Top 10 News Today:ମହାକୁମ୍ଭ ଦଳାଚକଟାରେ ୩୦ ମୃତ, ମାଘରେ ହଜିଲା ଶୀତ ଓ ସକାଳର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2623179

Top 10 News Today:ମହାକୁମ୍ଭ ଦଳାଚକଟାରେ ୩୦ ମୃତ, ମାଘରେ ହଜିଲା ଶୀତ ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today:ମହାକୁମ୍ଭ ଦଳାଚକଟାରେ ୩୦ ମୃତ, ମାଘରେ ହଜିଲା ଶୀତ ଓ ସକାଳର ୧୦ ବଡ଼ ଖବର

ମହାକୁମ୍ଭ ଦଳାଚକଟାରେ ୩୦ ମୃତ
ଉତ୍ତରପ୍ର‌ଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଆଜି ଏକ ବଡ଼ ଅଘଟଣ ଘଟିଯାଇଛି। ମୌନୀ ଅମାବାସ୍ୟା ଅବସରରେ ବୁଧବାର ଭୋର୍‌ ସମୟରେ ସଙ୍ଗମରେ ବୁଡ଼ ପକାଇବାପାଇଁ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ଜମିଥିବା ବେଳେ ହଠାତ୍‌ ଦଳାଚକଟା ହୋଇଥିଲା। ଦଳାଚକଟାରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬୦ ଜଣ ଆହତ ହୋଇଛନ୍ତି ବୋଲି ମହାକୁମ୍ଭ ଡିଆଇଜି ବୈଭବ କ୍ରିଷ୍ଣା କହିଛନ୍ତି। ମୃତକଙ୍କ ମଧ୍ୟରୁ ୨୫ ଜଣଙ୍କୁ ଚିହ୍ନଟ କରାଯାଇଛି।

ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ
ବିଶ୍ୱର ସର୍ବବୃହତ ଧାର୍ମିକ ସମାବେଶ କୁମ୍ଭମେଳାରେ ଅତୀତରେ ଅନେକ ଥର ଦଳାଚକଟା ହୋଇଛି। ଯେପରିକି ୧୯୫୪, ୧୯୮୬, ୨୦୦୩ ଏବଂ ୨୦୧୩। ଏହି ଦଳାଚକଟାରେ ଏପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇସାରିଛି। ଯେତେବେଳେ ୬୦ ଜଣ ଆହତଙ୍କୁ ଡାକ୍ତରଖାନାକୁ ନିଆଯାଇଛି। ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଘୋଷଣା କରିଛନ୍ତି। 

ସରିଲା ଉତ୍କର୍ଷ ଓଡ଼ିଶା, ୧୨ ଲକ୍ଷ କୋଟି ନିବେଶ
ସରିଲା ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ ସମ୍ମିଳନୀ। ଦୁଇଦିନରେ ୧୨ ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପୁଞ୍ଜି ନିବେଶ ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଭୁବନେଶ୍ବରର ଜନତା ମଇଦାନରେ ଚାଲିଥିବା ଏହି ଦୁଇ ଦିନିଆ ଶିଳ୍ପ ସମ୍ମିଳନୀରେ ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ୍‌ଡ ଇନ୍ ଓଡ଼ିଶା ଓ ମହିଳା ଉଦ୍ୟମିତା ଉପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହା ବ୍ୟତୀତ ସିଇଓ ରାଉଣ୍ଡ୍‌ଟେବୁଲ୍‌, ମହିଳା ନେତୃତ୍ବ ରାଉଣ୍ଡ୍‌ଟେବୁଲ୍ ଓ ଏଡିଟର୍ସ ରାଉଣ୍ଡ୍‌ଟେବୁଲ୍ ଅନୁଷ୍ଠିତ ହୋଇଛି। କନ୍‌କ୍ଲେଭ୍‌ର ପ୍ରଥମ ଦିନରେ ୫ଟି ଓ ଦ୍ବିତୀୟ ଦିନରେ ୧୦ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ୧୪୫ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। 

