ଉତ୍ତରରୁ କନ୍ଦଳ: ଜଳ ଜଳ ହେଲା ବିଜେଡିରେ ଫାଟ
Advertisement
Article Detail0/zeeodisha/odisha2051402

ଉତ୍ତରରୁ କନ୍ଦଳ: ଜଳ ଜଳ ହେଲା ବିଜେଡିରେ ଫାଟ

BJD News: ସ୍ୱରୂପଙ୍କ ସମର୍ଥକମାନେ ଶ୍ରୀ ଜେନାଙ୍କ ସମର୍ଥକଙ୍କୁ ବସିବାକୁ ଜାଗା ନଦେବା ଅଭିଯୋଗ କରି ଧସ୍ତାଧସ୍ତି ହୋଇଥିଲା। ଯାହା ସେଦିନ ଟିଭି ଚ୍ୟାନେଲ୍‍ ଓ ସୋଶାଲ୍‍ ମିଡିଆାରେ ବିଶେଷ ଚର୍ଚ୍ଚା ହୋଇଥିଲା।  

 

Odisha BJD

ଭୁବନେଶ୍ୱର: ଦି’ଦିନ ପୂର୍ବେ ଅଙ୍କୁରୋଦ୍‍ଗମ ହୋଇଥିବା ବିଜେଡି ବିବାଦ ଆଜି ଥାନା, ଦାଣ୍ଡରେ ପହଞ୍ଚିଛି। ବିଧାୟକ ଓ ପୂର୍ବତନ ସାଂସଦଙ୍କ ଭିତରେ ମୁହଁ ଫୁଲାଫୁଲି ଦଳର ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଇବା ସହ ଏହା ସୂଚାଇ ଦେଇଛି ଯେ, ଦଳରେ ସବୁ ଠିକ୍‍ ଚାଲି ନାହିଁ, ବାଲେଶ୍ୱର ବିଜେଡିରେ ବି ଫାଟ ରହିଛି। ଆଉ ଏହି ଫାଟ ଆଗକୁ କାହାକୁ ଫାଇଦା ଦେବ ତାହାକୁ ନେଇ ଚର୍ଚ୍ଚା ହେଉଛି। 

ଆଜି ଶତାଧିକ ମହିଳା ସହରରେ ଶୋଭାଯାତ୍ରା କରିବା ସହ ବିଧାୟକ ସ୍ୱରୂପ ଦାସଙ୍କ  ବିରୁଦ୍ଧରେ ଅଭିଯୋଗ କରିଛନ୍ତି।  ତାଙ୍କ ସମର୍ଥକଙ୍କ ବିରୁଦ୍ଧରେ ଥାନାରେ ଏତଲା ବି ଦେଇଛନ୍ତି। ଏତଲା ମୁତାବକ ସମ୍ପୃକ୍ତ ମହିଳାଙ୍କୁ ଏହି ଅଭିଯୁକ୍ତ ତାମାନେ ଟଣା ଓଟରା କରିବା ସହ ତାଙ୍କୁ ସର୍ବସାଧାରଣରେ ଅପଦସ୍ତ କରିବାକୁ ଚେଷ୍ଟା କରିଛନ୍ତି। ଏଣୁ ତାଙ୍କ ବିରୁଦ୍ଧରେ ପୁଲିସ କାର୍ତଯ୍ୟାନୁଷ୍ଠାନ ସେମାନେ ଦାବି କରିଛନ୍ତି। 

