Lightning Strike: ବିଶ୍ୱ ତାପନ କାରଣରୁ କିଛି ଦଶନ୍ଧି ମଧ୍ୟରେ ଭାରତୀୟ ଉପମହାଦେଶରେ ଝଡ଼଼ ତୋଫାନ ଏବଂ ବଜ୍ରପାତ ବୃଦ୍ଧି ପାଇଛି। ଏନେଇ ହୋଇଥିବା ଅନୁସନ୍ଧାନ ଅନୁଯାୟୀ ତାପମାତ୍ରାରେ ପ୍ରତ୍ୟେକ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇଁ ବଜ୍ରପାତ ଘଟଣା ୧୦% ବୃଦ୍ଧି ପାଇପାରେ।
Trending Photos
Lightning Deaths Casualties: ଦେଶର ଅନେକ ରାଜ୍ୟ ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଘୋଷଣା କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏନେଇ କୁହାଯାଉଛି ଯେ ବଜ୍ରପାତ କାରଣରୁ ଦେଶରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ମୃତ୍ୟୁ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ହେଉଥିବା ମୃତ୍ୟୁ ଠାରୁ ଅଧିକ। ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଘୋଷଣା କରିବା ପଛରେ ତର୍କ ହେଉଛି ଯେ ଏପରି ରାଜ୍ୟ ଭାରତ ସରକାରଙ୍କ ଠାରୁ ଆର୍ଥିକ ସହାୟତା ପାଇବେ। ବଜ୍ରପାତ ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ସରକାର ସକ୍ଷମ ହେବେ।
ବର୍ଷା ଋତୁରେ ମେଘ ବାଦଲ ମଧ୍ୟରେ ବଜୁଳି ଚମକିବା ସହ ଭୂମିରେ ପଡ଼ୁଥିବାର ଦେଖାଯାଇଥାଏ। ଯେଉଁ କାରଣରୁ ଅନେକ ଲୋକ ଆହତ ହୋଇଥାନ୍ତି। ବେଳେବେଳେ ଏହା ଗ୍ରାମାଞ୍ଚଳରେ ଏତେ ଦ୍ରୁତ ଗତିରେ ପଡ଼େ ଯେ ଲୋକେ ଏହାର ପ୍ରଭାବରେ ପ୍ରାଣ ହରାଇଥାନ୍ତି। ବର୍ଷା ସମୟରେ ଅଧିକାଂଶ ବଜ୍ରପାତ ହୋଇଥାଏ। ଯଦି ଆପଣ ଖୋଲା ଆକାଶ କିମ୍ବା ଗଛ ତଳେ ଅଥବା ପାଣି କିମ୍ବା ବିଦ୍ୟୁତ ତାର ପାଖରେ ଏବଂ ମୋବାଇଲ୍ ଟାୱାର ନିକଟରେ ଅଛନ୍ତି, ତାହେଲେ ଆପଣ ଅଧିକ ବିପଦରେ ଅଛନ୍ତି। ବଜ୍ରପାତ ହେବା ପଛରେ କାରଣ ରହିଛି। ଆପଣ ଏପରି ବୁଝନ୍ତୁ ଯେ, ଆକାଶରେ ଏକ ବିରାଟ ବୈଦ୍ୟୁତିକ ସ୍ପାର୍କ ରହିଛି। ଯେତେବେଳେ ଟାୱାର, ଉଚ୍ଚ ଗଛ, ଘର କିମ୍ବା ମଣିଷ ସକରାତ୍ମକ ଚାର୍ଜ ହୋଇଯାଏ, ସେତେବେଳେ ସେହି ସକରାତ୍ମକ ବିଦ୍ୟୁତ୍ ବାହାରି ଉପରକୁ ଚାଲିଯାଏ। ଯାହାକୁ ଷ୍ଟ୍ରିମର କୁହାଯାଏ। ବର୍ଷା ଋତୁରେ ମେଘ ବାଦଲର ନିମ୍ନ ଭାଗରେ ଉପସ୍ଥିତ ଥିବା ନକାରାତ୍ମକ ଚାର୍ଜ ଷ୍ଟ୍ରିମର ଆଡକୁ ଆକର୍ଷିତ ହୁଏ। ଯେଉଁ କାରଣରୁ ପୃଥିବୀ ଉପରେ ବ୍ରଜାପତ ହୋଇଥାଏ। ପର୍ବତ ପରି ଉଚ୍ଚ ସ୍ଥାନରେ ବଜ୍ରପାତ ହେବାର ଆଶଙ୍କା ଅଧିକ ରହିଛି।
Lightning Resilient India Campaign ରିପୋର୍ଟ ଅନୁସାରେ ଗତ ୨୦୨୦ ଅପ୍ରେଲରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ଦେଶରେ ୧୮.୫ ନିୟୁତ ଥର ବଜ୍ରପାତ ହୋଇଥିବାର ଆକଳନ କରାଯାଇଥିଲା। ଦିଲ୍ଲୀ ସ୍ଥିତ RMSI ପକ୍ଷରୁ ହୋଇଥିବା ଅଧ୍ୟୟନ ଅନୁଯାୟୀ, ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ହେଉଛି ସେହି ରାଜ୍ୟ ଯେଉଁଠାରେ ନିକଟ ଅତୀତରେ ସର୍ବାଧିକ ବଜ୍ରପାତ ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ ୧୯୬୭ ମସିହାରୁ ୨୦୧୯ ମଧ୍ୟରେ ଦେଶରେ ବଜ୍ରପାତ କାରଣରୁ ୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଯାହାକି ଏହି ସମୟ ମଧ୍ୟରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ହୋଇଥିବା ମୃତ୍ୟୁର ଏକ ତୃତୀୟାଂଶରୁ ଅଧିକ। ଭାରତରେ ବଜ୍ରପାତ କାରଣରୁ ବହୁ ସଂଖ୍ୟକ ମୃତ୍ୟୁ ହେବା ବ୍ୟତୀତ ସମ୍ପତ୍ତି ଏବଂ ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଯଦି ବଜ୍ରପାତକୁ ଏକ ପ୍ରାକୃତିକ ବିପର୍ଯ୍ୟୟ ଘୋଷିତ କରାଯାଏ, ତାହେଲେ ଏହାର ଦ୍ୱାରା ହେଉଥିବା କ୍ଷତି କମ୍ ହେବା ସହିତ ଏହାର ମୁକାବିଲା ପାଇଁ ଉତ୍ତମ ପଦକ୍ଷେପ ମଧ୍ୟ ନିଆଯିବ।
ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରି ବଜ୍ରପାତ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ଅଧୀନରେ ନାହିଁ। ଏହି ପାଣ୍ଠି ବିପର୍ଯ୍ୟୟ ସମୟରେ ରାଜ୍ୟଙ୍କୁ ଆର୍ଥିକ ସହାୟତା ଯୋଗାଇଥାଏ। ଏହି ପାଣ୍ଠି ଅଧିନରେ ଘୂର୍ଣ୍ଣିବଳୟ, ମରୁଡ଼ି, ଭୂକମ୍ପ, ଅଗ୍ନି, ବନ୍ୟା, ସୁନାମି, କୁଆପଥର, ଭୂସ୍ଖଳନ, ବାଘ, ହିମସ୍ଖଳନ, ଶୀତ ଏବଂ ଥଣ୍ଡା ଅନ୍ତର୍ଭୂକ୍ତ ରହିଛି। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ବିପର୍ଯ୍ୟୟ ମୁକାବିଲା ପାଇଁ ପାଣ୍ଠି ଯୋଗାଇଥାନ୍ତି। ଯେଉଁଥିରେ କେନ୍ଦ୍ର ସରକାରଙ୍କ ଭାଗ ୭୫ ପ୍ରତିଶତ ରହିଛି। ବିପର୍ଯ୍ୟୟ ମୁକାବିଲା ପାଣ୍ଠି ଅଧୀନରେ ବ୍ରଜପାତ ସାମିଲ ନହେବାର ଅର୍ଥ ହେଉଛି ଯେ ବଜ୍ର ସମ୍ବନ୍ଧୀୟ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟକୁ ନିଜସ୍ୱ ସମ୍ବଳ ବ୍ୟବହାର କରିବାକୁ ହେବ। ଯାହା ଦ୍ୱାରା ଏହା ରାଜ୍ୟ ପାଇଁ ଏକ ବଡ ଆର୍ଥିକ ବୋଝ ହୋଇପାରେ। ଗରିବ ରାଜ୍ୟ ଲାଗି ଏହା ଏକ ଆହ୍ୱାନ ସଦୃଶ୍ୟ। କାରଣ ସେମାନଙ୍କ ପାଖରେ ସମ୍ବଳର ଅଭାବ ରହିଛି।
ନିକଟରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଉତ୍ତର-ପୂର୍ବ ରାଜ୍ୟ ତଥା ପଶ୍ଚିମବଙ୍ଗ, ସିକ୍କିମ, ଝାଡଖଣ୍ଡ, ଓଡିଶା ଏବଂ ବିହାର ଆଦି ରାଜ୍ୟରେ ବଜ୍ରପାତ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ହୋଇଛି। ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ ଏବଂ ଓଡିଶା ଭଳି ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ଭାରତ ବିଶ୍ୱର କେବଳ ପାଞ୍ଚଟି ଦେଶ ମଧ୍ୟରୁ ଅନ୍ୟତମ, ଯାହା ପାଖର ବଜ୍ରପାତ ପାଇଁ ପ୍ରାରମ୍ଭିକ ଚେତାବନୀ ଜାରି କରିବାର ବ୍ୟବସ୍ଥା ରହିଛି। ଯାହାର ସାହାଯ୍ୟରେ ବଜ୍ରପାତ ହେବାର ୫ ଦିନ କିମ୍ବା ୩ ଘଣ୍ଟା ପୂର୍ବରୁ ଏ ସମ୍ପର୍କିତ ପୂର୍ବାନୁମାନ କରାଯାଇ ପାରିବ।
ବଜ୍ରପାତ ହେବା ସମୟରେ ବିଭିନ୍ନ ରାଜ୍ୟରେ ଦିନ ରାତିର ପାର୍ଥକ୍ୟ ଦେଖିବାକୁ ମିଳିଛି। ଉଦାହରଣ ସ୍ୱରୂପ ପାହାଡ଼ିଆ ରାଜ୍ୟରେ ରାତି ସମୟରେ ବଜ୍ରପାତ ଜନିତ ଘଟଣା ଅଧିକ ଦେଖିବାକୁ ମିଳିଛି। ଅନ୍ୟପଟେ ସମତଳ ଅଞ୍ଚଳରେ ଦିନ ସମୟରେ ବଜ୍ରପାତ ହୋଇଥାଏ। ହିମାଳୟ ଏବଂ ଉତ୍ତର-ପୂର୍ବ ଅଞ୍ଚଳରେ ରାତିରେ ବଜ୍ରପାତ ହୋଇଥାଏ। ଅନ୍ୟପକ୍ଷରେ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ଭଳି ସ୍ଥାନରେ ଅପରାହ୍ନ ସମୟରେ ବଜ୍ରପାତ ଅଧିକ ହୋଇଥାଏ। ଏଠାରେ ସେହି ଲୋକଙ୍କ ଜୀବନ ବିପଦରେ ରହିଛି ଯେଉଁମାନେ ଘର ବାହାରେ କିମ୍ବା କ୍ଷେତରେ କାମ କରନ୍ତି।
ଗତ ୨୦୧୬ ବର୍ଷରୁ ୨୦୨୦ ମଧ୍ୟ ପ୍ରଦେଶ ବଜ୍ରପାତ କାରଣରୁ ୨୩୦୧ ଜଣଙ୍କ ମୃତ୍ୟୁ ହୋଇଛି। ଏହା ପରେ ଓଡ଼ିଶା, ଝାଡଖଣ୍ଡ, ବିହାର ଏବଂ ଉତ୍ତର ପ୍ରଦେଶରେ ବଜ୍ରପାତ କାରଣରୁ ସର୍ବାଧିକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ସମସ୍ତ ରାଜ୍ୟରେ ଦେଶରେ ହୋଇଥିବା ମୋଟ ବଜ୍ରପାତ ମୃତ୍ୟୁର ପ୍ରାୟ ୬୦ ପ୍ରତିଶତ ରହିଛି। ଗତ ୨୦୧୬ ବର୍ଷରେ ମଧ୍ୟ ପ୍ରଦେଶରେ ସର୍ବାଧିକ ସଂଖ୍ୟକ ବଜ୍ରପାତ ଜନିତ ମୃତ୍ୟୁ ହୋଇଥିଲା। ଏହା ପରେ ଝାଡଖଣ୍ଡରେ ୫୪୨ ଜଣଙ୍କ ମୃତ୍ୟୁ ଘଟିଥିଲା। ମୋଟ ୩୮୪ ମୃତ୍ୟୁ ସହ ଉତ୍ତର ପ୍ରଦେଶ ତୃତୀୟ, ୩୭୬ ମୃତ୍ୟୁ ସହ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି। ସେହିପରି ବିହାରରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ୨୮୨ ରହିଛି।