ମାଘରେ ହଜିଲା ଶୀତ, ବଢିଲାଣି ଖରା
ମାଘ ମାସରେ ଶୀତ ଗାଏବ । ଜାନୁଆରୀ  ଚତୁର୍ଥ ସପ୍ତାହରୁ ବଢିଲାଣି ପାରଦ । କାଲିଠୁ ଗରମ ସହ ଖରାରୁ ତ୍ରାହି ନାହିଁ ବୋଲି  ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇଛି  ତାପମାତ୍ରା । ଆଗାମୀ ୪ ରୁ ୫ ଦିନ ଯାଏଁ ଦିନ ଏବଂ ରାତ୍ରି ତାପମାତ୍ରା ଅଧିକା ରହିବ । ଆଜି ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିଛି । କିଛି ସ୍ଥାନରେ ଗରମ ଅନୁଭୁବ ହୋଇଛି । ଆଗାମୀ ୫ ରୁ ୭ ଦିନ ଯାଏଁ ପାଗ ମୁଖ୍ୟତ ଶୁଖିଲା ରହିବ । ରାତି ତାପମାତ୍ରା କମିବ ନାହିଁ କି ଥଣ୍ଡା ଅନୁଭୂତ ହେବନାହିଁ । 

ସୁଭଦ୍ରା ଯୋଜନାର ଆସିବ ୩ଟି ନୂଆ ରୂପ
ମହିଳାଙ୍କ ପାଇଁ ତିନିଗୁଣା ଖୁସି । ସୁଭଦ୍ରା ଯୋଜନାର ଆସିବ ନୂଆ ତିନିଟି ରୂପ । କେବଳ ଆର୍ଥିକ ସହାୟତା ନୁହେଁ ଏଥର ମହିଳାଙ୍କୁ ଋଣଦେବ ସୁଭଦ୍ରା । ଏବେ କେବଳ ପାଞ୍ଚ ହଜାର ନୁହେଁ ଋଣ ନେଇ ବ୍ୟବସାୟ ଆରମ୍ଭ କରିପାରିବେ ମହିଳା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରାକୁ ନେଇ ଆଉ ତିନିଟି ପଦକ୍ଷେପ ନିଆଯାଇଥିବା ନେଇ ଘେଷଣା କରିଛନ୍ତି । ଉତ୍କର୍ଷ ଓଡିଶାର ସୁଭଦ୍ରାରୁ ମୁଦ୍ରା କାର୍ଯ୍ୟକ୍ରମରେ ଏହି ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ସୁଭଦ୍ରାକୁ ନେଇ ରାଜ୍ୟ ସରକାରଙ୍କ ୩ଟି ପଦକ୍ଷେପ ହେଉଛି ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ । ଏହି ୩ଟି ମାଧ୍ୟମ ମହିଳାମାନଙ୍କ ପାଇଁ ବେଶ୍ ସହାୟକ ହୋଇପାରିବ ।

ନିର୍ଦ୍ଦେଶକ ବୃନ୍ଦାବନ ଜେନାଙ୍କ ପରଲୋକ
ଆରପାରିଲେ ବିଶିଷ୍ଟ ଗୀତିକାର ତଥା ନିର୍ଦ୍ଦେଶକ ବୃନ୍ଦାବନ ଜେନା। କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ସେ ଏକାଧାରାରେ ଥିଲେ ଜଣେ ଗୀତିକାର, ସିନେମା ନିର୍ଦ୍ଦେଶକ ଓ ସଂଳାପକାର। ତାଙ୍କ ବିୟୋଗରେ ଓଡ଼ିଶା ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି। ସ୍ୱର୍ଗତ ବୃନ୍ଦାବନ ଜେନା ୩୦ଟି ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଛନ୍ତି। ୮ଟି ଫିଲ୍ମ ପାଇଁ ଡାଇଲଗ୍‌ ଲେଖିଛନ୍ତି। ସେ ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ‘ଶାସ୍ତି’ ଓ ‘ବାଟଅବାଟ’ର ନିର୍ଦ୍ଦେଶନା ଦେଇଛନ୍ତି। 

ଆରମ୍ଭ ହୋଇଛି ରଥଯାତ୍ରା ପ୍ରସ୍ତୁତି
୨୦୨୫ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।  ଆଗାମୀ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ। ନୟାଗଡ ବନଖଣ୍ଡରୁ ତିନୋଟି ଟ୍ରକ ଯୋଗେ ୧୦୧ଖଣ୍ଡ ଧଉରା ଓ ଅସନ କାଠ ରଥଖଳାରେ ପହଞ୍ଚିଛି। ଏଥିରେ ୧୨ଫୁଟିଆ ଅସନ ୩୦ଖଣ୍ଡ ଓ ୧୨ଫୁଟିଆ ଧଉରା କାଠ ୩୫ଖଣ୍ଡ ରହିଥିବା ବେଳେ ୨୦ଫୁଟିଆ ଅସନ ଓ ଧଉରା ୧୮ ଖଣ୍ଡ ଲେଖାଏଁ ରହିଛି। ମୋଟାମୋଟି ଭାବେ ଅସନ ୪୮ଖଣ୍ଡ ଓ ଧଉରା ୫୩ଖଣ୍ଡ ମୋଟ ୧୦୧ ଖଣ୍ଡ ରଥକାଠ ରଥଖଳାରେ ପହଞ୍ଚିଛି। 

