Trending Photos
Satakosia: ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ଟିକରପଡ଼ାର ସତକୋଶିଆ ଅଭୟାରଣ୍ୟ ମହାନଦୀଅଞ୍ଚଳରେ ୧୬ଟି ଘଡ଼ିଆଳ କୁମ୍ଭୀର ଛଡ଼ାଯିବ। ଏଥିପାଇଁ ଘଡିଆଳ ପୁନଃଉଦ୍ଧାର ପ୍ରକଳ୍ପ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଡିସେମ୍ବରରେ ୮ଟି ଓ ୨୦୨୫ ମସିହାରେ ଅବଶିଷ୍ଟ ୮ଟି କୁମ୍ଭୀର ଛଡ଼ାଯିବ ବୋଲି ନନ୍ଦନକାନନ ଜୀବ ବିଜ୍ଞାନୀ ଡ. ରାଜେଶ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଡ. ମହାପାତ୍ର କହିଛନ୍ତି ଯେ ବନବିଭାଗ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡ. ସୁଶାନ୍ତ ନନ୍ଦ ଏବଂ ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି ନାୟାରଙ୍କ ମାର୍ଗଦର୍ଶନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ୧୪ଟି ଡିଭିଜନର ବନକର୍ମଚାରୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଏହା କରାଯାଉଛି।
ଛଡ଼ାଯାଉଥିବା କୁମ୍ଭୀରଙ୍କ ଗତିବିଧି ଜାଣିବା ପାଇଁ ସେମାନଙ୍କ ଶରୀରରେ ଟ୍ରାନ୍ସମିଟର ଲଗାଯିବ। ସାଧାରଣତଃ ଘଡ଼ିଆଳ କୁମ୍ଭୀର ମଣିଷଙ୍କର କୌଣସି କ୍ଷତି କରିନଥାନ୍ତି। ସେମାନେ ମାଛ ଖାଇ ବଞ୍ଚିଥାଆନ୍ତି। ମହାନଦୀରେ ଛଡ଼ାଯିବାକୁ ଥିବାରୁ ଏହି ଶ୍ରେଣୀର କୁମ୍ଭୀରଙ୍କୁ ଭୟ ନ କରିବାକୁ ଡ. ମହାପାତ୍ର ଜନସାଧାରଣଙ୍କୁ ସେଚତନ କରାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପୃଥିବୀରେ ଘଡିଆଳ କୁମ୍ଭୀର ବଂଶ ବିପଦରେ ରହିଛି। ୨୦୦୭ ମସିହାରେ ଆଇୟୁସିଏନ ପକ୍ଷରୁ ଏହାକୁ ରେଡ ଲିଷ୍ଟ ଭାବେ ବିବେଚନା କରାଯାଇଛି।