ସୂଚନା ଅନୁସାରେ ଏହି କନ୍ଦଳ ଗତ ତାରିଖ ଦିନ ବିଜେଡିର ପ୍ରମୁଖ ରଣନୀତି ନିର୍ଦ୍ଧାରକ ଭିକେ ପାଣ୍ଡିଆନ୍‍ଙ୍କ ସଭାରେ ଆରମ୍ଭ ହୋଇଥିଲା। ଶ୍ରୀ ପାଣ୍ଡିଆାନଙ୍କ ସଭାକୁ ସଫଳ କରିବା ଲାଗି ବିଧାୟକ ଶ୍ରୀ ଦାସ ବିଭିନ୍ନ ଆଡ଼ୁ ଲୋକଙ୍କୁ ଯୋଗାଡ଼ କରିଥିଲେ। ହେଲେ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା। ସେ କୁଆଡ଼େ ଏହି ସଭା ଆୟୋଜନ କରି ନିଜର ପୂର୍ବ ଗୌରବ ଫେରାଇବାକୁ ଚାହୁଁଥିଲେ। କିନ୍ତୁ ତୃତୀୟ ମହଲାରୁ ତାଙ୍କ ଉପରକୁ ନଜର ନ ପଡ଼ିବାରୁ ସେ କ୍ଷୁବ୍ଧ ହୋଇ ସ୍ୱରୂପଙ୍କ ଶ୍ରମକୁ ବିଫଳ କରିବାକୁ ଚାହିଁଥିଲେ। ଏକଦା ତାଙ୍କରି ଇଙ୍ଗିତରେ ସ୍ୱରୂପ ବିଧାୟକ ହୋଇଥିବାରୁ ସେ ପାଣ୍ଡିଆନ୍‍ଙ୍କ ନିକଟତର ହେବା ତାଙ୍କୁ ବିବ୍ରତ କରିଥିଲା। ଏଣୁ ସଭାରେ ଆରମ୍ଭ ହୋଇଥିଲା ମହାଭାରତ। 

ସ୍ୱରୂପଙ୍କ ସମର୍ଥକମାନେ ଶ୍ରୀ ଜେନାଙ୍କ ସମର୍ଥକଙ୍କୁ ବସିବାକୁ ଜାଗା ନଦେବା ଅଭିଯୋଗ କରି ଧସ୍ତାଧସ୍ତି ହୋଇଥିଲା। ଯାହା ସେଦିନ ଟିଭି ଚ୍ୟାନେଲ୍‍ ଓ ସୋଶାଲ୍‍ ମିଡିଆାରେ ବିଶେଷ ଚର୍ଚ୍ଚା ହୋଇଥିଲା।  

ରାଜନୀତିକ ହିସାବକୁ ଦେଖିଲେ ବାଲେଶ୍ୱର ହେଉଛି ଉତ୍ତର ଓଡ଼ିଶା ରାଜନୀତିର ଅନ୍ୟତମ କେନ୍ଦ୍ରସ୍ଥଳୀ। ଶିକ୍ଷିତ ଭୋଟର, ସଚେତନ ନେତା  ଆଉ ଭରପୂର ପ୍ରସଙ୍ଗ ଏଠାରେ ରାଜନୀତିକୁ ନିୟନ୍ତ୍ରଣ କରିଥାଏ। ଅତୀତରେ ଜିଲ୍ଲା ରାଜନୀତିକ ଭିତ୍ତିଭୂମି କମ୍ୟୁନିଷ୍ଟ ଦଳରୁ ବିଜେପି ଓ ବିଜେଡି ଆଡ଼କୁ ସ୍ଥାନାନ୍ତରଣ ବେଳେ ଏହା ସ୍ପଷ୍ଟ ବାରି ହୋଇପଡ଼ିଛି। କେତେବେଳେ ବନ୍ୟା, ବାତ୍ୟା ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଏହାର ପ୍ରସଙ୍ଗକୁ ନିୟନ୍ତ୍ରଣ କରିଛି ତ ଆଉ କେତେବଳେ ଅର୍ଥବଳ ଓ ବାହୁବଳ ରାଜନୀତିର ମେରୁଦଣ୍ଡ ପାଲଟିଛି। ହେଲେ ଗତ ନିର୍ବାଚନ ବେଳେ ଶଂଖ ଚିହ୍ନ ଏସବୁର ଉର୍ଦ୍ଧ୍ୱକୁ ଉଠି ଜନାଦେଶକୁ ପ୍ରଭାବିତ କରିଥିଲା। ଆଗକୁ ନିର୍ବାଚନ ଆସୁଥିବାରୁ ଏବେ ପ୍ରଭାବଶାଳୀ ନେତା ସେମାନଙ୍କ ପ୍ରଭାବକୁ ଦେଖାଇ ନିଜ ଆଡ଼କୁ ଶଙ୍ଖ ଆଶୀର୍ବାଦ ମୁହାଁଇବାକୁ ଚେଷ୍ଟା କରୁଥିବାରୁ ସୃଷ୍ଟି ହୋଇଛି ଏହି କନ୍ଦଳ।