Kashmir Dal Lake: ସଦ୍ୟ ଶ୍ରୀନଗରସ୍ଥିତ ଡାଲ ହ୍ରଦରୁ କୁମ୍ଭୀର ପରି ଦେଖାଯାଉଥିବା ଏକ ମାଛ ଉଦ୍ଧାର କରାଯାଇଛି। ଯାହାକୁ ଆଲିଗେଟର୍ ଗାର୍ ଫିସ କୁହାଯାଏ।
Trending Photos
Alligator Gar Fish Found In Dal Lake: ସଦ୍ୟ କାଶ୍ମୀରସ୍ଥିତ ଡାଲ୍ ହ୍ରଦରୁ ଏକ ବିରଳ ତଥା ବିଶେଷ ପ୍ରଜାତିର ମାଛ ଦେଖିବାକୁ ମିଳିଛି। ଏଭଳି ଅଦ୍ଭୂତ ମାଛକୁ ଦେଖିବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି ଲୋକେ। ଉତ୍ତର ଆମେରିକା ମହାଦେଶରେ ଅବସ୍ଥିତ ହ୍ରଦରେ ମିଳୁଥିବା ଏହି ବିଶେଷ ପ୍ରଜାତିର ମାଛ ଭାରତରେ ମିଳିବାକୁ ନେଇ ଲୋକଙ୍କ ମଧ୍ୟରେ ବିଭିନ୍ନ ଆଲୋଚନା ହେଉଛି। ବିଶେଷଜ୍ଞଙ୍କ ଅନୁଯାୟୀ ଏହି ମାଛର ନାମ ହେଉଛି ଆଲିଗେଟର ଗାର ଫିସ୍। ଏହି ମାଛର ପାଟିର ଆକୃତି ହେତୁ ଏହାକୁ କୁମ୍ଭୀର ମୁହାଁ ମାଛ ମଧ୍ୟ କୁହାଯାଏ। ଯାହାକୁ ଦେଖିବାକୁ ବହୁ ଦୂର ଦୂରାନ୍ତରୁ ଲୋକେ ଆସୁଛନ୍ତି।
ଆଲିଗେଟର ଗାର ଫିସ୍ ମିଳିବା ଘଟଣାରେ ପ୍ରତିକ୍ରିୟା ରଖିଲେ ହ୍ରଦ ପରିଚାଳନା କର୍ତ୍ତୃପକ୍ଷ
କାଶ୍ମୀରସ୍ଥିତ ଡାଲ୍ ହ୍ରଦରୁ ଆଲିଗେଟର ଗାର ଫିସ୍ ମିଳିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜାମ୍ମୁ କାଶ୍ମୀର ହ୍ରଦ ସଂରକ୍ଷଣ ଏବଂ ପରିଚାଳନା ପ୍ରାଧିକରଣ । ଏହି କୁମ୍ଭୀର ମୁହାଁ ମାଛକୁ ଏଲସିଏମଏ କର୍ତ୍ତୃପକ୍ଷ (LCMA Authority) ଡାଲ ହ୍ରଦରୁ ଉଦ୍ଧାର କରିଥିଲେ। ଏନେଇ ଜାମ୍ମୁ କାଶ୍ମୀର ଏଲସିଏମଏ ଅନୁସନ୍ଧାନ ଏବଂ ମନିଟରିଂ ବିଭାଗ () ବିଶେଷଜ୍ଞ ମାସୁଦ ଅହମ୍ମଦ କହିଛନ୍ତି ଯେ ଡାଲ ହ୍ରଦ ସଫା କରିବା ସମୟରେ ଏଭଳି ବିରଳ ପ୍ରଜାତିର ମାଛ ମିଳିଥିଲା। ହ୍ରଦ ସଫା କରିବା କାର୍ଯ୍ୟରେ ବ୍ୟବହୃତ ହୋଇଥିବା ମେସିନ ସହାୟତାରେ ଏହି ମାଛ ଦେଖିବାକୁ ମିଳିଥିଲା। ପ୍ରଥମ ଥର ପାଇଁ ଆମେ ଏପରି ଅଦ୍ଭୂତ ମାଛ ଦେଖିଲୁ। ଯାହା ଆଲିଗେଟର ଗାର ଫିସ୍ ନାମରେ ଜଣାଶୁଣା। ଏହା ଆମ ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା। କୁମ୍ଭୀର ପରି ଦେଖାଯାଉଥିବା ଏପରି ମାଛକୁ କେହି ଦେଖି ନ ଥିଲେ। ଆମ ମଧ୍ୟରୁ ଅଧିକାଂଶ ଏହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବର୍ତ୍ତମାନ ଆମେ ମତ୍ସ୍ୟ ବିଭାଗ ସହାୟତାରେ ଏହି ମାଛ ଉପରେ ବିଶ୍ଳେଷଣ କରିବାକୁ ଯାଉଛୁ। ଡାଲ ହ୍ରଦରେ ଏପରି ମାଛ ଅଧିକ ଅଛନ୍ତି ନା ନାହିଁ ତାହା ଜାଣିବାକୁ ଆମେ ଚେଷ୍ଟା କରିବୁ।
କାଶ୍ମୀର ଡାଲ ହ୍ରଦରେ ପ୍ରଥମ ଥର ପାଇଁ ମିଳିଲା
ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଏହି ମାଛ ଏକ ଆକ୍ରମଣାତ୍ମକ ପ୍ରଜାତିର ମାଛ। କାଶ୍ମୀର ଶେର୍-ଇ-କାଶ୍ମୀର କୃଷି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟର ମତ୍ସ୍ୟ ବିଭାଗ ଗବେଷକ ଡକ୍ଟର ଫାରୁକ୍ ଅହମ୍ମଦ ଭଟ୍ଟ କହିଛନ୍ତି ଯେ ପ୍ରଥମ ଥର ପାଇଁ ଡାଲ ହ୍ରଦରେ ଆଲିଗେଟର ଗାର ଫିସ୍ ଦେଖାଯାଇଛି। ଯଦିଓ ଏହି ମାଛ କ୍ଷତିକାରକ ନୁହେଁ, ହେଲେ ଏପର୍ଯ୍ୟନ୍ତ ଆମର ଏହା ଉପରେ କୌଣସି ଅନୁସନ୍ଧାନ ହୋଇନାହିଁ। କାରଣ ଏହା ପ୍ରଥମ ଥର ପାଇଁ ଡାଲ ହ୍ରଦରୁ ମିଳିଇଛି। ଏହି କୁମ୍ଭୀର ମୁହାଁ ମାଛ କିପରି ଡାଲ ହ୍ରଦରେ ପହଞ୍ଚିଛି କିମ୍ବା କାଶ୍ମୀର ସ୍ଥାନୀୟ ମାଛ ପାଇଁ ଏହା କେତେ ମାତ୍ରାରେ ବିପଜ୍ଜନକ ତାହା ଉପରେ ଏକ ଗଭୀର ଅନୁସନ୍ଧାନ କରାଯିବ।
ପୂର୍ବରୁ ଭୋପାଳରେ ଦେଖାଯାଇଥିଲା କୁମ୍ଭୀର ମୁହାଁ ମାଛ ଆଲିଗେଟର ଗାର ଫିସ୍
