ବନ୍ୟାକୁ କେମିତି ନିୟନ୍ତ୍ରଣ କରୁଛି ହୀରାକୁଦ ଡ୍ୟାମ? ଜାଣନ୍ତୁ ବିସ୍ତୃତ ତଥ୍ୟ
Advertisement
Article Detail0/zeeodisha/odisha2355619

ବନ୍ୟାକୁ କେମିତି ନିୟନ୍ତ୍ରଣ କରୁଛି ହୀରାକୁଦ ଡ୍ୟାମ? ଜାଣନ୍ତୁ ବିସ୍ତୃତ ତଥ୍ୟ

ସାଧାରଣ ଭାବରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୫୯୦ ଫୁଟରୁ ୬୩୦ ଫୁଟ ମଧ୍ୟରେ ରହିବା କଥା । ୬୩୦ ଫୁଟ ଜଳସ୍ତର ଛୁଇଁଲେ ବିପଦ ସଂକେତ ଛୁଇଁଲା ବୋଲି ଆମେ ଆଶଙ୍କା କରିବା । 

ବନ୍ୟାକୁ କେମିତି ନିୟନ୍ତ୍ରଣ କରୁଛି ହୀରାକୁଦ ଡ୍ୟାମ? ଜାଣନ୍ତୁ ବିସ୍ତୃତ ତଥ୍ୟ

ସମ୍ବଲପୁର: ହୀରାକୁଦ କେବଳ ସମ୍ୱଲପୁର ନୁହେଁ ବରଂ ସାରା ରାଜ୍ୟକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଏହି ନଦୀବନ୍ଧ ଯୋଜନା ମୁଖ୍ୟତଃ ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପାଇଁ ନିର୍ମାଣ କରାଯାଇଥିଲା । ହୀରାକୁଦ ଡ୍ୟାମ ୧୯୫୩ ମସିହାରେ ନିର୍ମାଣ ହୋଇଥିବା ବେଳେ ୧୩ ଜାନୁଆରୀ ୧୯୫୭ ମସିହାରେ ଅନୁଷ୍ଠାନିକ ଭାବେ ସେତେବେଳର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ଏହାର ଉଦଘାଟନ କରିଥିଲେ ।

ମୁଖ୍ୟତଃ ବର୍ଷା ମାସରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଲେ ବନ୍ୟା ଜଳ ପ୍ରବେଶ କରି ଗାଁ ଗଣ୍ଡାକୁ ଜଳମଗ୍ନ କରି ଦେଉଥିଲା । ଏହା ଦ୍ୱାରା ପ୍ରତ୍ୟେକ ବର୍ଷ ଅନେକ ଧନ ଜୀବନ ନଷ୍ଟ ହେବା ସହ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଘଟୁଥିଲା । ତାହାକୁ ଆଖିଆଗରେ ରଖି ହୀରାକୁଦ ନଦୀ ବନ୍ଧର ନିର୍ମାଣ କରାଯାଇଥିଲା । ଏହା ଏସିଆର ଦୀର୍ଘତମ ମାଟିବନ୍ଧ ବୋଲି କୁହାଯାଏ । ଏଇଠି ଡ୍ୟାମ ବନ୍ଧା ହେଲା ପରେ ଅଂଚଳରେ ପାନୀୟ ଜଳ, ବିଦ୍ୟୁତ ଯୋଗାଣ, କୃଷି ପାଇଁ ଜଳ ଯୋଗାଣ ଇତ୍ୟାଦି ସୁରୁଖୁରୁରେ ହୋଇପାରୁଛି । ରୁଲ କର୍ଭ ଅନୁଯାୟୀ ହୀରାକୁଦ ଜଳ ଭଣ୍ଡାରରେ ଅଗଷ୍ଟ ମାସ ଆରମ୍ଭରେ ୬୦୫ ଫୁଟରୁ ଅଧିକ ଜଳ ରହିଥାଏ । ଉପରମୁଣ୍ଡରେ ବର୍ଷାକୁ ନେଇ ଜଳ କମ ବେଶୀ ହୋଇଥାଏ । କିନ୍ତୁ ଉପରମୁଣ୍ଡ ଛତିଶଗଡ ପଟେ ବର୍ଷା ବେଶୀ ହେଲେ ହୀରାକୁଦ ଜଳ ଭଣ୍ଡାରର ଜଳ ସ୍ତର ବୃଦ୍ଧି ପାଇଥାଏ ।

