ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଷୀଙ୍କ ଜେଲ ଭରୋ ଆନ୍ଦୋଳନ
Advertisement
Article Detail0/zeeodisha/odisha1218856

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଷୀଙ୍କ ଜେଲ ଭରୋ ଆନ୍ଦୋଳନ

ପଦ୍ମପୁର ଅଞ୍ଚଳ ଏକ ଚିର ମରୁଡି ପ୍ରୀପିଡିତ ଅଞ୍ଚଳ ହୋଇଥିବା ବେଳେ ପ୍ରତିବର୍ଷ ଏହି ଅଞ୍ଚଳର ଚାଷୀଙ୍କୁ ମରୁଡି ଏବଂ ଜଳ ସଙ୍କଟ ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ।

ପ୍ରତୀକାତ୍ମକ ଫଟୋ

ବଳରାମ ଦୀପ,ବରଗଡ଼: ପୁଣି ତାତିଲେ ଚାଷୀ। ହଜାର ହଜାର ଚାଷୀ ଏକତ୍ର ହୋଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ବିଭିନ୍ନ ସରକାରୀ ଅଫିସରେ ପକାଇଲେ ତାଲା। ମରୁଡି ଘୋଷଣା ଏବଂ ବୀମା ରାଶି ପ୍ରଦାନ ନିମନ୍ତେ ବାରମ୍ବାର ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଜଣାଇଲା ପରେ ଶେଷରେ ଜେଲ ଭରୋ ଆଇନ ଅମାନ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ଶହ ଶହ ଚାଷୀ। 

ପଦ୍ମପୁର ଅଞ୍ଚଳ ଏକ ଚିର ମରୁଡି ପ୍ରୀପିଡିତ ଅଞ୍ଚଳ ହୋଇଥିବା ବେଳେ ପ୍ରତିବର୍ଷ ଏହି ଅଞ୍ଚଳର ଚାଷୀଙ୍କୁ ମରୁଡି ଏବଂ ଜଳ ସଙ୍କଟ ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ହେଲେ ଏହା ସତ୍ତ୍ୱେ ମଧ୍ୟ ବହୁ ପରିଶ୍ରମରେ ଫସଲ ଚାଷ କରିବା ସହ ସରକାରଙ୍କ ନିୟମ ଅନୁଯାୟୀ ଫସଲ ବୀମା ଭରିଥିଲେ ଚାଷୀ। ହେଲେ ଗତ ୨୦୨୧ ଖରିଫ ଧାନର ଚାଷ ବୀମା ପ୍ରଦାନ ପାଇଁ ତଥା ଅଞ୍ଚଳରେ ଭୟାନକ ମରୁଡି ସତ୍ତ୍ୱେ ଏ ପର୍ଯ୍ୟନ୍ତ ମରୁଡି ଘୋଷଣା ନ ହୋଇଥିବା କାରଣରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। 

ଅନ୍ୟପଟେ ଇନ୍ସୁରାନ୍ସ କମ୍ପାନୀ ବିଭିନ୍ନ ଆଳ ଦେଖାଇବା ସହ ଚାଷୀଙ୍କୁ ବୀମାରାଶି ପ୍ରଦାନ କରିବା ପାଇଁ ଅହେତୁକ ବିଳମ୍ବ କରିବା ପ୍ରତିବାଦରେ ବାରମ୍ବାର ଚାଷୀ ଆନ୍ଦୋଳନ କରିବା ସହ ସରକାରୀ ଅଫିସରେ ତାଲା ମାରିଥିଲେ। ହେଲେ ମିଛ ପ୍ରତିଶୃତି ଦେଇ ଜିଲ୍ଲା ପ୍ରଶାସନ ମଧ୍ୟ ଠକି ଚାଲିଥିବା ଅଭିଯୋଗ କରିଛନ୍ତି ଚାଷୀ। ଶେଷରେ ହତାଶ ହୋଇ ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସ ସହ ତହସିଲ, ବ୍ଲକ ଆଦି ଅଫିସକୁ ତାଲା ଦେଇ ଜେଲ ଭରୋ ଆନ୍ଦୋଳନ ପନ୍ଥା ଗ୍ରହଣ କରିଛନ୍ତି ଚାଷୀ। ଯେଉଁ ପର୍ଯ୍ୟନ୍ତ ଚାଷୀଙ୍କୁ ବୀମା ପଇସା ମିଳିବ ନାହିଁ ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଆଗାମୀ ୨୫ ତାରିଖରେ ପଦ୍ମପୁର ଅଞ୍ଚଳର ସମସ୍ତ ସରକାରୀ ଅଫିସରେ ତାଲା ପକାଇବା ସହ ରାସ୍ତାଘାଟ ଜାମ୍ କରି ଆନ୍ଦୋଳନକୁ ଜୋରଦାର କରିବେ ବୋଲି କହିଛନ୍ତି ଚାଷୀ।