ବଢିଲା ଗୁଡ ଲିଟର ପିଛା ଦର
ଚିନି ବାହାର କରାଯିବା ପରେ ଯେଉଁ ଗୁଡ଼ ରହିଲା ତାହାକୁ ସରକାର ଲିଟର ପିଛା  ୫୭ ଟଙ୍କା ୯୭ ପଇସା ଦରରେ କିଣିବେ। ପୂର୍ବରୁ ଏହି ଦର ୫୬ଟଙ୍କା ୫୮ ପଇସା ଥିଲା।  ପେଟ୍ରୋଲ୍‍ ନିର୍ଭରଶୀଳତାକୁ କମ୍‍ କରିବା ଲାଗି ଆପଣାଯାଇଥିବା ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ ୨୦ ପ୍ରତିଶତକୁ ବୃଦ୍ଧି ପରିବା ଲାଗି କେନ୍ଦ୍ର ସରକାର ଚାଷୀଙ୍କୁ ଅଧିକ ସହାୟତା ପ୍ରଦାନ ଲାଗି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସିରିଆର ଅନ୍ତରୀଣ ରାଷ୍ଟ୍ରପତି ହେଲେ ଅହମ୍ମଦ ଅଲ-ଶାରା
ସିରିଆରେ ଗତ ୫୦ ବର୍ଷ ଧରି ଚାଲିଥିବା ଅସଦ ଶାସନର ଅନ୍ତ ହୋଇଛି । ଗତକାଲି ଅହମ୍ମଦ ଅଲ-ଶାରାଙ୍କୁ ଦେଶର ଅନ୍ତରୀଣ ରାଷ୍ଟ୍ରପତି ଭାବେ ନିଯୁକ୍ତି କରାଯାଇଛି ଏବଂ ତାଙ୍କୁ ସରକାର ଗଠନ କରିବାର ଦାୟିତ୍ୱ ଦିଆଯାଇଛି । ଏଥସହ ୨୦୧୨ ସମ୍ବିଧାନକୁ ସ୍ଥଗିତ ରଖାଯିବା ସହ ଭାଙ୍ଗିଛି ଅସଦ ସରକାରଙ୍କ ସଂସଦ । ଏନେଇ ସୂଚନା ଦେଇଛନ୍ତି ସିରିଆର ସାମରିକ ଅଧିକାରୀ ହାସନ ଅବ୍ଦେଲ ।

ଶ୍ରୀଜଗନ୍ନାଥଙ୍କ ଜମି ଉପରେ ମାଫିଆଙ୍କ ଆଖି
ପୂର୍ବରୁ ମାଟିତୋଟାରେ ଜମି ମାଫିଆ ଚଞ୍ଚକତା ଦେଖିବାକୁ ମିଳିଥିଲା। ଆଉ ଏବେ ତାଳବଣିଆରେ ଜମି କେଳେଙ୍କାରୀ ତାଜା କାହାଣୀ। ଆଇନ୍‌ ଆଖିରେ ସିଧା ଅଙ୍ଗୁଳି ଗେଞ୍ଜି ମହାପ୍ରଭୁଙ୍କ ଜମିକୁ ମାଡ଼ି ବସିଛନ୍ତି ଜମି ମାଫିଆ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଜବରଦଖଲ ସହ ପ୍ଲଟିଂ କରି ଚଳାଇଛନ୍ତି ବିକ୍ରିବଟା। ଘଟଣା ନଜରକୁ ଆସିବା ପରେ ଆକ୍ସନ ମୁଡରେ ଶ୍ରୀମନ୍ଦିର ପ୍ରଶାସନ। ଏ ନେଇ କୁମ୍ଭାରପଡ଼ା ଥାନାରେ ଏତଲା ଦେବା ସହ ଏଭଳି ଖଳ ପ୍ରକୃତିର ଲୋକଙ୍କୁ ଛଡାଯିବ ନାହିଁ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।