କୁମ୍ଭୀର ଭଳି ମୁଣ୍ଡ ଏବଂ ତୀକ୍ଷ୍ଣ ଦାନ୍ତ ପାଇଁ ଜଣାଶୁଣା 'ଆଲିଗେଟର୍ ଗାର୍' ମାଛ ପୂର୍ବରୁ ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଳସ୍ଥିତ ଏକ ପୋଖରୀରୁ ମିଳିଥିଲା। ଏହା ପରେ ଭୋପାଳ ମତ୍ସ୍ୟ ବିଭାଗର ସହକାରୀ ନିର୍ଦ୍ଦେଶକ ଏସପି ସୈନି କହିଥିଲେ ଯେ ଏଭଳି ପ୍ରଜାତିର ମାଛ ଦେଶର ଖୁବ୍ କମ୍ ସ୍ଥାନରେ ଦେଖିବାକୁ ମିଳିଥାଏ। ଭୋପାଳକୁ ଏହାର ଆଗମନ ବିଷୟରେ କହିବାକୁ ଗଲେ ବର୍ଷା ଋତୁରେ ଏହା ନିଶ୍ଚିତ ଭାବରେ ନଦୀ ମଧ୍ୟ ଦେଇ ଆସି ଥାଇପାରେ। କିଛି ଲୋକ ଏହି ମାଛ ବିଷୟରେ ନ ଜାଣି ଏହାକୁ ଆକ୍ୱାରିୟମ ମଧ୍ୟରେ ରଖିଥାନ୍ତି। ହେଲେ ଯେତେବେଳେ ଏହା ବଢିବା ଆରମ୍ଭ କରେ, ସେତେବେଳେ ସେମାନେ ଏହାକୁ ନିକଟସ୍ଥ ଜଳାଶୟରେ ଛାଡିଦେଇଥାନ୍ତି। ଏହାକୁ କେରଳରେ ପାଳନ କରାଯାଏ। ଏହି ପ୍ରଜାତିର ମାଛର ଯାଁଳ ୧-୨ ହଜାର ଟଙ୍କାରେ ମିଳିଥାଏ। ବର୍ତ୍ତମାନ ଏହି ମାଛର ଫଟୋ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଏହି ମାଛ ଦେଖିବା ପରେ ଲୋକେ ଜବରଦସ୍ତ ପ୍ରତିକ୍ରିୟା ଦେଉଛନ୍ତି।
କ'ଣ ଏହି ଆଲିଗେଟର୍ ଗାର୍ ଫିସ୍
ନ୍ୟାସନାଲ୍ ଜିଓଗ୍ରାଫିକ୍ ରିପୋର୍ଟ ଅନୁଯାୟୀ, ଆଲିଗେଟର୍ ଗାର୍ ଫିସ ହେଉଛି ଗାର ପରିବାରର ସବୁଠାରୁ ବଡ ପ୍ରଜାତି। ଗାର ମାଛର ଲମ୍ବ ୩ ମିଟର ପର୍ଯ୍ୟନ୍ତ ହୋଇପାରେ। ଛୋଟ ଅବସ୍ଥାରେ ସେମାନଙ୍କର ଓଜନ ୫-୧୦ କିଲୋଗ୍ରାମ ହୋଇପାରେ। ଏହି ମାଛ ଲୁଣି ପାଣିରେ ମଧ୍ୟ ବଞ୍ଚିପାରେ। ସେମାନଙ୍କର ବୟସ ୧୮ ବର୍ଷରୁ ୨୦ ବର୍ଷରୁ ହୋଇଥାଏ। ଗାର୍ ମାଛର ଶରୀର ଟର୍ପିଡୋ ପରି ହୋଇଥାଏ। ଏହାର ରଙ୍ଗ ସାଧାରଣତଃ ବାଦାମୀ କିମ୍ବା ଅଲିଭ୍ ହୋଇଥାଏ। ଏହାର ବଡ ଦାନ୍ତ ରହିଛି। ଏହା ଜଳଜୀବଙ୍କୁ ଖାଇଯାଏ। ଆଲିଗେଟର ଗାର୍ ଫିସ୍ ଦିନରେ ଅଳସୁଆ ଏବଂ ରାତିରେ ସକ୍ରିୟ ହୋଇଉଠେ। ଗାର୍ ମାଛ ସାଧାରଣତ ରାତି ସମୟରେ ଶିକାର କରିଥାଏ। ଯେତେବେଳେ ଏହା ବିପଦ ଅନୁଭବ କରେ, ସେତେବେଳେ ଏହାର ତୀକ୍ଷ୍ଣ ଦାନ୍ତରେ ମଣିଷକୁ ଆଘାତ ପହଞ୍ଚାଇପାରେ।