Karnataka Election 2023: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିପାରେ ୫ କାରଣ
Advertisement
Article Detail0/zeeodisha/odisha1689126

Karnataka Election 2023: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିପାରେ ୫ କାରଣ

Karnataka Assembly Election 2023: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମେ ୧୦ ତାରିଖ ବୁଧବାର ଅନୁଷ୍ଠିତ ହୋଇଯାଇଛି ଭୋଟ ଗ୍ରହଣ।  ହେଲେ ଏହି ନିର୍ବାଚନ ସହ ଜଡ଼ିତ ୫ କାରଣ ଏବେ ଚର୍ଚ୍ଚାରେ ରହିଛି। 

Karnataka Election 2023: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିପାରେ ୫ କାରଣ

Karnataka Election Major Factors: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଜାରି ରହିଛି ମତଦାନ। ମେ ୧୦ ତାରିଖ ବୁଧବାର ସନ୍ଧ୍ୟାରେ ରାଜ୍ୟର ସମସ୍ତ ୨୨୪ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ମଧ୍ୟରେ କଏଦ ହୋଇଯିବ। ମତଦାନ ପରେ ଆସନ୍ତା ୧୩ ତାରିଖରେ ପ୍ରକାଶ ପାଇବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ। ରାଜ୍ୟରେ ବର୍ତ୍ତମାନ ବିଜେପି ସରକାର କ୍ଷମତାସୀନ ରହିଛି। ଏହି ନିର୍ବାଚନରେ ​​ବିଜୟୀ ହୋଇ ପୁନର୍ବାର ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଛି ବିଜେପି। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ହେଉଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନର ପ୍ରଭାବ ସୁଦୂରପ୍ରସାରୀ ଭାବରେ ଦେଖାଯାଉଛି।

ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ୨୦୨୩ ​କର୍ଣ୍ଣାଟକ ବିଧାନସଭା ନିର୍ବାଚନର ପ୍ରଭାବ ଅନୁଭୂତ ହେବ ବୋଲି ବିଶ୍ୱାସ କରାଯାଏ। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ନେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଠାରୁ ନେଇ ବିଭିନ୍ନ ଦଳର ବହୁ ହେଭିୱେଟ ନେତାଙ୍କ ପ୍ରାୟ ସମସ୍ତ ଦଳର ବରିଷ୍ଠ ନେତା ସମଗ୍ର ରାଜ୍ୟରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବା ସହ ସାଧାରଣ ସଭା ଏବଂ ରାଲି କରିଥିଲେ। ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ଲିଙ୍ଗାୟତ ଭୋଟ୍ ବ୍ୟାଙ୍କ, ଭୋକାଲିଗା ଭୋଟ୍ ବ୍ୟାଙ୍କ, ସରକାର ବିରୋଧୀ ହାୱା ଏବଂ ଅନ୍ୟାନ୍ୟ କାରଣ ଉପରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଜାଣନ୍ତୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ଯାହାକୁ ନେଇ ଗଣମାଧ୍ୟମରେ ଚାଲିଛି ଚର୍ଚ୍ଚା। 

ଲିଙ୍ଗାୟତ ଭୋଟ୍ ବ୍ୟାଙ୍କ
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​ଲିଙ୍ଗାୟତ ସମ୍ପ୍ରଦାୟର ମତଦାତା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ରାଜ୍ୟରେ ସେମାନଙ୍କ ଜନସଂଖ୍ୟା ହେଉଛି ପାଖାପାଖି ୧୮ ପ୍ରତିଶତ। କର୍ଣ୍ଣାଟକ ରାଜନୀତିରେ ​ଲିଙ୍ଗାୟତ ମତାଦାତା  ରାଜ୍ୟର ପ୍ରାୟ ୫୦ ବିଧାନସଭା ଆସନରେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥାନ୍ତି। ଏହି କାରଣରୁ ବିଜେପି, କଂଗ୍ରେସ ଏବଂ ଜେଡିଏସ୍ ରାଜ୍ୟର ଏହି ୩ ପ୍ରମୁଖ ରାଜନୈତିକ ଦଳ ଲିଙ୍ଗାୟତ ସମ୍ପ୍ରଦାୟର ମତଦାାତାଙ୍କୁ ସମର୍ଥନ ହାତେଇବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଯଦିଓ କର୍ଣ୍ଣାଟକ ରାଜନୀତିରେ ଲିଙ୍ଗାୟତ ମତଦାତା ହେଉଛନ୍ତି ବିଜେପି ଦଳର ପାରମ୍ପରିକ ଭୋଟବ୍ୟାଙ୍କ। ବିଜେପି ପ୍ରତିଷ୍ଠା ହେବା ପର ଠାରୁ ଲିଙ୍ଗାୟତ ସମ୍ପ୍ରଦାୟର 
ସମର୍ଥନ ହାସଲ କରିବାରେ ସଫଳ ହୋଇଛି। ଏଥର ମଧ୍ୟ ଏହି ସମ୍ପ୍ରଦାୟର ଦୁଇ ବଡ ନେତା ବିଜେପି ସହ ଅଛନ୍ତି। ସେମାନେ ହେଉଛି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରାପ୍ପା। ଏଭଳି ପରିସ୍ଥିତିରେ ଯଦି ଏହି ସମ୍ପ୍ରଦାୟ ମଧ୍ୟ ଏଥର ବିଜେପି ଉଦ୍ଦେଶ୍ୟେ ସମର୍ଥନ ଜଣାଇବା ଜାରି ରଖେ ତାହେଲେ ବିଜେପି ପୁଣି ଥରେ ସରକାର ଗଠନ କରିପାରେ। 

