ଭୁବନେଶ୍ୱର: ଫେବୃୟାରୀ ୧ ତାରିଖରେ ଉପସ୍ଥାପନ ହେବ ଦେଶର ବାର୍ଷିକ ବଜେଟ୍। ଲୋକଙ୍କ ପାଖକୁ କିପରି ଅର୍ଥ ଆସିବ, ତାହା କିପରି ଅଧିକ ଖର୍ଚ୍ଚ ହେବ ଏବଂ ଖର୍ଚ୍ଚଦ୍ୱାରା ଦେଶର ଅର୍ଥନୀତି ବଢ଼ିବ ସେହି ଚିନ୍ତାରେ କେନ୍ଦ୍ର ସରକାରଙ୍କ ଅର୍ଥ ବିଭାଗ ଏବଂ ଦେଶର ବିଶିଷ୍ଟ ଅର୍ଥନୀତିକ ବିଶାରଦମାନେ କାର୍ଯ୍ୟ କରୁଛନ୍ତି। ଏହି ମୁହୂର୍ତ୍ତରେ ସାଧାରଣ ଲୋକଠାରୁ ଆରମ୍ଭ କରି କର୍ପୋରେଟ୍ ବର୍ଗ କିପରି ସେମାନେ ଭୋଗୁଥିବା ଆର୍ଥିକ ସମସ୍ୟା ଲାଘବ ହେବ ସେ ନେଇ ଚିନ୍ତାରେ ଅଛନ୍ତି। ସରକାରଙ୍କ ଉପରେ ଏନେଇ ପଡ଼ୁଥିବା ଚାପକୁ ଦୃଷ୍ଟିରେ ରଖିଲେ ଏଥରର ବଜେଟ୍ରେ ଅନେକ କିଛି ନୂଆ ହେବ ବୋଲି ଆଶା କରାଯାଉଛି। ହେଲେ ବର୍ତ୍ତମାନର ରାଜନୀତିକ ପରିସ୍ଥିତି ଏବଂ ଦେଶକୁ ତୃତୀୟ ବୃହତ ଅର୍ଥନୀତିରେ ପରିଣତ କରିବା ଲକ୍ଷ୍ୟରେ ଦେଶର ଗତିକୁ ଦେଖିଲେ ଆପଣ ଆଶା କରୁଥିବା ଅନେକ ବିଷୟ ଯେ ଏଥର ପାଣି ଫୋଟକା ଭଳି ମିଳେଇ ଯିବସେଥିରେ ସନ୍ଦହ ନାହିଁ। ତେବେ ପ୍ରଶ୍ନ ଉଠୁଛି କେଉ ଜିନିଷଗୁଡ଼ିକୁ ଆପଣ ଆଶା କରିବା ଅନୁଚିତ।
ପ୍ରଥମେ ଏ ଦେଶର ନାଗରିକ ଓ ବ୍ୟବସାୟିକ ଗୋଷ୍ଠୀ କେଉଁ ବିଷୟକୁ ବିଶେଷକରି ଚାହୁଁଛନ୍ତି ତାହା ଉଲ୍ଲେଖ କରାଯାଉ। ବିଗତ ଆର୍ଥିକ ବର୍ଷରେ ସାଧାରଣ ଲୋକଙ୍କ ପାଖରେ ନଗଦ ଅର୍ଥ କମିବା ହେତୁ ଖର୍ଚ୍ଚ କମିବା ଓ ଏହାର ସିଧାସଳଖ ପ୍ରଭାବ ଅର୍ଥନୀତି ଉପରେ ପଡ଼ିବାକୁ ସମସ୍ତେ ଅନୁଧ୍ୟାନ କରିଛନ୍ତି। ଏଣୁ ଏସବୁ ବର୍ଗ ଚାହୁଁଛନ୍ତି ଏଥର ବଜେଟରେ ଟିକସ ସ୍ଲାବ ଓ ଛାଡ଼ ସ୍ତର ବୃଦ୍ଧି ପାଉ। ଏବେ ପୁରୁଣା ଆୟକର ନିୟମ ଅନୁସାରେ ୩ ଲକ୍ଷ ଯାଏ କୌଣସି ଟିକସ ଦେବାକୁ ପଡ଼ୁ ନାହିୋ। ପୁଣି ନୂଆ କର ନୀତି ଅନୁସାରେ ୭ ଲକ୍ଷ ଯାଏ ଟିକସ ମୁକ୍ତ ରୋଜଗାର ରହିଛି। ଏହି ସ୍ତରକୁ ପୁରୁଣା ଆୟକର ନିୟମ ଅନୁସାରେ ୫ ଲକ୍ଷ ଯାଏ ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି। ଅର୍ଥାତ୍ ଯେଉଁ ବ୍ୟକ୍ତି ୫ରୁ ୭ ଲକ୍ଷ ଟଙ୍କା ଯାଏ ରୋଜଗାର କରୁଛନ୍ତି ସେମାନଙ୍କ ପାଇଁ ଟିକସ ହାର ୫ ପ୍ରତିଶତ ରହିବ।
