Taliban Attack:ତାଲିବାନ ନେଲା ପ୍ରତିଶୋଧ,ପାକିସ୍ତାନୀ ସେନା ଘାଟି ଉପରେ ଜୋରଦାର ଆକ୍ରମଣ
Advertisement
Article Detail0/zeeodisha/odisha2164834

Taliban Attack:ତାଲିବାନ ନେଲା ପ୍ରତିଶୋଧ,ପାକିସ୍ତାନୀ ସେନା ଘାଟି ଉପରେ ଜୋରଦାର ଆକ୍ରମଣ

ଆଫଗାନିସ୍ତାନରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ମାର୍ଚ୍ଚ ୧୮ ତାରିଖ ସୋମବାର ଦିନ ଆଫଗାନିସ୍ତାନର ସୀମାନ୍ତ ଅଞ୍ଚଳରେ ପାକିସ୍ତାନ ଏୟାର ଷ୍ଟ୍ରାଇକ୍ କରିଥିଲା। 

SOCIAL MEDIA

Taliban Attack: ଆଫଗାନିସ୍ତାନରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ମାର୍ଚ୍ଚ ୧୮ ତାରିଖ ସୋମବାର ଦିନ ଆଫଗାନିସ୍ତାନର ସୀମାନ୍ତ ଅଞ୍ଚଳରେ ପାକିସ୍ତାନ ଏୟାର ଷ୍ଟ୍ରାଇକ୍ କରିଥିଲା। ତାଲିବାନ ପାକିସ୍ତାନର ଏହି ଏୟାର ଷ୍ଟ୍ରାଇକର ପ୍ରତିଶୋଧ ନେବା ପାଇଁ ପାଲଟା ଆକ୍ରମଣ କରିଛି । ତାଲିବାନ ସେନା ସୀମାରେ ଥିବା ପାକିସ୍ତାନର ସାମରିକ ପୋଷ୍ଟକୁ ଟାର୍ଗେଟ କରି ପ୍ରବଳ ବୋମାମାଡ଼ ସହ ଗୁଳିମାଡ଼ କରିଛି ।

କୁହାଯାଉଛି ଯେ ତାଲିବାନ ସୈନିକମାନେ ପାକିସ୍ତାନ-ଆଫଗାନିସ୍ତାନ ସୀମାର ଡୁରାଣ୍ଡ ଲାଇନ ସହିତ ବୁର୍କି ଉପରେ ଆକ୍ରମଣ କରିଥଇଲେ । ଏହି ଆକ୍ରଣରେ  ଅତି କମରେ ତିନିଜଣ ପାକିସ୍ତାନୀ ସୈନିକ ଆହତ ହୋଇଥିବା କୁହାଯାଉଛି । ପାକିସ୍ତାନ ଏବଂ ଆଫଗାନିସ୍ତାନର ସୈନ୍ୟବାହିନୀ ମଧ୍ୟରେ ସୀମାରେ ରକ୍ତାକ୍ତ ସଂଘର୍ଷ ମଧ୍ୟ ହୋଇଥିଲା। ତାଲିବାନ ନେତୃତ୍ୱାଧୀନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ପାକିସ୍ତାନର ଆକ୍ରମଣର ଜବାବରେ ତାଲିବାନ ସେନା ପାକିସ୍ତାନୀ ପୋଷ୍ଟକୁ ଭାରୀ ଅସ୍ତ୍ରଶସ୍ତ୍ର ଦ୍ୱାରା ଟାର୍ଗେଟ କରିଥିଲା। ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଆଫଗାନିସ୍ତାନର ସୁରକ୍ଷା ପାଇଁ କୌଣସି ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁରକ୍ଷା ବାହିନୀ ପ୍ରସ୍ତୁତ ଏବଂ ସବୁ ପରିସ୍ଥିତିରେ ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବ।

ପାକିସ୍ତାନୀ ଆକ୍ରମଣରେ ୮ ଆଫଗାନୀ ନିହତ

ତାଲିବାନ ନେତୃତ୍ୱାଧୀନ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ପାକିସ୍ତାନୀ ଯୁଦ୍ଧ ବିମାନ ପୁଣିଥରେ ଆଫଗାନିସ୍ତାନ ଅଞ୍ଚଳରେ ପ୍ରବେଶ କରି ପକ୍ତିକା ପ୍ରଦେଶର ବାରମେଲ ଜିଲ୍ଲା ତଥା ଖୋଷ୍ଟ ପ୍ରଦେଶର ସେପେରା ଜିଲ୍ଲାର ସାଧାରଣ ନାଗରିକଙ୍କ ଘର ଉପରେ ବୋମା ମାଡ଼ କରିଥିଲା। ଯେଉଁଥିରେ ମହିଳା ଏବଂ ଶିଶୁଙ୍କ ସମେତ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ଏଥିମଧ୍ୟରେ ପାଞ୍ଚଜଣ ମହିଳା ଏବଂ ତିନି ପିଲା ଅଛନ୍ତି।

ତାଲିବାନର ପାକିସ୍ତାନକୁ ଚେତାବନୀ

ପାକିସ୍ତାନର ଏୟାର ଷ୍ଟ୍ରାଇକ ପରେ ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଆଫଗାନିସ୍ତାନର ସାର୍ବଭୌମତ୍ୱର ଉଲ୍ଲଂଘନ କଲେ ଏହାର ଗୁରୁତର ପରିଣାମ ହେବ। ଏହା ସହିତ ତାଲିବାନ ମଧ୍ୟ ପାକିସ୍ତାନର ନବ ଗଠିତ ସରକାରଙ୍କୁ ଅନୁରୋଧ କରିଛି ଯେ ଦୁଇ ପଡୋଶୀ ଦେଶ ମଧ୍ୟରେ ସମ୍ପର୍କକୁ ବିପଦରେ ପକାଇଲା ଭଳି କୌଣସି କାର୍ଯ୍ୟକୁ ଅନୁମତି ନଦିଆଯାଉ ।

ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି

ନିକଟରେ ପାକିସ୍ତାନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଇ ଦେଶ ମଧ୍ୟରେ ଅଭିଯୋଗ ଏବଂ ପ୍ରତିଅଭିଯୋଗ ଜାରି ରହିଛି। ଏହି ଆକ୍ରମଣ ଆଫଗାନିସ୍ତାନର ମାଟିରୁ ହୋଇଛି ବୋଲି ପାକିସ୍ତାନ ଅଭିଯୋଗ କରିଛି। ଅନ୍ୟପକ୍ଷରେ ତାଲିବାନ ପାକିସ୍ତାନର ଏହି ଦାବିକୁ ଭୁଲ ବୋଲି କହିଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଆଫଗାନିସ୍ତାନରେ ପାକିସ୍ତାନ ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକରେ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) କମାଣ୍ଡର ଅବଦୁଲ୍ଲା ଶାହାଙ୍କ ମୃତ୍ୟୁ ଘଟିଛି। ତେବେ ପରେ ଟିଟିପି କମାଣ୍ଡର ଏକ ଭିଡିଓ ଜାରି କରି ପାକିସ୍ତାନୀ ସେନାର ଦାବି ମିଛ ବୋଲି କହିବା ସହିତ ସେ ଦକ୍ଷିଣ ୱାଜିରିସ୍ତାନରେ ଥିବା କଥା କହିଛନ୍ତି।