ଭୋକାଲିଗା ଭୋଟ୍ ବ୍ୟାଙ୍କ
କର୍ଣ୍ଣାଟକ ରାଜନୀତିର ଭୋକାଲିଗା ସମ୍ପ୍ରଦାୟର ଜନସଂଖ୍ୟା ହେଉଛି ପ୍ରାୟ ୧୬ ପ୍ରତିଶତ। ଦୀର୍ଘ ଦିନ ଧରି କର୍ଣ୍ଣାଟକରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ନିର୍ବାଚନରେ ଲିଙ୍ଗାୟତ ପରେ ଭୋକାଲିଗା ସମ୍ପ୍ରଦାୟର ମତଦାତା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ଗୁରୁତ୍ୱ କଥା ହେଉଛି କର୍ଣ୍ଣାଟକ ରାଜନୀତିରେ ​ଲିଙ୍ଗାୟତ ସମ୍ପ୍ରଦାୟର ମତଦାତା ବିଜେପି ଦଳର ପାରମ୍ପରିକ ଭୋଟବ୍ୟାଙ୍କ ହୋଇ ରହିଆସିଛନ୍ତି। ହେଲେ ଭୋକାଲିଗା ସମ୍ପ୍ରଦାୟର ସମର୍ଥନ ପାଇବାରେ ବିଜେପି ସେତେ ମାତ୍ରାରେ ସଫଳ ହୋଇନାହିଁ ବୋଲି କୁହାଯାଏ। ଏହା ସହିତ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ଭୋକାଲିଗା ସମ୍ପ୍ରଦାୟରୁ ଆସୁଛନ୍ତି। ଯିଏ ତାଙ୍କ ଦଳର ଏକ ବଡ଼ ଚେହେରା ହୋଇ ରହିଛନ୍ତି। ସେମାନଙ୍କ ବ୍ୟତୀତ, ଆହୁରି ଅନେକ ନେତା ଅଛନ୍ତି, ଯେଉଁମାନେ ଭୋକାଲିଗା ସମ୍ପ୍ରଦାୟରେ ନିଜର ଉପସ୍ଥିତି ମଜବୁତ ରଖିଛନ୍ତି। ସେମାନେ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା, ଜେଡିଏସ ମୁଖ୍ୟ ଏଚଡି କୁମାର ସ୍ୱାମୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଡିଭି ସଦାନଦ ଗୌଡ଼ା, ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଶୋଭା କରଣ୍ଡଲାଜେ। ଏଥର ବିଜେପି ଭୋକାଲିଗା ସମ୍ପ୍ରଦାୟର ସମର୍ଥନ ହାତେଇବାକୁ ରଣନୀତି ପ୍ରସ୍ତୁତ କରିଛି। 

ସରକାର ବିରୋଧୀ ହାୱା
୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ରାଜ୍ୟର କ୍ଷମତାସୀନ ବିଜେପି ସରକାର ବିରୋଧରେ ବହୁଥିବା ହାୱା ରୁ ଫାଇଦା ଉଠାଇବାକୁ ଯୋଜନା କରିଛି ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ। ଏଥର ବିଧାନସଭା ନିର୍ବାଚନରେ ​​କଂଗ୍ରେସ ପକ୍ଷରୁ ଲଗାଯାଇଥିବା ନିର୍ବାଚନ ପୋଷ୍ଟର ଉପରୁ ଦଳର ହାଇକମାଣ୍ଡ ଗାଏବ ହୋଇଯାଇଛନ୍ତି। ପୋଷ୍ଟର ଉପରେ କେବଳ କର୍ଣ୍ଣାଟକ କଂଗ୍ରେସ ନେତାଙ୍କୁ ଦେଖିବାକୁ ମିଳୁଛି। ଏହା ବ୍ୟତୀତ ନିର୍ବାଚନ ସାଧାରଣ ସଭା ତଥା ସମାବେଶରେ ସ୍ଥାନୀୟ ସମସ୍ୟାକୁ ନିର୍ବାଚନରେ ପ୍ରସଙ୍ଗ ଭାବରେ ଉପସ୍ଥାପନ କରିଛି କଂଗ୍ରେସ। ଏହା ସହିତ ଏହି ନିର୍ବାଚନ ଶେଷ ହେବା ପରେ ବିଜେପି ବଜରଙ୍ଗବାଲୀ ଏବଂ ବଜରଙ୍ଗ ଦଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସଙ୍ଗ କରିବାକୁ ଚାହୁଁଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପ୍ରସଙ୍ଗରେ ଖୋଲାଖୋଲି ନିଜର ମତାମତ ରଖିବା ସହିତ ନିଜର ନିର୍ବାଚନୀ ସଭାରେ ଜୟ ବଜରଙ୍ଗବଲୀ ସ୍ଲୋଗାନ ଦେଇଥିଲେ।