ସାଧାରଣ ଭାବରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୫୯୦ ଫୁଟରୁ ୬୩୦ ଫୁଟ ମଧ୍ୟରେ ରହିବା କଥା । ୬୩୦ ଫୁଟ ଜଳସ୍ତର ଛୁଇଁଲେ ବିପଦ ସଂକେତ ଛୁଇଁଲା ବୋଲି ଆମେ ଆଶଙ୍କା କରିବା । ଏଥିସହ ୫୯୦ ଫୁଟ ଜଳ ସ୍ତର ରହିଲେ ଜଳ ପରିଚାଳନା ବିଦ୍ୟୁତ ଉତ୍ପାଦନ, କୃଷି ଇତ୍ୟାଦିରେ ଏହାର ପ୍ରଭାବ ପଡିବ ବୋଲି ଆମେ ଜାଣି ପାରିବା । ସେହିଭଳି ଭାବରେ ଜଳ ପରିଚାଳନା ପାଇଁ ନଦୀ ବନ୍ଧରେ ୬୦୫ ଫୁଟରୁ ଉର୍ଦ୍ଧ ହେଲେ ଡ୍ୟାମରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରିବାର ସମ୍ଭାବନା ରହିଥାଏ । ହୀରାକୁଦ ଜଳ ଭଣ୍ଡାରରେ ୬୪ ଟି ସ୍ଲୁଇସ ଗେଟ ରହିଥିବା ବେଳେ ୩୪ ଟି କ୍ରେଷ୍ଟ ଗେଟ ରହିଛି । ସର୍ବମୋଟ ୯୮ ଟି ଗେଟ ହୀରାକୁଦ ଜଳଭଣ୍ଡାରରେ ରହିଛି । ବାମ ପଟେ ସ୍ଲୁଇସ ଗେଟ ୪୦ ଟି ରହିଥିବା ବେଳେ ଡାହାଣ ପଟେ ୨୪ ଟି ରହିଛି । ସେହିଭଳି ଭାବରେ କ୍ରେଷ୍ଟ ଗେଟ ବାମ ପଟେ ୨୧ ଟି ରହିଥିବା ବେଳେ ଡାହାଣ ପଟେ ୧୩ ଟି ରହିଛି । ବନ୍ୟଜଳ ନିଷ୍କାସନ ମୁଖ୍ୟତଃ ସ୍ଲୁଇସ ଗେଟ ଦେଇ ହୋଇଥାଏ । ଗୋଟିଏ ଗେଟ ଦେଇ ଡ୍ୟାମର ଜଳସ୍ତରକୁ ଦେଖି ସେକେଣ୍ଡ ପ୍ରତି ୧୫ ହଜାରରୁ ସାଢେ ଷୋହଳ ହଜାର କ୍ୟୁଷେକ ଜଳ ନିଷ୍କାସନ ହୋଇଥାଏ । ବର୍ଷର ପ୍ରଥମ ବନ୍ୟା ଜଳ ଡାହାଣ ପଟର ସାତ ନମ୍ବର ସ୍ଲୁଇସ ଗେଟ ଦେଇ ନିଷ୍କାସନ କରାଯାଇଥାଏ । ପୂର୍ବରୁ ସମସ୍ତ ଗେଟ ଗୁଡିକୁ ଗ୍ରୀସିଂ କରି ମକ ଡ୍ରିଲ କରାଯାଇଥାଏ ।

ବନ୍ୟାଜଳ ନିଷ୍କାସନ ପୂର୍ବରୁ ସତର୍କ ସୂଚନା ଜାରି କରାଯିବା ସହ ମହାନଦୀ ଅବବାହିକାରେ ଥିବା ଜିଲ୍ଲାପାଳ କିମ୍ବା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଜାରି କରାଯାଇଥାଏ । ହୀରାକୁଦରେ ଗେଟ ଦ୍ୱାରା ପାଣି ଛଡ଼ାଯିବାର ୩୬ ରୁ ୩୮ ଘଣ୍ଟା ମଧ୍ୟରେ ଏହା କଟକର ମୁଣ୍ଡଳୀ ନିକଟରେ ପହଞ୍ଚିଥାଏ । ଏ ସବୁକୁ ଦେଖିଲା ବେଳେ ହୀରାକୁଦ ଓ ମହାନଦୀ ହେଉଛି ଓଡ଼ିଶାସୀଙ୍କ ଜୀବନ ରେଖା । ଏହା ଦ୍ୱାରା ମୁଖ୍ୟତଃ ବନ୍ୟା ନିୟନ୍ତ୍ରଣ, ବିଦ୍ୟୁତ ଉତ୍ପାଦନ, କୃଷି, ଇତ୍ୟାଦି ଗୁଡ଼ିକୁ ସହାୟକ ହୋଇଥିବା ବେଳେ ଏବେ ଗଙ୍ଗାଧର ଯୋଜନାରେ ସୁଦୂର ବରଗଡ଼ ଜିଲ୍ଲାର ବିଜେପୁରକୁ ମଧ୍ୟ କୃଷି ପାଇଁ ଜଳ ଯୋଗାଣ କରାଯାଉଛି । ଏ ବର୍ଷ ଜୁଲାଇ ୨୮ (ରବିବାର) ଦିନ ପ୍ରଥମ କରି ବନ୍ୟା ଜଳ ନିଷ୍କାସନ କରାଯିବ । ସେଥିପାଇଁ ମହାନଦୀ ଅବବାହିକାରେ ସତର୍କ ସୂଚନା ଜାରି କରାଯାଇଛି । ସେଦିନ ସକାଳୁ ପୂଜାର୍ଚନା ସହ ସାତ ନମ୍ବର ଗେଟ ଦେଇ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ନଦୀ ବନ୍ଧର ମୁଖ୍ୟ ଯନ୍ତ୍ରୀ ଇଞ୍ଜିନିଅର ସୁଶୀଲ କୁମାର ବେହେରା ।

Also Read- Mangal Gochar 2024: ଅଗଷ୍ଟ ୧୬ ପର୍ଯ୍ୟନ୍ତ ୩ ରାଶିର ଭାଗ୍ୟରେ ଧନର ବର୍ଷା