ସେହିପରି ୨୦୧୭ ବର୍ଷରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ପ୍ରଦେଶରେ ୪୫୨, ଓଡ଼ିଶାରେ ୪୪୬, ଝାଡଖଣ୍ଡରେ ୧୫୦, ବିହାରରେ ୨୬୩ ଏବଂ ଉତ୍ତର ପ୍ରଦେଶରେ ୨୧୩ ରହିଛି। ୨୦୧୮ ବର୍ଷରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟପ୍ରଦେଶରେ ୩୮୧, ଓଡିଶାରେ ୨୯୯, ଝାଡଖଣ୍ଡରେ ୨୩୫, ବିହାରରେ ୧୭୭, ଉତ୍ତର ପ୍ରଦେଶରେ ୨୨୦ ରହିଛି। ୨୦୧୯ ବର୍ଷରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟପ୍ରଦେଶରେ ୪୦୦, ଓଡିଶାରେ ୨୭୧, ଝାଡଖଣ୍ଡରେ ୩୩୪, ବିହାରରେ ୪୦୦, ଉତ୍ତର ପ୍ରଦେଶରେ ୩୨୧, ରହିଛି। ୨୦୨୦ ବର୍ଷରେ ଏହି ସଂଖ୍ୟା ମଧ୍ୟ ପ୍ରଦେଶରେ ୪୨୯, ଓଡିଶାରେ ୨୭୫, ଝାଡଖଣ୍ଡରେ ୩୨୬, ବିହାରରେ ୪୩୬, ଉତ୍ତର ପ୍ରଦେଶରେ ୩୦୪ ରହିଛି।
ବିଶ୍ୱ ତାପନ କାରଣରୁ କିଛି ଦଶନ୍ଧି ମଧ୍ୟରେ ଭାରତୀୟ ଉପମହାଦେଶରେ ଝଡ଼଼ ତୋଫାନ ଏବଂ ବଜ୍ରପାତ ବୃଦ୍ଧି ପାଇଛି। ଏନେଇ ହୋଇଥିବା ଅନୁସନ୍ଧାନ ଅନୁଯାୟୀ ତାପମାତ୍ରାରେ ପ୍ରତ୍ୟେକ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇଁ ବଜ୍ରପାତ ଘଟଣା ୧୦% ବୃଦ୍ଧି ପାଇପାରେ। ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବାକୁ ହେଲେ ବଜ୍ରପାତକୁ ଏକ ପ୍ରାକୃତିକ ବିପର୍ଯ୍ୟୟ ଭାବରେ ଅନ୍ତର୍ଭୂକ୍ତ କରିବା ଆବଶ୍ୟକ। ଏହା ବିପର୍ଯ୍ୟୟ ରାଜ୍ୟକୁ ସେମାନଙ୍କ ଭିତ୍ତିଭୂମି ସୃଷ୍ଟି କରିବାରେ ସାହାଯ୍ୟ କରିବ। ଏହା ସହିତ ବଜ୍ରପାତ ଭଳି ସମସ୍ୟାର ମୁକାବିଲା ପାଇଁ ରାଜ୍ୟ ଏଜେନ୍ସି ସାହାଯ୍ୟ ନେବାକୁ ସକ୍ଷମ ହେବେ। ଦୀର୍ଘ ସମୟ ଧରି ଏଭଳି ପ୍ରକାରର ସମସ୍ୟାର ମୁକାବିଲା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇପାରେ।
Indian Institute of Tropical Metrology ପକ୍ଷରୁ କୁହାଯାଇଛି ପାଗରେ ଉଚ୍ଚ ଆର୍ଦ୍ରତା ଏବଂ ତାପମାତ୍ରା ବୃଦ୍ଧି ବଜ୍ରପାତ ଆଶଙ୍କାକୁ ଦ୍ୱିଗୁଣିତ କରିଥାଏ। IITM ଦେଶର ୮୩ ସ୍ଥାନରେ ବଜ୍ର ଚିହ୍ନଟ ଉପକରଣର ଏକ ନେଟୱାର୍କ ନିର୍ମାଣ କରିଛି। ଯାହା ବଜ୍ରପାତର ଗତି ଏବଂ ଦିଗକୁ ସଠିକତାତ ସହିତ ନିର୍ଣ୍ଣୟ କରିପାରିବ। ଜଳବାୟୁ ପରିବର୍ତ୍ତନ ବାୟୁରେ ଅଧିକ ଆର୍ଦ୍ରତା ଏବଂ ଅଧିକ ତାପମାତ୍ରା ସୃଷ୍ଟି କରୁଛି। ବିଶ୍ୱ ତାପନ ପ୍ରଭାବରେ ପ୍ରଭାବିତ ହୋଇଥିବା ଦେଶଙ୍କ ମଧ୍ୟରୁ ଭାରତ ଅନ୍ୟତମ। ଯେଉଠି ସବୁଠାରୁ ଅଧିକ ଅନିୟମିତ ମୌସୁମୀ ବର୍ଷା, ପ୍ରବଳ ଉତ୍ତାପ ଏବଂ ଅପେକ୍ଷାକୃତ ଅଧିକ ବଜ୍ରପାତ ହୋଇଥାଏ। ବିଶେଷଜ୍ଞ ବହୁ ପରିମାଣରେ ସହମତ ହୋଇଛନ୍ତି ଯେ ବଜ୍ରପାତ ଜନିତ ମୃତ୍ୟୁକୁ ରୋକାଯାଇ ପାରିବ। ଏହାର ଯାତ୍ରା କେବଳ ଲୋକଙ୍କ ମଧ୍ୟରେ ପ୍ରାରମ୍ଭିକ ଚେତାବନୀ ଏବଂ ସଚେତନତା ଅଭିଯାନ ଚଳାଇ ସ୍ଥିର କରାଯାଇ ପାରିବ।