Trending Photos
New Traffic Post: ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ୨୧୯୮ ଜଣ ଟ୍ରାଫିକ ପୋଲିସ କାର୍ଯ୍ୟରତ ରହିଛନ୍ତି। ସଡ଼କ ସୁରକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନେଉଥିବା ଟ୍ରାଫିକ ବ୍ୟବସ୍ଥା ପାଇଁ ଚଳିତ ବର୍ଷ ଆଉ ୨ ହଜାର ନୂତନ ଟ୍ରାଫିକ ପୋଲିସ ପଦବୀ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ପଦବୀ ଗୁଡିକୁ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ପୂରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ରାଜ୍ୟରେ ୨୦୨୪ରେ ୨୬୩୩ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି। ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ରାଜ୍ୟରେ ବର୍ତ୍ତମାନ ୧୪ଟି ଥାନା କାମ କରୁଛି। ଆଉ ୨୦ଟି ନୂଆ ସାଇବର ଥାନା ଖୋଲିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ତଥାପି ସାଇବର ଠକେଇରେ ସାଧାରଣ ଲୋକମାନେ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହେଉଥିବାରୁ ଏଣିକି ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରତିଷ୍ଠା ହେବ ସାଇବର ଥାନା ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।
ଲୋକସେବା ଭବନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିବା ସହ ଅଧିକାରୀଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛି।
ରାଜ୍ୟ ଏବଂ ରାଜ୍ୟବାସୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ସହିତ ଅପରାଧ ନିୟନ୍ତ୍ରଣ, ସଡ଼କ ଦୁର୍ଘଟଣା ହ୍ରାସ, ନ୍ୟାୟ ପ୍ରଦାନକୁ ବିଶେଷ ଗୁରୁତ୍ୱ ଦେବାପାଇଁ… pic.twitter.com/7AjWKfGSZd
— Mohan Charan Majhi (@MohanMOdisha) January 19, 2025
ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ବୈଠକ କରିଥିଲେ। ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ପୋଲିସ ବିଭାଗରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ। ପୂର୍ବରୁ କାର୍ଯ୍ୟକ୍ଷମ ଥିବା ଥାନା ଗୁଡିକୁ ଅଧିକ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ତ୍ୱ ଦେଇଥିଲେ। ସଡ଼କ ଦୁର୍ଘଟଣା କମ କରିବା, ସାଇବର ଅପରାଧ ଏବଂ ରାଜ୍ୟରେ ଗଞ୍ଜେଇ ଚାଷ ଓ ଗଞ୍ଜେଇ ଚାଲାଣକୁ ରୋକିବା ପାଇଁ ଦୃଢ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ।
ହୋଇଥିବା ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ଅଥିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ରାଜ୍ୟ ପୋଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।