେ। ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଫୁଲବାଣୀ, ଭବାନୀପାଟଣା, ରାଉରକେଲା ଭଳି କିଛି ସ୍ଥାନକୁ ଛାଡ଼ିଲେ ଅନ୍ୟ ସ୍ଥାନ ଗୁଡିକରେ ତାପମାତ୍ରା ବୃଦ୍ଧି ପାଇବ। ବିଶେଷ କରି ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ଠାରୁ ଢେର ଅଦିକ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୨୬ ତାରିଖ ପର୍ଯ୍ୟନ୍ତ ଫୁଲବାଣୀରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ସେହିପରି ଦିନରେ ତାପମାତ୍ରା ପ୍ରାୟ ସବୁ ସ୍ଥାନରେ ସ୍ୱାଭାବିକ ଠାରୁ ଢେର ଅଧିକ ରହିଛି। ପାରଳାଖେମୁଣ୍ଡିରେ ୩୪.୨ ଡିଗ୍ରୀ ସେଲସିୟସ ଛୁଇଥିବା ବେଳେ ଅଦିକାଂଶ ସ୍ଥାନରେ ପାରଦ ୩୨ ଡିଗ୍ରୀ ଉପରେ ରହିଛି। କୋରାପୁଟ ଭଳି ଥଣ୍ଡା ଅଞ୍ଚଳରେ ଦିନ ତାପମାତ୍ରା ୩୩ ଡିଗ୍ରୀ ଟପିଛି। କେନ୍ଦୁଝର ଓ ଝାରସୁଗୁଡାରେ ଦିନର ତାପମାତ୍ରା ଯେତିକି ରହିବା କଥା ତାଠାରୁ ୪.୮ ଡିଗ୍ରୀ ଅଧିକ ରହିଛି। ସେହିପରି ଅନୁଗୋଳରେ ୨.୮, ବାଲେଶ୍ୱରରେ ୩.୭, ଭୁବନେଶ୍ୱରରେ ୨.୨, ସମ୍ବଲପୁରରେ ୩.୬ ଡିଗ୍ରୀ ଅଧିକ ରହିଛି।
ପାଣିପାଗ ବିଭାଗ କହିଛି ଯେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ କୁହୁଡି ଲାଗି ରହିବ। ୨୩ ତାରିଖ ସକାଳେ ଜଗତସିଂହପୁର, କେନ୍ଦ୍ରାପଡ଼, ଭଦ୍ରକର କିଛି ସ୍ଥାନ ସହିତ କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର, ଅନୁଗୋଳ, ଢେଙ୍ଗାନାଳ, କଳାହାଣ୍ଡି, କନ୍ଧମାଳ, ଝାରସୁଗୁଡା, ସୁନ୍ଦରଗଡ଼ରେ ମଧ୍ୟମ ଧରଣର କୁହୁଡି ହେବ। ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକର ସ୍ଥାନେ ସ୍ଥାନେ କୁହୁଡିର ଆଶଙ୍କା ରହିଛି। ସେହିପରି ଉତ୍ତର ଭାରତ ଉପରେ ପଶ୍ଚିମା ଝଡ଼ର ପ୍ରଭାବ ରହିଛି। ଏପଟେ ବାୟୁମଣ୍ଡଳ ମଧ୍ୟ ଭାଗରେ ଜଳୀୟ ବାଷ୍ପ ନଥିବାରୁ ସୂର୍ଯ୍ୟ କିରଣ ସିଧା ପଡିବାରୁ ତାପମାତ୍ରା ବଢିଛି ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି।
ବୁଧବାର ତାପମାତ୍ରା ଅନୁଯାୟୀ ସୁନ୍ଦରଗଡ଼ରେ ୩୩.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡା ୩୩, ନୂଆପଡ଼ା ୩୨.୪, ଟିଟିଲାଗଡ଼ରେ ୩୨.୫, ଜଗତସିଂହପୁରରେ ୩୨.୫, ସମ୍ବଲପୁରରେ ୩୨.୩, ମାଲକାନଗିରିରେ ୩୨.୨, ତାଳଚେର ୩୨.୨, ଅନୁଗୋଳରେ ୩୨.୧, ନବରଙ୍ଗପୁରରେ ୩୨, ଭୁବନେଶ୍ୱରରେ ୩୧.୯ ଡିଗ୍ରୀ ରେକର୍ଡ କରାଯାଇଛି।