ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ନାଁ ବଡ଼ ନୁହେଁ କାମ ବଡ଼ । ନାଁ ପରିବର୍ତ୍ତନ କଲେ ଚରିତ୍ର ବଦଳେନି କି ଶିକ୍ଷାର ମାନ ବଢ଼ିବନି ତେଣୁ ମାନ ବୃଦ୍ଧି ପାଇଁ ଶିକ୍ଷାମନ୍ତ୍ରୀ ପରାମର୍ଶ ଦେଲେ ଭଲ ହେବ । ପ୍ରସ୍ତାବ ଆଦୌ ଗ୍ରହଣୀୟ ନୁହେଁ, କିନ୍ତୁ ବିତର୍କ ହେଉ ବୋଲି ସୌମ୍ୟରଞ୍ଜନ କହିଛନ୍ତି ।
Trending Photos
ଭୁବନେଶ୍ୱର: ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବାବଦରେ ଦେଇଥିବା ବୟାନକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । କଂଗ୍ରେସ ପକ୍ଷରୁ ମୁଖପାତ୍ର ସ୍ମୃତିରଞ୍ଜନ ଲେଙ୍କା ଏକ ପ୍ରେସମିଟ୍ କରି କହିଛନ୍ତି ଯେ, ନାଁ ପରିବର୍ତ୍ତନ କରି ଦେଶର ଇତିହାସ ପରିବର୍ତ୍ତନ ପାଇଁ ଚେଷ୍ଟା କରାଯାଉଛି । ଛାତ୍ରଛାତ୍ରୀଙ୍କ ଭାବାବେଗ ସହ ଖେଳିବାକୁ ଚେଷ୍ଟା କଲେ ପରିସ୍ଥିତି ଭୟଙ୍କର ହେବ । ଅନ୍ୟପଟେ ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ନାଁ ବଡ଼ ନୁହେଁ କାମ ବଡ଼ । ନାଁ ପରିବର୍ତ୍ତନ କଲେ ଚରିତ୍ର ବଦଳେନି କି ଶିକ୍ଷାର ମାନ ବଢ଼ିବନି ତେଣୁ ମାନ ବୃଦ୍ଧି ପାଇଁ ଶିକ୍ଷାମନ୍ତ୍ରୀ ପରାମର୍ଶ ଦେଲେ ଭଲ ହେବ । ପ୍ରସ୍ତାବ ଆଦୌ ଗ୍ରହଣୀୟ ନୁହେଁ, କିନ୍ତୁ ବିତର୍କ ହେଉ ବୋଲି ସୌମ୍ୟରଞ୍ଜନ କହିଛନ୍ତି ।
ଅନ୍ୟପଟେ, ବିଜେପି ପକ୍ଷରୁ ଅନୀଲ ବିଶ୍ବାଳ କହିଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନ ଉଠାଇଥିବା ପ୍ରସଙ୍ଗ ଯଥାର୍ଥ । କେତେ ଦିନ ଧରି ଉପନିବେଶବାଦର ଲିଗାସି ଧରି ବଞ୍ଚିବା ? ଭେନ୍ସା ବିଶ୍ବବିଦ୍ୟାଳୟ ପ୍ରତ୍ୟେକଟି ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ । ନାମ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଆପ୍ରୋଚ ପୂରା ଗଣତାନ୍ତ୍ରିକ । ଏଥିପାଇଁ ବିତର୍କର ଆବଶ୍ୟକତା ରହିଥିବା ଅନୀଲ କହିଛନ୍ତି । ବିଜେଡି ଅଣଓଡ଼ିଆ ଅଫିସରଙ୍କ ପାଇଁ ଓକିଲାତି କରୁଥିଲା ଏବେ ନରହନ୍ତା ବ୍ରିଟିଶ ଅଫିସରଙ୍କ ସପକ୍ଷରେ ଯୁକ୍ତି କରୁଛନ୍ତି । ବ୍ରିଟିଶରଙ୍କ ପାଇଁ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା ସେହି ସମୟରେ ୨୦ ଲକ୍ଷ ଓଡ଼ିଆ ମରିଥିଲେ । ରେଭେନ୍ସା ଶିକ୍ଷାନୁଷ୍ଠାନ ଗଠନରେ ଟି. ରେଭେନ୍ସାଙ୍କ କୌଣସି ଭୂମିକା ନାହିଁ ତେଣୁ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ରାଜନୀତି କରିବା ଉଚିତ ନୁହେଁ ବୋଲି ଅନୀଲ ବିଶ୍ବାଳ ମତ ଦେଇଛନ୍ତି ।
ସୂଚନାଯୋଗ୍ୟ, ଶୁକ୍ରବାର ସ୍ବାୟତ୍ତ ଶାସନ ଦିବସ ଉତ୍ସବ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଯୋଗ ଦେଇଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି । ଯେଉଁ ରେଭେନ୍ସାଙ୍କ ନାମରେ ଏହି ବିଶ୍ୱବିଦ୍ୟାଳୟ ହୋଇଛି ପ୍ରକୃତରେ ତାଙ୍କର ଭୂମିକା କଣ ଥିଲା ବୋଲି ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏଥିସହ ଧର୍ମେନ୍ଦ୍ର କହିଥିଲେ ଯେ, ନଅଙ୍କ ଦୁର୍ଭିକ୍ଷ ସମୟରେ ରେଭେନ୍ସା ନାମକ ବ୍ୟକ୍ତି ଜଣକ କରୁଥିଲେ କଣ? ଯେଉଁ ବ୍ୟକ୍ତି ଓଡ଼ିଆଙ୍କୁ କଷ୍ଟ ଦେଉଥିଲେ, ତାହା କଣ ଗୌରବ ବିଷୟ କି ? ନାଁ ବଦଳିବା ମୋର ବ୍ୟକ୍ତିଗତ ମତ ଏବଂ ଏହା ଉପରେ ବିତର୍କ ଆବଶ୍ୟକ ତେଣୁ ରାଜ୍ୟର ବୁଦ୍ଧିଜୀବୀମାନେ ଏହା ଉପରେ ଚିନ୍ତା କରିବା ଉଚିତ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ରେଭେନ୍ସା ନାଁ ବଦଳିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ କଡ଼ା ଭାଷାରେ ବିରୋଧ କରିଥିଲେ ତିନିଜଣ ପୂର୍ବତନ ପ୍ରଫେସର ଏବଂ ଅନେକ ଛାତ୍ରଛାତ୍ରୀ । ଏହି ବକ୍ତବ୍ୟକୁ ଅବାସ୍ତବ କହି ସମାଲୋଚନା କରିଛନ୍ତି ପୂର୍ବତନ ପ୍ରଫେସର ହେମେନ୍ଦ୍ର ନାରାୟଣ ଦାସ । ହେମେନ୍ଦ୍ର କହିଛନ୍ତି ଯେ, ରେଭେନ୍ସା କେବଳ ନାମ ନୁହେଁ, ଇଟ୍ ଇଜ୍ ୱେ ଅଫ୍ ଲାଇଫ୍ । ସେହିପରି ପୂର୍ବତନ ପ୍ରଫେସର ସତ୍ୟକାମ ମିଶ୍ର ଏହାକୁ ହୀନମନ୍ୟତା କହି ସମାଲୋଚନା କରିଛନ୍ତି । ଏହା ସହ ଶହେ ବର୍ଷର ଇତିହାସ ଯୋଡ଼ି ହୋଇ ରହିଛି ଏବଂ ଯେଉଁମାନେ ରେଭେନ୍ସା ସାହେବକୁ ଜାଣି ନାହାନ୍ତି ଏପରି କହିବେ ବୋଲି ସେ କହିଛନ୍ତି । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପତି ତାଙ୍କର ଅବଦାନ ଅତୁଳନୀୟ ଓଡ଼ିଆ ଅସ୍ମିତା ନାଁରେ ତାଙ୍କୁ ଅପମାନିତ କରାଯିବା ଅନୁଚିତ ବୋଲି ଶ୍ରୀଯୁକ୍ତ ମିଶ୍ର ମତ ଦେଇଛନ୍ତି । ପୂର୍ବତନ ପ୍ରଫେସର କମଳା ପ୍ରସାଦ ମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରେଭେନ୍ସା କଲେଜ ନିର୍ମାଣ କରିବାରେ ରେଭେନ୍ସାଙ୍କ ଅବଦାନ ଅତୁଳନୀୟ । ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଟି.ଇ ରେଭେନ୍ସାଙ୍କ ଅବଦାନର ପଟାନ୍ତର ନାହିଁ । ସରକାର କୌଣସି ପରିସ୍ଥିତିରେ ଏମିତି କରନ୍ତୁନି, ଏଥିରୁ ନିବୃତ ରହନ୍ତୁ ବୋଲି ସେ ମତ ଦେଇଛନ୍ତି ।
Also Read- ଫିକା ପଡିବ ଦୁର୍ଗାପୂଜା ଭସାଣି ! ବାଜିବନି DJ, ଜାଣନ୍ତୁ କ'ଣ କହିଲେ ସିପି
Also Read- Top 10 News Today: ଦୁର୍ଗାପୂଜା ଭସାଣିରେ ଡିଜେ ବ୍ୟାନ୍, ପଢ଼ନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର