Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ଦିନକ ପରେ ବିଧାନସଭା
ଗୁରୁବାରଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ। ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ହେବ। ଫେବ୍ରୁଆରି ୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହେବ। ଏହି ଅଧିବେଶନ ଲମ୍ବା ସମୟ ଧରି ଚାଲିବାକୁ ଥିବାରୁ ଗୃହ ବେଶ୍ ସରଗରମ ହେବ। ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ ବହୁ ପ୍ରସଙ୍ଗକୁ ଏକାଠି କରିଛନ୍ତି। ୧୨ ତାରିଖ ତିନି ଦଳର ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରିବେ। ହେଲେ ତାହା ପୂର୍ବରୁ ତିନି ଦଳରେ ମାନସ ମନ୍ଥନ ସରିଲାଣି। ନୂଆ ସରକାରକୁ ଏହା ମଧ୍ୟରେ ୮ ମାସ ପୂରିଲାଣି। ବିଜେପି ସରକାର ପୂର୍ବରୁ ଦୁଇଟି ବିଧାନସଭା ଅଧିବେଶନ ସାମ୍ନା କରି ସାରିଛନ୍ତି।
ଫ୍ରାନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋମବାର ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ପହଞ୍ଚିବା ପରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ୟାରିସର ଓର୍ଲି ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ମଧ୍ୟ ଦିଆଯାଇଥିଲା । ମୋଦୀଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିଆନ୍ ଲେକୋର୍ଣ୍ଣୁ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିବା ସହ ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ।
ବୁଡ ପକାଇଲେ ରାଷ୍ଟ୍ରପତି
ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବୁଡ଼ ପକାଇବା ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବା ସହ ତ୍ରିବେଣୀ ସଙ୍ଗମରେ ପହଞ୍ଚି ପକ୍ଷୀମାନଙ୍କୁ ଦାନା ଦେଇଥିଲେ । ରାଷ୍ଟ୍ରପତିଙ୍କ ସାଙ୍ଗରେ ଥିଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦୀବେନ ପଟେଲ । ପ୍ରୟାଗରାଜରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ ରାଷ୍ଟ୍ରପତି ।
ଭାରତର ଜେଲ୍ରେ ୫୬୪ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ବନ୍ଦୀ, ସୁପ୍ରିମ୍ କୋର୍ଟରେ ଦୁଇବର୍ଷ ହେଲା କାହାକୁ ହୋଇନି ଫାଶି ଆଦେଶ
ଭାରତର ବିଭିନ୍ନ ଜେଲ୍ରେ ଏବେ ୫୬୪ଜଣ ବନ୍ଦୀ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇଛି। ବିଶେଷକରି ହତ୍ୟା ଓ ବଳାତ୍କାର ଭଳି ଜଘନ୍ୟ ଅପରାଧିକ ମାମଲାରେ ଏହି ବନ୍ଦୀମାନେ ଦେଷୀ ସାବ୍ୟସ୍ତ ହୋଇଛନ୍ତି, କିନ୍ତୁ ବିଭିନ୍ନ ତଳ କୋର୍ଟରେ। ସୁପ୍ରିମକୋର୍ଟଙ୍କ ଦ୍ୱାରା କୌଣସି ଗତ ଦୁଇବର୍ଷ ଭିତରେ କୌଣସି ଦୋଷୀଙ୍କ ବିଚାର କରାଯାଇ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇ ନାହିଁ। ନୂଆଦିଲ୍ଲୀସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ପ୍ରୋଜେକ୍ଟ ୩୯ ଏ ଦ୍ୱାରା ଏହା ସ୍ପଷ୍ଟ କରାଯାଇଛି।
୯୮ ଲକ୍ଷ ଅତିକ୍ରମ କଲା ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା
ଚତୁର୍ଥ ପର୍ଯ୍ୟାୟରେ ୧୮ ଲକ୍ଷ ସହ "ସୁଭଦ୍ରା" ମୋଟ ୯୮ଲକ୍ଷ ଅତିକ୍ରମ କରିଛି। ହିତାଧିକାରୀଙ୍କ ନିକଟରେ ସିଧାସଳଖ ଭାବରେ ଟଙ୍କା ପହଞ୍ଚିବା ସୁନିଶ୍ଚିନ୍ତ କରିବାରେ "ନ୍ୟାସନାଲ ପେମେଣ୍ଟ କର୍ପୋରେସନ" (NPCI) ଅତ୍ୟନ୍ତ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରିଛନ୍ତି । Payment Ready Beneficiary- ବା- ହିତାଧିକାରୀ ଯାହାଙ୍କ ଆକାଉଣ୍ଟରେ ଦେୟ ହସ୍ତାନ୍ତର କଲେ ତାହା ପହଞ୍ଚିବା ଏକ ପ୍ରକାର ନିଶ୍ଚିନ୍ତ- ସେଭଳି ହିତାଧୂକାରୀ ଚିହ୍ନଟ କରିବାରେ NPCI ବିଶେଷ ଭାବେ ସହାୟକ ହୋଇଛନ୍ତି ଯାହାଦ୍ବାରା ବହୁତ କମ କ୍ଷେତ୍ରରେ ପେମେଣ୍ଟ ବିଫଳ ହେବା ଦେଖାଯାଉଛି।
ରାଜଧାନୀରେ ଦୁର୍ଘଟଣା; ଦ୍ରୁତ ଗତିରେ ଆସି ଘରେ ପଶିଲା BMW କାର୍
ଆଜି ଭୋର ସମୟରେ ଏକ BMW କାର୍ ରେଡକ୍ରସ୍ ଭବନ ଆଡ଼ୁ ଦ୍ରୁତ ଗତିରେ ଆସି ରାସ୍ତାରେ ଉପରେ ଥିବା ବାରିକେଡ୍କୁ ଧକ୍କା ଦେଇଥିଲା। ପରେ ୪ନଂ ହସ୍ପିଟାଲ ଛକରେ ଥିବା ଘର ଉପରକୁ ଭାରସାମ୍ୟ ହରାଇ ମାଡ଼ି ଯାଇଥିଲା। ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିଲେ। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାର ଲୋକେ। ହେଲେ ଗାଡ଼ି ଧକ୍କାରେ ଘରର କାନ୍ଥ ଭାଙ୍ଗି ଯାଇଥିଲା।
ଆଜି ଠାରୁ ଆରମ୍ଭ ହେବ ‘ଯୋରନ୍ଦା ମେଳା’
ମହିମା ଧର୍ମର ଉତ୍ପତ୍ତି ସ୍ଥଳ ଯୋରନ୍ଦା ମହିମାଗାଦି। ଏଥିପାଇଁ ସଜେଇ ହୋଇଛି ଢ଼େଙ୍କାନାଳର ଯୋରନ୍ଦା ସ୍ଥିତ ମହିମାଗାଦି, ଏହା ମହିମା ଧର୍ମର ମୁଖ୍ୟପୀଠ । ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା । ଏଠାରେ ମହଣ ମହଣ ଘିଅରେ ବିଶ୍ୱର କଲ୍ୟାଣ ପାଇଁ ଜଳିବ ଝାଡ଼ ଦୀପ । ଯୋରନ୍ଦା ସ୍ଥିତ ଏହି ମହିମା ଗାଦିରେ ଚଳିତ ବର୍ଷ ୧୫୨ ତମ ‘ଯୋରନ୍ଦା ମାଘ ମେଳା’ ପାଳନ ହେବାକୁ ଯାଉଛି । ଆଗାମୀ ମଙ୍ଗଳବାର ଠାରୁ ୨ ଦିନ ଧରି ଚାଲିବ ଏହି ମେଳା ।
ବିବାଦ ପରେ ଭୁଲ ମାଗିଲେ ୟୁଟ୍ୟୁବର୍