ସେହିପରି ଆୟକର ବ୍ୟବସ୍ଥାରେ ମାନକ ବିୟୋଗ ବା ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ବୃଦ୍ଧି ପାଇବା ସମ୍ଭାବନା ରହିଛି। ନୂଆ ଟିକସ ନୀତିରେ ଏହି ସ୍ଲାବ୍ ୭୫ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇପାରେ।
ଠିକ୍ ସେହିପରି ଟିକସ ସ୍ଲାବ୍ ପରିଧି ମଧ୍ୟ ବୃଦ୍ଧି ପାଇପାରେ। ପୂର୍ବଥର ଅର୍ଥମନ୍ତ୍ରୀ ୩ରୁ ୭ ଲକ୍ଷ ରୋଜଗାରଧାରରୀଙ୍କ ପାଇଁ ୫ ପ୍ରତିଶତ ଏବଂ ୭-୧୦ ଲକ୍ଷ ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ ୧୦% ଟିକସ ସ୍ଲାବ୍ କରିଥିଲେ। ଏଥର ଏହା ୨୦ ପ୍ରତିଶତ ଟିକସ ଦେଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ପରିବର୍ତ୍ତନ ଆସିପାରେ। ସେମାନଙ୍କ ରୋଜଗାର ପରିଧି ୧୨ରୁ ୧୮ ଲକ୍ଷ ଯାଏ ହୋଇପାରେ। ଏହା ହେଲେ ଏଣିକି ୧୮ ଲକ୍ଷ ଯେଏ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ୨୦ ପ୍ରତିଶତ ଯିକ ଦେବାକୁ ପଡ଼ିବ। ଏସବୁ ନୂଆ ଟିକସ ନୀତିରେ ଟିକସ ପଇଠ କରୁଥିବା ବ୍ୟକ୍ତିଙ୍କୁ ସହାୟକ ହେବ। କାରଣ ୭୨ ପ୍ରତିଶତ ବ୍ୟକ୍ତି ନୂଆ ଟିକସ ନୀତିରେ ଟିକସ ପ୍ରଦାନ କରୁଛନ୍ତି। ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ଆଶା କରିବା ଅପେକ୍ଷା ଏହି ବଜେଟରୁ ଆଉ କିଛି ଆଶା କରାଯାଇ ନପାରେ।
ପ୍ରଥମଃ ପୂର୍ବରୁ ବଜେଟ ଆସିଲେ କେଉଁ ଜିନିଷର ଦର ବୃଦ୍ଧି ହେବ ଆଉ କେଉଁ ଦ୍ରବ୍ୟର ଦର କମିବ ସେ ବିଷୟରେ ଆଲୋଚନା କରାଯାଉଥିଲା। ହେଲେ ଜିଲସ୍ଟି ଲାଗୁ ହେବା ପରେ ଏ ବିଷୟ ଆଉ ଚର୍ଚ୍ଚା କରିବେ ବୃଥା। ପୁଣି ସରକାର ବିଭିନ୍ନ ସମୟରେ ନିର୍ବାଚନ ନୀତିକୁ ସମ୍ମୁଖୀନ ହେବାକୁ ଯାଉଥିବାରୁ ମହିଳାଙ୍କ ହାତରେ ଅର୍ଥ ଦେବା ଲାଗି ବ୍ୟବସ୍ଥା କରୁଛନ୍ତି। ଅନେକ ରାଜ୍ୟରେ ଏହି ନୀତି କାର୍ଯ୍ୟକାରୀ ହେଉଥିବାରୁ ସରକାର ଆଉ ଟିକସଦାତାଙ୍କ ଉପରେ କୋହଳ ଦୃଷ୍ଟି ପକାଇବେ ତାହା ଆଶା କରାଯାଇ ନପାରେ।