ଆୟୋଜକ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଓ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟକୁ ଡବଲ୍ ସଫଳତା । ଏକାଠି ହେଲେ ୧୬ ବିଶ୍ୱବିଦ୍ୟାଳୟର ୫୦୦ରୁ ଅଧିକ କ୍ରୀଡ଼ାବିତ୍ ଓ କ୍ରୀଡ଼ାପ୍ରେମୀ
Trending Photos
କଟକ: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସମ୍ମାନଜନକ ଆନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା 'ବୀରୋଦୟ' ମହା ସମାରୋହରେ ସମ୍ପନ୍ନ ହୋଇଛି । ଏହି କ୍ରୀଡ଼ା ମହାକୁମ୍ଭରେ ସ୍ଥାନୀୟ ଅଞ୍ଚଳର ୧୬ରୁ ଅଧିକ ଉଚ୍ଚ ଶିକ୍ଷାନୁଷ୍ଠାନ ଏକାଠି ହୋଇଥିଲେ । ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ମନୋଭାବ, ଏବଂ ବନ୍ଧୁତ୍ୱର ଗଭୀର ନିଦର୍ଶନ ଦେଖିବାକୁ ମିଳିଥିଲା, ଯାହା ପ୍ରତିଯୋଗୀ ଓ ଦର୍ଶକଙ୍କ ମଧ୍ୟରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ବାସ୍କେଟବଲ୍, ଫୁଟବଲ୍, କ୍ରିକେଟ୍, ଭଲିବଲ୍, କବାଡ଼ି ଓ ବ୍ୟାଡମିଣ୍ଟନ୍ ସମେତ ବିଭିନ୍ନ କ୍ରୀଡ଼ାରେ ଆଥଲେଟ୍ ମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ମ୍ୟାଚରେ ଖେଳାଳିମାନଙ୍କର ଉଚ୍ଚସ୍ତରୀୟ ଦକ୍ଷତା, ରଣନୀତି ଏବଂ କ୍ରୀଡ଼ାଦକ୍ଷତା ଦେଖିବାକୁ ମିଳିଥିଲା, ଯାହା ଦର୍ଶକଙ୍କୁ ବେଶ୍ ଉତ୍ସାହିତ କରିଥିଲା । ଏହି କ୍ରୀଡ଼ା ପ୍ରତିଯୋଗିତାକୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି, ଉନ୍ନତ ମାନର ଉପକରଣ, କ୍ରୀଡ଼ାବିତ୍ ଏବଂ ଅଧିକାରୀମାନଙ୍କ ପାଇଁ ଆରାମଦାୟକ ରହଣୀ, ସମସ୍ତଙ୍କ ପାଇଁ ଖାଦ୍ୟ ଷ୍ଟଲ୍ ଏବଂ ପ୍ରାଥମିକ ଚିକିତ୍ସା ଅଧିକ ସଫଳ କରି ତୋଳିଥିଲା । ଏହି ମେଗା ଇଭେଣ୍ଟରେ ପ୍ରାୟ ୫୦୦ରୁ ଅଧିକ କ୍ରୀଡ଼ାବିତ୍ ଓ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ ।
କବାଡ଼ି (ପୁରୁଷ) ଏବଂ କ୍ରିକେଟରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିବା ବେଳେ ଭଲିବଲ୍ (ପୁରୁଷ)ରେ ଡ୍ରିମ୍ସ ବିଶ୍ୱବିଦ୍ୟାଳୟ ଚାମ୍ପିଅନ୍ ହୋଇଥିଲା । ସେହିପରି ଫୁଟବଲରେ ବିର୍ଲା ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟକୁ ସଫଳତା ମିଳିଥିଲା । କବାଡ଼ି (ମହିଳା) ଏବଂ ବାସ୍କେଟବଲ୍ (ପୁରୁଷ) ବିଭାଗରେ ଆୟୋଜକ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ଦୁଇଟି ମେଡାଲ୍ ମିଳିଛି । ଭଲିବଲ୍ (ମହିଳା)ରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏବଂ ବାସ୍କେଟବଲ୍ (ମହିଳା)ରେ ରମାଦେବୀ ବିଶ୍ୱବିଦ୍ୟାଳୟ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଥିଲେ ।
ଉଦଯାପନୀ ଉତ୍ସବରେ ବହୁ ବିଶିଷ୍ଟ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଓ ଅତିଥିମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ମୁଖ୍ୟ ଡ. ବିଜୟଲକ୍ଷ୍ମୀ ମହାନ୍ତି, ଛାତ୍ର କଲ୍ୟାଣ ଡିନ୍ ଜୟପ୍ରକାଶ ଭଟ୍ଟ, କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ, କୁଳପତି ଡ. ତେଜପ୍ରତାପ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ।
ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ପାରମ୍ପରିକ ନୃତ୍ୟ ଏବଂ ସଙ୍ଗୀତଭିତ୍ତିକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମକୁ ଆହୁରି ସରସ ସୁନ୍ଦର କରି ତୋଳିଥିଲା । ଅତିଥିମାନେ କାର୍ଯ୍ୟକ୍ରମରେ କ୍ରୀଡ଼ାବିତ୍ ଓ ଆୟୋଜକମାନଙ୍କର ଉଚ୍ଛ୍ୱସିତ ପ୍ରଶଂସା କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ବିଭିନ୍ନ କ୍ରୀଡ଼ା ବର୍ଗର ବିଜେତା ଓ ଉପବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା। ବିଜେତା ଦଳ ଏବଂ ବ୍ୟକ୍ତିଗତ କ୍ରୀଡ଼ାବିତମାନଙ୍କୁ ସେମାନଙ୍କ କୃତିତ୍ୱ ନିମନ୍ତେ ଟ୍ରଫି, ପଦକ ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।