Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ଆଜି ରାୟଗଡ଼ା ରେଳ ମଣ୍ଡଳ ଭବନ ପାଇଁ ଶୁଭ ଦେବେ ପ୍ରଧାନମନ୍ତ୍ରୀ
ଆଜି ରାୟଗଡ଼ା ରେଳ ମଣ୍ଡଳ ଭବନ ପାଇଁ ଶୁଭ ଦେବେ ପ୍ରଧାନମନ୍ତ୍ରୀ। ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାୟଗଡ଼ା ରେଳ ମଣ୍ଡଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଜମ୍ମୁରେ ପ୍ରଧାନମନ୍ତ୍ରୀଙ୍କ ସହିତ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ରହିବେ। ଏହି ଅବସରରେ ରାୟଗଡ଼ା ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀ ମାଟିରେ ରାଜ୍ୟପାଳ ଡକ୍ଟର କେ.ହରି ବାବୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ।
ସମ୍ବଲପୁରରେ ବିଜେପି ନେତାଙ୍କୁ ହତ୍ୟା ଅଭିଯୋଗ
ସମ୍ବଲପୁରରେ ଦେଖାଦେଇଛି ରାଜନୈତିକ ହିଂସା। ବୁର୍ଲା-ଗୋଶାଳା ଆକଣ୍ଟାପାଲିଠାରେ ହାଇୱା ମଡାଇ ଦୁଇ ବରିଷ୍ଠ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିବା ନେଇ ବିଜେପି ଅଭିଯୋଗ ଆଣିଛି। ଦୁଇ ଗୁରୁତରଙ୍କୁ ବୁର୍ଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି। ସଡ଼କ ଦୁର୍ଘଟଣାର ମୃତକମାନେ ହେଲେ ବିଜେପି ଚିପଲିମା ମଣ୍ଡଳ ସଭାପତି ଦେବେନ୍ଦ୍ର ନାଏକ ଓ ମୁରଲୀ ଛୁରିଆ। ଦେବେନ୍ଦ୍ର ଓ ମୁରଲୀ ଆଉ ଦୁଇ ଜଣଙ୍କ ସହ ଭୁବନେଶ୍ୱରରୁ ଟ୍ରେନ ଯୋଗେ ସମ୍ବଲପୁର ଫେରିଥିଲେ ପୂର୍ବତନ ରେଙ୍ଗାଲି ବିଧାୟକ ନାଉରି ନାୟକ। ଏହାପରେ ରେଳ ଷ୍ଟେସନରୁ କାର ଯୋଗେ ନାଉରିଙ୍କୁ ତାଙ୍କ ସମ୍ବଲପୁର ସ୍ଥିତ ବାସଭବନରେ ଛାଡି ଚିପଲିମାସ୍ଥିତ ଘରକୁ ଫେରୁଥିଲେ। ତେବେ ଆକଣ୍ଟାପାଲି ଅଞ୍ଚଳରେ ତାଙ୍କ କାରକୁ ପଛ ପଟୁ ଏକ ହାଇୱା ଧକ୍କା ଦେଇଥିଲା। ଯାହାଫଳରେ କାରଟି ଜାତୀୟ ରାଜପଥରୁ ତଳକୁ ଖସି ପଡିଥିଲା। ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଥିଲା।
ଆରମ୍ଭ ହେଲା ସହିଦ ମାଧୋ ସିଂ ହାତ ଖର୍ଚ୍ଚ
ଆରମ୍ଭ ହୋଇଛି ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା। ଆଜି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଯୋଜନାରେ ନବମ ଓ ଏକାଦଶ ଶ୍ରେଣୀର ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ମିଳିବ। ସହିଦ ମାଧୋ ସିଂ ହାତ ଖର୍ଚ୍ଚ ବାବଦକୁ ଟଙ୍କା ସିଧା ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଶୈକ୍ଷିକ ବାତାବରଣ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନକୁ ବଢ଼ାଇବାକୁ ଏହି ପ୍ରୋତ୍ସାହନ ରାଶି ପ୍ରଦାନ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଚେକ ପ୍ରଦାନ କରିଛନ୍ତି। ତା’ସହିତ ସହିଦ ମାଧୋ ସିଂଙ୍କ ଅଣନାତି ଲୋକେଶ୍ୱର ସିଂ ବରିହାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
