'ରାଣ୍ଡୀ ପୁଅ ଅନନ୍ତା' ସିନେମାରେ ମୁଖ୍ୟ ଚରିତ୍ର ତଥା ଅନନ୍ତା ଭୂମିକାରେ ଅଭିନୟ କରିଥିବା ନାୟକ ସବ୍ୟସାଚୀ ମିଶ୍ର ଆଜିର ପ୍ରମୋସନାଲ କାର୍ଯ୍ୟକ୍ରମକୁ ନେଇ ଖୁବ ଉତ୍ସାହିତ ଥିଲେ । ନିଜେ ସବ୍ୟ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାଲିଯାତ୍ରା ପଡିଆରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିଥିଲେ କିନ୍ତୁ ହଠାତ ସବୁକିଛି ଓଲଟପାଲଟ ହୋଇଗଲା ।
Trending Photos
ଭୁବନେଶ୍ୱର: ଓଡ଼ିଆ ସଂସ୍କୃତିର ପ୍ରତୀକ ବାଲିଯାତ୍ରା ପଡିଆରେ ଆଜି ନୂଆ ଓଡ଼ିଆ ସିନେମା 'ରାଣ୍ଡୀ ପୁଅ ଅନନ୍ତା'ର ପ୍ରଚାର ହୋଇଥାନ୍ତା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । କିନ୍ତୁ ହଠାତ୍ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ବିୟୋଗ କାରଣରୁ ଏହା ସ୍ଥଗିତ ରଖାଯାଇଛି ।
'ରାଣ୍ଡୀ ପୁଅ ଅନନ୍ତା' ସିନେମାରେ ମୁଖ୍ୟ ଚରିତ୍ର ତଥା ଅନନ୍ତା ଭୂମିକାରେ ଅଭିନୟ କରିଥିବା ନାୟକ ସବ୍ୟସାଚୀ ମିଶ୍ର ଆଜିର ପ୍ରମୋସନାଲ କାର୍ଯ୍ୟକ୍ରମକୁ ନେଇ ଖୁବ ଉତ୍ସାହିତ ଥିଲେ । ନିଜେ ସବ୍ୟ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାଲିଯାତ୍ରା ପଡିଆରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିଥିଲେ କିନ୍ତୁ ହଠାତ ସବୁକିଛି ଓଲଟପାଲଟ ହୋଇଗଲା । ସବ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଥିବା ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ଥିଲା ଯେ, ବିଶ୍ଵ ପ୍ରସିଦ୍ଧ ବାଲିଯାତ୍ରାକୁ ଆଜି ମୁଁ ଆସୁଛି ଉନ୍ମୋଚନ କରିବାକୁ ଏକ "ଅନନ୍ତା Zone", ଖାଣ୍ଟି ଓଡ଼ିଆ ସିନେମା "ରାଣ୍ଡୀ ପୁଅ ଅନନ୍ତା"ର ପ୍ରଚାର ଖାଣ୍ଟି ଓଡ଼ିଆ ସଂସ୍କୃତିର ପ୍ରତୀକ ବାଲିଯାତ୍ରାରେ ଆରମ୍ଭ ହେବ ଆଜି ବିଳମ୍ବିତ ଅପରାହ୍ନ ଠିକ୍ ୫ଟା ସମୟରେ । କିଛି ମଜାଦାର କଣ୍ଟେଷ୍ଟ୍ ମାଧ୍ୟମରେ ବାଲିଯାତ୍ରାରେ ବୁଲୁଥିବା ଲୋକଙ୍କୁ ମିଳିବ "ମୁଁ ବି ଅନନ୍ତା" ଓ "ଆଜିର ଅନନ୍ତା" ଆୱାର୍ଡ । ଅନନ୍ତା ଜୋନ୍ ର ଅନେକ ଗିଫ୍ଟ ଓ ସରପ୍ରାଇଜ୍ ବଢ଼ାଇବ ବାଲିଯାତ୍ରାର ମଜା । ଯାହାର ଠିକଣା ଉପର ବାଲିଯାତ୍ରା ପଡିଆ, ବାରବାଟି ଦୁର୍ଗ ଗେଟ୍ ନିକଟ ଲେନ୍ ନମ୍ୱର ୧ ଥିଲା ।
କିନ୍ତୁ ଏହି ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟକୁ ଏହି ମେସେଜ ଆସିବାର ମାତ୍ର ୨ ଘଣ୍ଟା ପରେ ଆଉ ଏକ ମେସେଜ୍ ଆସିଥିଲା ଅଭିନେତା ସବ୍ୟସାଚୀଙ୍କ ମୋବାଇଲ ନମ୍ୱରରୁ । ଯେଉଁଥିରେ ଲେଖାଥିଲା ଯେ, ହଠାତ୍ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ଦେଙ୍କ ବିୟୋଗର ଖବର ଆମକୁ ମର୍ମାହତ କରିଛି । ସେ କଟକ ସହର ତଥା ଓଡ଼ିଶାର ଜଣେ ପୂଜ୍ୟ ବ୍ୟକ୍ତିତ୍ୱ । ତେଣୁ ଏହି ଗଭୀର ଶୋକର ମୁହୂର୍ତ୍ତରେ ଆମେ କଟକ ବାଲିଯାତ୍ରାରେ ହେବାକୁଥିବା ଆମ ସିନେମା "ରାଣ୍ଡୀ ପୁଅ ଅନନ୍ତା" ର ପ୍ରମୋସନାଲ୍ "ଅନନ୍ତା Zone" ଓ "ମୁଁ ବି ଅନନ୍ତା" Contest ର ଉନ୍ମୋଚନକୁ ଆଜି ସ୍ଥଗିତ କରି ଆସନ୍ତା କାଲି ସନ୍ଧ୍ୟା ୫ଟା ପାଇଁ ଧାର୍ଯ୍ୟ କରୁଛୁ । ମୋ ତରଫରୁ ଓ ରାଣ୍ଡି ପୁଅ ଅନନ୍ତା ସିନେମା ପରିବାର ତରଫରୁ ଆମେ ଆମ ପ୍ରିୟ ସମୀର ଦେ ମହୋଦୟଙ୍କ ଆତ୍ମାର ସଦଗତି କାମନା କରିବା ସହିତ ପରିବାର ବର୍ଗଙ୍କ ପ୍ରତି ସମ ବେଦନା ଜ୍ଞାପନ କରୁଛୁ।
ଆପଣଙ୍କୁ କହିରଖୁଛୁ ଯେ, ବରିଷ୍ଠ ବିଜେପି ନେତା ସମୀର ଦେଙ୍କ ୬୭ ବର୍ଷ ବୟସରେ କଟକର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ନିମୋନିଆ, କିଡ୍ନୀ, ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିବା କାରଣରୁ ଦୀର୍ଘଦିନରୁ ଚିକିତ୍ସାଧୀନ ଥିଲେ ସମୀର । ପୂର୍ବତନ ମନ୍ତ୍ରୀ ସମୀର ଦେ' ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବର୍ଗତଃ ଦେ ଜଣେ ଲୋକପ୍ରିୟ ଜନ ନେତା ଓ ଦୃଢ଼ ସଂଗଠକ ଥିଲେ। ଉଚ୍ଚ ଶିକ୍ଷା ଓ ନଗର ଉନ୍ନୟନ ମନ୍ତ୍ରୀ ଭାବରେ ସେ ରାଜ୍ୟର ବିକାଶରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖି ଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, କନକବର୍ଦ୍ଧନ ସିଂଦେଓଙ୍କ ସମେତ ବିରୋଧୀଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
Also Read- ବିଜେପିରେ ମିଶିଲେ କୈଳାସ ଗେହଲଟ, କେଜ୍ରିୱାଲ ଦେଲେ ପ୍ରତିକ୍ରିୟା