ଅଶୋଭନୀୟ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦିହେବା ପରେ ଭୁଲ୍ ମାଗିଲେ ୟୁଟ୍ୟୁବର୍ ରଣବୀର ଆହ୍ଲାବାଦିଆ। ଷ୍ଟାଣ୍ଡଅପ୍ କମେଡିଆନ୍ ସମୟ ରାଇନାଙ୍କ ୟୁଟ୍ୟୁବ୍ ସୋ' ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟରେ ଯୋଗଦେଇ ବାପା-ମାଆ ସଂପର୍କରେ ଅତ୍ୟନ୍ତ ଅରୁଚିକର ଓ ଅଶ୍ଳୀଳ ମନ୍ତବ୍ୟ ରଖିଥିଲେ ରଣବୀର। ସେହି ଭିଡିଓ ଭାଇରାଲ୍ ହେବା ପରେ ରଣବୀର ଆହ୍ଲାବାଦିଆ କହିଛନ୍ତି, ମୁଁ ଏଭଳି କହିବା ଉଚିତ ନଥିଲା। ମୁଁ ଏଥିପାଇଁ ଦୁଃଖିତ ବୋଲି ଏକ ଭିଡିଓ ପୋଷ୍ଟରେ କହିଛନ୍ତି ରଣବୀର। ଏଭଳି ମନ୍ତବ୍ୟ ପଛରେ କୌଣସି ଯଥାର୍ଥତା ଦର୍ଶାଇବାକୁ ଚାହୁଁନି। କେବଳ କ୍ଷମା ପ୍ରାର୍ଥନା କରୁଛି। ମଣିଷ ଭାବେ ମୋତେ ଆପଣମାନେ କ୍ଷମା କରିବେ ବୋଲି ମୁଁ ଭାବୁଛି। ଏଥିସହ ଶୋ ନିର୍ମାତାଙ୍କୁ ଭିଡିଓର ସେହି ଅଂଶ ହଟାଇବାକୁ ଦାବି କରିଛନ୍ତି ରଣବୀର।
ସଂଗମ ନଗରୀରେ ପୁଣି ଅସମ୍ଭାଳ ଭିଡ଼
ମହାକୁମ୍ଭରେ ମହାଜାମ୍ । ଟ୍ରେନ୍, ଷ୍ଟେସନ୍, ବସ୍, ରାସ୍ତାଘାଟ । ସବୁଠି ପ୍ରବଳ ଭିଡ଼ । ମହାକୁମ୍ଭରେ ସ୍ନାନ ପାଇଁ ଦେଶର ବିଭିନ୍ନ ଅଞ୍ଚଳରୁ ପ୍ରୟାଗରାଜ ପହଂଚୁଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଗତ ୩ ଦିନରେ ପ୍ରୟାଗରାଜରେ ୧୫ ଲକ୍ଷ ଗାଡି ପହଞ୍ଚିଛି । ପ୍ରତି ଘଣ୍ଟାରେ ୮ ହଜାର ଗାଡି ଆସୁଛି । ସେହିପରି ୟୁପି, ବିହାର, ମଧ୍ୟପ୍ରଦେଶ, ଦିଲ୍ଲୀର ବିଭିନ୍ନ ରେଳ ଷ୍ଟେସନରେ ଖଚାଖଚ ଭିଡ଼ । ଯିଏ କାର କିମ୍ବା ବସରେ ଯାଉଛନ୍ତି ସେମାନେ ୮ରୁ ୧୦ ଘଣ୍ଟା ବିଳମ୍ବରେ ପହଞ୍ଚୁଛନ୍ତି ପ୍ରୟାଗରାଜରେ । ଅନେକ ସ୍ଥାନରେ ପ୍ରୟାଗରାଜ ସହରକୁ ୪ ଚକିଆ ଯାନ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଗାଡି ନେଇ ଯାଉଥିବା ଶ୍ରଦ୍ଧାଳୁଙ୍କୁ ଉତ୍ତରପ୍ରଦେଶ ପ୍ରବେଶ ନ କରିବାକୁ ବାଟରେ ପୋଲିସ ପରାମର୍ଶ ଦେଉଛି । ମାଘ ସ୍ନାନ ପାଇଁ ପ୍ରୟାଗରାଜରେ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼। ସହରକୁ ପ୍ରବେଶ ପାଇଁ ୭ଟି ରାସ୍ତା ଥିବା ବେଳେ ସବୁ ରାସ୍ତାରେ ପ୍ରବଳ ଭିଡ଼ ।
ଉତ୍ତମ ମହାନ୍ତିଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଆ ଫିଲ୍ମ ଜଗତର ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଉତ୍ତମଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କ ପାଖରୁ ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ।ଏଥିସହ ଉତ୍ତମ ମହାନ୍ତିଙ୍କ ପୁଅ ବାବୁସାନଙ୍କ ସହ କଥା ହୋଇଛନ୍ତି ଧର୍ମେନ୍ଦ୍ର। ଚିକିତ୍ସା ପାଇଁ ଯାହା ଆବଶ୍ୟକ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଉତ୍ତମ ମହାନ୍ତିଙ୍କୁ ଭୁବନେଶ୍ବରରୁ ଏୟାରଲିଫ୍ଟ କରାଯାଇ ଦିଲ୍ଲୀ ନିଆଯାଇଥିଲା।