କୋଷ୍ଟଗାର୍ଡ ହେଲିକପ୍ଟର କ୍ରାଶ୍, ୩ ମୃତ
ବଡ଼ ଦୁର୍ଘଟଣା। ଗୁଜରାଟ ପୋରବନ୍ଦରରେ ଭାରତୀୟ ତଟରକ୍ଷୀ ବାହିନୀ ତଥା କୋଷ୍ଟଗାର୍ଡର ଏକ ହେଲିକପ୍ଟର ଦୁର୍ଘଟାଗ୍ରସ୍ତ ହୋଇଛି। ଏଥିରେ ମୋଟ ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପାଇଲଟ ଓ ଦୁଇ ଜଣ କୋ-ପଇଲଟ ସାମିଲ ଅଛନ୍ତି। କୁହାଯାଉଛି ଯେ, କୋଷ୍ଟଗାର୍ଡର ଏହା ଏକ ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର ALH Dhruv ଥିଲା। ତେବେ ନିୟମିତ ଅଭ୍ୟାସ ବେଳେ ଆଜି ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି।
ଓଡ଼ିଶା ଛାଡ଼ିବ ‘ଓଡ଼ିଶା ଏଫ୍ସି’
ତୃଣମୂଳସ୍ତରରୁ ଫୁଟ୍ବଲ୍ ବିକାଶ ନାଁରେ ଢେର କିଛିଦିନ ସବୁପ୍ରକାର ସହଯୋଗ ଓ ସମର୍ଥନ ସାଉଣ୍ଟିଲେ। ଓଡ଼ିଶା ନାଁରେ ଦଳ କରି ଭିତ୍ତିଭୂମିଠାରୁ ଆରମ୍ଭ କରି ପ୍ରାୟୋଜକ ପର୍ଯ୍ୟନ୍ତ ସବୁକିଛି ପାଇଲେ। ପରିବର୍ତ୍ତିତ ପରିସ୍ଥିତିରେ ଆଉ ଆଗଭଳି ସମର୍ଥନ ମିଳୁ ନଥିବା କହି ଏବେ କିନ୍ତୁ ଓଡ଼ିଶା ଛାଡ଼ି ଚାଲିଯିବାକୁ ସଜବାଜ ହେଲେଣି। ଏଭଳି ସଙ୍କେତ ଏକ ବିଦେଶୀ କଂପାନି ‘ଜିଏମ୍ଏସ୍’ ମାଲିକାନାରେ ଥିବା ରାଜ୍ୟର ଏକମାତ୍ର ପେସାଦାର ଫୁଟ୍ବଲ୍ ଦଳ ‘ଓଡ଼ିଶା ଏଫ୍ସି’ ଦେଇଛି। କ୍ଲବ୍ର ମାଲିକ ତଥା ପରାମର୍ଶଦାତା ରୋହନ ଶର୍ମା ଶୁକ୍ରବାର ‘ଏକ୍ସ’ରେ ଦଳର ଭବିଷ୍ୟତ ନେଇ ରହସ୍ୟମୟ ଲେଖା ଲେଖିବା ପରେ ଖୁବ୍ଶୀଘ୍ର ‘ଓଡ଼ିଶା ଏଫ୍ସି’ ଓଡ଼ିଶା ଛାଡ଼ିବାର ଚର୍ଚ୍ଚା ରାଜ୍ୟ ଫୁଟବଲ୍ ଜଗତରେ ଆରମ୍ଭ ହୋଇଯାଇଛି।
OYO ଲଗାଇଲା କଟକଣା
ନୂଆବର୍ଷରେ ନୂଆ ନିୟମ ଆଣିଲା ଓୟୋ। ଏଣିକି ଅବିବାହିତ ଯୋଡ଼ିଙ୍କୁ ଓୟୋ ମନା। ଓୟୋରେ କେବଳ ଆଇନ ସମ୍ମତ ଦମ୍ପତିଙ୍କୁ ରହିବାକୁ ମିଳିବ ଅନୁମତି। ଗ୍ରାଉଣ୍ଡରୁ ମିଳିଥିବା ରିପୋର୍ଟ ଆଧାରରେ ଓୟୋ ଏପରି ନିଷ୍ପତ୍ତି ନେଇଛି। ଉତ୍ତର ପ୍ରଦେଶର ମୀରଟରୁ କାର୍ଯ୍ୟକାରୀ ହେଉଥିବା ଏହି ନିୟମ ଦେଶର ସମସ୍ତ ସହରରେ ଖୁବଶୀଘ୍ର ଲାଗୁ ହେବ ବୋଲି ଜଣାପଡ଼ିଛି।
କମିବ ରାତିର ତାପମାତ୍ରା
ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ମାତ୍ରା କମିବ। ସର୍ବନିମ୍ନ ତାପମାତ୍ରାରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହାଦ୍ୱାରା ଶୀତର ପ୍ରକୋପ ହ୍ରାସ ପାଇବ। ଏହି ସମୟ ମଧ୍ୟରେ ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଦା, ଗଜପତି, ଗଞ୍ଜାମ, ଓ ରାୟଗଡ଼ାରେ କେତେକ ସ୍ଥାନରେ କୁହୁଡି ପଡିବା ନେଇ ମଧ୍ୟରେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେପଟେ ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ୧୦ ଡିଗ୍ରୀ ତଳେ ୯ଟି ସହର ଓ ଜିଲ୍ଲା ରହିଛି। ଘୁମୁସୁର ଉଦୟଗିରି ରବିବାର ରାଜ୍ୟର ଶୀତଳ ସହର ପାଲଟିଥିଲା। ଏଠାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ବ୍ୟତୀତ ସିମିଳିଗୁଡାରେ ୫.୯ ଡିଗ୍ରୀ, ଫୁଲବାଣୀରେ ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ
ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ଉଠିଛି। ଆଜି ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଂ ଜୋନରେ ଡ୍ରୋନ୍ ଉଡିଥିବା ଦେଖିବାକୁ ମିଳିଛି । ପ୍ରାୟ ଅଧ ଘଣ୍ଟାଏ ପର୍ଯ୍ୟନ୍ତ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଓ ଚାରିପଟେ ଡ୍ରୋନ୍ ଉଡ଼ିଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଣ ନିଷେଧ ଥିବାବେଳେ ପୂର୍ବରୁ ମଧ୍ୟ ଏହା ବାରମ୍ବାର ଦେଖାଯାଉଛି। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଏଭଳି ତ୍ରୁଟିକୁ ନେଇ ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି।
ଏନକାଉଣ୍ଟରରେ ୪ ନକ୍ସଲଙ୍କ ମୃତ୍ୟୁ
ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ପୁଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ। ୪ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି। ୪ ଜିଲ୍ଲାର ଡିଆରଜି ଯବାନଙ୍କ ବଡ଼ଧରଣର ଅପରେସନ ବେଳେ ଏହି ସଫଳତା ମିଳିଛି। ମାଓବାଦୀ ଗୁଳିରେ ଜଣେ ହେଡ କନେଷ୍ଟବଳ ସହିଦ ହୋଇଛନ୍ତି। ଏକେ-୪୭ ଓ SLR ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି।
ବର୍ଡର ଗାଭାସ୍କର ଟ୍ରଫି ହାରିଲା ଭାରତ
ବର୍ଡର ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍ ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ସିରିଜକୁ ୩-୧ ରେ କବଜା କରିନେଇଛି। ଏହା ସହିତ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ରେସରୁ ବାଦ ପଡିଛି। ସିଡନୀ ଟେଷ୍ଟ ଜିତିବା ସହିତ ଅଷ୍ଟ୍ରେଲିଆ WTC ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି।