Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ଆରପାରିରେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି
ଓଡ଼ିଆ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ହୋଇଛି । ଦିଲ୍ଲୀ ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି କିମ୍ବଦନ୍ତୀ ଓଡ଼ିଆ ଅଭିନେତା ଉତ୍ତମ ମହାନ୍ତି। ପୂର୍ବରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା ଚାଲିଥିବା ସତ୍ୱେ ତାଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇପାରି ନାହିଁ । କିଛିଦିନ ତଳେ ଅବସ୍ଥା ଗୁରୁତର ହେବାରୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀକୁ ସ୍ଥାନାନ୍ତର ହୋଇଥିଲେ ଉତ୍ତମ । ଲିଭର ଜନିତ ସମସ୍ୟା କାରଣରୁ ସେ ଚିକିତ୍ସାଧୀନ ଥିଲେ । ଉତ୍ତମଙ୍କ ମୃତ୍ୟୁ ଖବର ପାଇବା ପରେ ସମଗ୍ର ଓଲିଉଡ ଜଗତରେ ଶୋକର କଳାବାଦଲ ଖେଳିଯାଇଛି ।
ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭେଟେରାନ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଜ ଅଫିସିଆଲ ସୋସିଆଲ ମିଡିଆ ପ୍ଲାଟଫର୍ମ (X) ମାଧ୍ୟମରେ ସେ ଲେଖିଛନ୍ତି ଯେ, ଓଡ଼ିଶାର ପ୍ରସିଦ୍ଧ ତଥା ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର ବିୟୋଗ ଓଡ଼ିଆ କଳା ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ସର୍ବଦା ଦର୍ଶକଙ୍କ ହୃଦୟରେ ଅମର କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।
ମୋ ପରିବାରର ଲୋକ ଥିଲେ: ଧର୍ମେନ୍ଦ୍ର ପ୍ରଧାନ
ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ପ୍ଲାଟଫର୍ମ (X) ମାଧ୍ୟମରେ ଧର୍ମେନ୍ଦ୍ର ଲେଖିଛନ୍ତି ଯେ, ଓଡ଼ିଶାର ବିଶିଷ୍ଟ ଅଭିନେତା ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ଚିର ସବୁଜ ନାୟକ ଉତ୍ତମ ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ କେବଳ କଳାକାର ନୁହେଁ ବରଂ ମୋର ପରିବାରର ଜଣେ ସଦସ୍ୟ ପରି ଥିଲେ । ଲମ୍ବା ସମୟ ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ପରିପୁଷ୍ଟ କରିବାରେ ତାଙ୍କର ଯୋଗଦାନ ଥିଲା ଅତୁଳନୀୟ ।
ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ
ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ସମୟରେ ଭୁବନେଶ୍ବରରେ ଉତ୍ତମ ମହାନ୍ତିଙ୍କ ମରଶରୀର ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ଅଭିନେତା ଶ୍ରୀତମ ଦାସ। ମେଦାନ୍ତ ହସ୍ପିଟାଲରୁ ବିମାନ ଯୋଗେ ମରଶରୀର ଅଣାଯିବ । ଏହାପରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରିବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ନେପାଳରେ ଭୂମିକମ୍ପ
ମଧ୍ୟରାତ୍ରୀରେ ଥରିଲା ଧରିତ୍ରୀ। ନେପାଳରେ ଅନୁଭୂତ ହୋଇଛି ଭୂକମ୍ପ। ରିକ୍ଟର ସ୍କେଲରେ ଏହା ୫.୫ ତୀବ୍ରତାର ରହିଥିଲା ବୋଲି କୁହାଯାଉଛି। ସେପଟେ ପଡ଼ୋଶୀ ଦେଶରେ ଭୂମିକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ରହିଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୨ଟା ୩୬ମିନିଟ ସମୟରେ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ମାପ କରାଯାଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା। ନେପାଳ ସୀମାବର୍ତ୍ତୀ ବିହାରର ଅନେକ ଜିଲ୍ଲାରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂମିକମ୍ପର ଝଟକାରେ ଲୋକମାନେ ଭୟଭୀତ ହୋଇଯାଇଥିଲେ। ଆତଙ୍କିତ ହେବା ଯୋଗୁଁ ଲୋକମାନେ ଘରୁ ବାହାରକୁ ବାହାରି ଆସିଲେ।
ଦୁଇ ଦିନ ପରେ ୩ ଡିଗ୍ରୀ ବଢିବ ତାପମାତ୍ରା
ରାଜ୍ୟରେ ପାଗ ଏବେ ଶୁଖିଲା ରହିବ। ୨ ଦିନ ପରେ ରାତି ତାପମାତ୍ରା ଧିରେ ଧିରେ ବଢିବାରେ ସମ୍ଭାବନା ରହିଛି। ପ୍ରାୟ ୨ ରୁ ୪ ଡିଗ୍ରୀ ବଢିପାରେ ଦିନ ଓ ରାତି ତାପମାତ୍ରା। ଏଭଳି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ। ରାଜ୍ୟରେ ଖରା ବଢିବା ଆରମ୍ଭ ହୋଇଛି। ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୩୪ ଡିଗ୍ରୀ ଉପରେ ରହୁଛି। ୬ସ୍ଥାନରେ ପାରଦ ୩୪ ଡିଗ୍ରୀ ସେଲସିୟସ୍ ଉପରେ ରହୁଛି। ବଲାଙ୍ଗୀର ଓ ବୌଦ୍ଧରେ ପାରଦ ୩୬ ଡିଗ୍ରୀ ଥିବା ବେଳେ ଝାରସୁଗୁଡାରେ ୩୫.୬, ସମ୍ବଲପୁରରେ ୩୫.୩, ଟିଟିଲାଗଡରେ ୩୫.୫, ନବରଙ୍ଗପୁରରେ ୩୫ ଡିଗ୍ରୀ ଛୁଇଁଥିଲା।
ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ତଥା ମାର୍ଚ୍ଚ ୩ ତାରିଖରେ ଭୁବନେଶ୍ୱରର ୟୁନିଟ୍-5 ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସାଧାରଣ ଅଭିଯୋଗ ଶୁଣାଣି ପୁନର୍ବାର ଆରମ୍ଭ କରିବେ। ଶୁଣାଣି ପାଇଁ ଅନଲାଇନ୍ ପଞ୍ଜୀକରଣ ଫେବୃଆରୀ ୨୮ ତାରିଖ ସକାଳ ୧୧ ଟାରୁ ଆରମ୍ଭ ହେବ।
ସେବି ମୁଖ୍ୟ ହେଲେ ତୁହିନକାନ୍ତ ପାଣ୍ଡେ
କେନ୍ଦ୍ର ସରକାର ଅର୍ଥ ସଚିବ ତୁହିନ କାନ୍ତ ପାଣ୍ଡେଙ୍କୁ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (SEBI)ର ପରବର୍ତ୍ତୀ ମୁଖ୍ୟ ଭାବରେ ନିଯୁକ୍ତି ଘୋଷଣା କରିଛନ୍ତି। ତୁହିନ୍ ଆଗାମୀ 3 ବର୍ଷ ପାଇଁ ଏହି ପଦବୀରେ ରହିବେ। ତୁହିନ କାନ୍ତ ପାଣ୍ଡେ ବର୍ତ୍ତମାନର ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ଙ୍କ ସ୍ଥାନ ନେବେ। ଯିଏ ୨୮ ଫେବୃଆରୀରେ ଅବସର ନେଉଛନ୍ତି। ତୁହିନ କାନ୍ତ ପାଣ୍ଡେ ହେଉଛନ୍ତି ଓଡ଼ିଶା କ୍ୟାଡରର ୧୯୮୭ ବ୍ୟାଚର ଆଇଏଏସ୍ ଅଧିକାରୀ। ସେ ମୋଦି 3.0 ସରକାରଙ୍କର ଭାରତର ସବୁଠାରୁ ବ୍ୟସ୍ତ ସଚିବମାନଙ୍କ ମଧ୍ୟରୁ ଜଣେ। ସେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ପରିଚାଳନା କରୁଛନ୍ତି। ତାଙ୍କୁ ୭ ସେପ୍ଟେମ୍ବର ୨୦୨୪ରେ ଅର୍ଥ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା।
ଋଷିକୁଲ୍ୟା ମୁହାଣରେ ସାଢେ ୬ ଲକ୍ଷରୁ ଉର୍ଦ୍ଧ୍ବ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ
ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣରେ ବିରଳ ପ୍ରଜାତି ଅଲିଭ ରିଡଲେ କଇଁଛଙ୍କ ସରିଛି ଗଣ ଅଣ୍ଡାଦାନ । ଏହି ସମୟ ମଧ୍ୟରେ ୬ ଲକ୍ଷ ୯୮ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନରେ ସାମିଲ ହୋଇଥିଲେ । ଫେବୃଆରୀ ୧୬ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ୮ ଦିନ ଧରି କଇଁଛଙ୍କ ଗଣ ଅଣ୍ଡାଦାନ ହୋଇଥିଲା । ତେବେ ଏହି ସମୟ ସୀମା ମଧ୍ୟରେ ପ୍ରାୟ ୬ ଲକ୍ଷ ୯୮ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନରେ ସାମିଲ ହୋଇ ସର୍ବକାଳୀନ ରେକର୍ଡ କରିଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକି ରାଜ୍ୟରେ ଚଳିତବର୍ଷର ଏହି ଗଣ ଅଣ୍ଡାଦାନ ପ୍ରାୟ ୨୩ ବର୍ଷର ସମସ୍ତ ରେକର୍ଡ ଭାଙ୍ଗିଛି ।
ବାତିଲ ହେଲା ପାକିସ୍ତାନ-ବାଂଲାଦେଶ ମ୍ୟାଚ
ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ନବମ ମ୍ୟାଚ୍ ୨୭ ଫେବୃଆରୀରେ ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବାର ଥିଲା। କିନ୍ତୁ ବର୍ଷା ଯୋଗୁଁ ଏହି ମ୍ୟାଚ୍ରେ ଟସ୍ ମଧ୍ୟ ହୋଇ ପାରି ନଥିଲା। ଶେଷରେ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ସେୟାର କରିବାକୁ ପଡିଲା। ଏହି ମ୍ୟାଚ୍ ବାତିଲ ହେବା ସହିତ ପାକିସ୍ତାନ ଦଳର ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି ହୋଇଛି। ଚାମ୍ପିଅନ୍ସ ଟ୍ରଫି ଇତିହାସରେ କୌଣସି ପୂର୍ଣ୍ଣ ସଦସ୍ୟ ଦଳ ସହିତ ଏହା ପୂର୍ବରୁ କେବେ ଘଟି ନଥିଲା।