ବଜରଙ୍ଗ ଦଳ ଉପରେ ପ୍ରତିବନ୍ଧକ
ନିର୍ବାଚନ ପ୍ରଚାରର ଶେଷ ଦିନରେ ବିଜେପି ଲାଗି କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ନିର୍ବାଚନ ପ୍ରତିଶୃତି ଏକ ବଡ଼ ପ୍ରସଙ୍ଗ ପାଲଟି ଯାଇଥିଲା। କଂଗ୍ରେସ ବଜରଙ୍ଗ ଦଳ ଉପରେ ନିଷେଧାଦେଶ ଲଗାଇବା କଥା କହିବା ସହ ଏହାକୁ ଦଳର ନିର୍ବାଚନୀ ଇସ୍ତାହାରରେ ଅନ୍ତର୍ଭୁକ୍ତ କରିଥିଲା। ଏନେଇ ଦଳ ପକ୍ଷରୁ କୁହାଯାଇଥିଲା ​​ଯେ ସରକାର ଗଠନ ହେବା ମାତ୍ରେ ବଜରଙ୍ଗ ଦଳ ଉପରେ ପ୍ରତିବନ୍ଧକ ଲଗାଯିବ। ଏହି ବିଜେପି ଏହାକୁ ବଜରଙ୍ଗବଲୀଙ୍କ ଅପମାନ ସହିତ ଯୋଡିଥିଲା। ସମଗ୍ର ନିର୍ବାଚନ ପ୍ରଚାର ଏହି ପ୍ରସଙ୍ଗ ଉପରେ ରହିଥିଲା। କଂଗ୍ରେସ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ବାଧ୍ୟ ହୋଇଥିଲା। ଏପରିକି କଂଗ୍ରେସ ନେତା ଏହି ପ୍ରସଙ୍ଗରେ ନିର୍ବାଚନ ପ୍ରଚାର କରିବା ସମୟରେ ଦଳ ପକ୍ଷରୁ ସ୍ପଷ୍ଟୀକରଣ ଦେଉଥିବାର ଦେଖାଯାଇଥିଲା। ଯାହା ହେଉନା କାହିଁକି, ବିଜେପି ଏହି ପ୍ରସଙ୍ଗରେ କଂଗ୍ରେସ ବିରୋଧରେ ବର୍ଷିଛି। ହେଲେ ବିଜେପି ଏହି ପ୍ରସଙ୍ଗରେ କେତେ ଲୋକଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହେବା ଆସନ୍ତା ୧୩ ତାରିଖରେ ପ୍ରକାଶ ପାଉଥିବା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯିବ।

ଜେଡ଼ିଏସ ଭୂମିକା
କର୍ଣ୍ଣାଟକ ରାଜନୀତିରେ ଧର୍ମନିରପେକ୍ଷ ଜନତା ଦଳ ଏକ ପ୍ରମୁଖ କାରକ ହୋଇରହିଛି। ଜେଡିଏସ ହେଉଛି ଏକ ଆଞ୍ଚଳିକ ରାଜନୈତିକ ଦଳ। ଯିଏ ରାଜ୍ୟରେ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନରେ କିଙ୍ଗମେକର ଭୂମିକାରେ ଆସିପାରେ। ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ଧର୍ମନିରପେକ୍ଷ ଜନତା ଦଳକୁ ଟ୍ରମ୍ପ କାର୍ଡ ଭାବେ ବିବେଚନା କରାଯାଉଛି। ଏଥର ବିଧାନସଭା ନିର୍ବାଚନରେ ବିଖଣ୍ଡିତ ଜନାଦେଶ ଆସିବାର ସମ୍ଭାବନା ରହିପାରେ। ଏଭଳି ପରିସ୍ଥିତିରେ ରାଜ୍ୟରେ ବିଜେପି ନାଁ କଂଗ୍ରେସ କିଏ ସରକାର ଗଠନ କରିବେ ତାହା ଜେଡିଏସ ଭୂମିକା ଉପରେ ଅନେକାଂଶରେ ନିର୍ଭର କରିବ।