Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ଲଘୁଚାପ ପ୍ରଭାବ; ଆଜି ଏହି ସବୁ ଜିଲ୍ଲାରେ ଛେଚିବ
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ଆଜିଠୁ ଦୁଇ ଦିନ ଧରି ରାଜ୍ୟରେ ବର୍ଷା ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ର ଅନୁସାରେ, ଲଘୁଚାପ ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ କିଛି କିଛି ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
୨୦୨୪ ନିର୍ବାଚନରେ ଅନିୟମିତତା ଅଭିଯୋଗ; ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେଡି
୨୦୨୪ ସାଧାରଣ ନିର୍ବାଚନରେ ବଡ଼ ଅନିୟମିତତା ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ଭୋଟ ଦାନ ସଂଖ୍ୟା ନେଇ ଦୁଇ ପ୍ରକାରର ତଥ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ସୋମବାର ବିଜେଡି ସଂସଦୀୟ ଟିମ୍ ନିର୍ବାଚନ କମିଶନରଙ୍କୁ ଭେଟି ଅଭିଯୋଗ କରିଛନ୍ତି । ବିଜେଡି ଅଭିଯୋଗ ଆଣିଛି ଯେ, ପାଖାପାଖି ୫୦ ନିର୍ବାଚନମଣ୍ଡଳିରେ ଭୋଟ ଦାନ ସଂଖ୍ୟାରେ ବିଶାଳ ତାରତମ୍ୟ ଦେଖିବାକୁ ମିଳିଛି । ଦଳ ଅଭିଯୋଗ କରିଛି ଯେ, ଇତିହାସରେ ପ୍ରଥମ ଥର ପାଇଁ ୫୦ଟି ବିଧାନସଭା ନିର୍ବାଚନମଣ୍ଡଳିରେ ଭୋଟ୍ ଗ୍ରହଣ ଦିନର ମତଦାନ ହାର ଓ ଦୁଇ ଦିନ ପରେ ଦିଆଯାଇଥିବା ମତଦାନ ହାର ମଧ୍ୟରେ ତାରତମ୍ୟ ୧୫ରୁ ୩୦ ପ୍ରତିଶତ ରହିଛି, ଯାହାକି ନିର୍ବାଚନରେ ଏକ ବଡ ଧରଣର ଜାଲିଆତି ବୋଲି କୁହାଯାଇଛି।
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫଶିଲେ ଏମଆଇ
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା (ଏମଆଇ)। କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକରେ କାର୍ଯ୍ୟ କରୁଥିବା ଜଣେ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ଦରମା କରିବା ପାଇଁ ଲାଞ୍ଚ ନେଉଥିଲେ ଏମଆଇମମତା ବେହେରା। ଖବର ମୁତାବକ, ଦଶମନ୍ତପୁର ବ୍ଲକରେ କାର୍ଯ୍ୟ କରୁଥିବା ଜଣେ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ମାସିକ ପାରିଶ୍ରମିକ ଓ ୟୁସି ପ୍ରମାଣ ପତ୍ର କରିବା ପାଇଁ ବ୍ଲକର ଯୋଗାଣ ସାହାୟିକା ମମତା ବେହେରା ତାଙ୍କୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଉକ୍ତ କର୍ମଚାରୀ ଜଣକ ଭିଜିଲାନ୍ସ ବିଭାଗଗରେ ଜଣାଇଥିଲେ।
ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟରେ ଗଡ଼ିବ ଗ୍ରୀନ୍ ହାଇଡ୍ରୋଜେନ୍ ବସ୍
ନର୍ଦ୍ଦମା ପାଣିରୁ ଗଡିବ ବସ୍। ଖୁବ୍ ଶୀଘ୍ର ଗ୍ରୀନ ହାଇଡ୍ରୋଜେନ୍ ବସ୍ ରାଜ୍ୟରେ ଗଡିବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ଗ୍ରୀନ ହାଇଡ୍ରୋଜେନ ବସ୍ ଗଡ଼ିବା ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ। ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ପୁରୀ ମଧ୍ୟରେ ଗଡିବ ଏହି ବସ୍। ଏନେଇ ଲୋକସେବା ଭବନରେ ଏକ MoU ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ୍ ସହ NTPC Ltd. , GRIDCO Ltd. ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।
ବିଚାରପତି ରାମା ସୁବ୍ରମଣ୍ୟନ ଏନଏଚଆରସିର ଚେୟାରମ୍ୟାନ ଭାବେ ନିଯୁକ୍ତ
ଜାତୀୟ ମାନବ ଅଧିକାର ଆୟୋଗ (NHRC)ର ଅଧ୍ୟକ୍ଷ ଭାବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଭି ରାମାସୁବ୍ରମଣ୍ୟନଙ୍କୁ ନିଯୁକ୍ତି ଦିଆଯାଇଛି। ମାନବ ଅଧିକାର ଅଧିକାର ଅଧିନିୟମ, ୧୯୯୩ର ଧାରା ୪ର ଉପ-ଧାରା (1) ବଳରେ ରାମାସୁବ୍ରମଣ୍ୟମଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପଦରେ ନିଯୁକ୍ତ କରିଛନ୍ତି। ଏଠାରେ କହି ରଖୁକି ଜଷ୍ଟିସ ସୁବ୍ରମଣ୍ୟନ ୧୯୫୮ ମସିହା ଜୁନ ୩୦ ତାରିଖରେ ବିବେକାନନ୍ଦ କଲେଜରୁ ନିଜର ସ୍ନାତକ ହାସଲ କରିଥିଲେ। ଏହା ପରେ ସେ ମାଡ୍ରାସ ଲ କଲେଜରେ ନିଜର ଆଇନ ଶିକ୍ଷା ହାସଲ କରିଥିଲେ। ୧୯୮୩ ଫେବୃଆରୀ ୧୬ରେ, ସେ ବାର ଆସୋସିଏସନ ସହିତ ନିଜକୁ ଜଡ଼ିତ କରିବା ସହିତ ୨୦୦୬ ମସିହା ଜୁଲାଇ ୩୧ରେ କୋର୍ଟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ପରେ ତାଙ୍କୁ ୨୦୦୯ ନଭେମ୍ବର ୯ ରେ ସ୍ଥାୟୀ ବିଚାରପତି କରାଯାଇଥିଲା। ଜଷ୍ଟିସ୍ ରାମାସୁବ୍ରମଣ୍ୟନ୍ ୨୭ ଏପ୍ରିଲ, ୨୦୧୬ରେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟର ହାଇଦ୍ରାବାଦ ହାଇକୋର୍ଟର ବିଚାର ବିଭାଗକୁ ସ୍ଥାନାନ୍ତରିତ ହୋଇଥିଲେ।
ଉଠିଲା ସମସ୍ତଙ୍କୁ ପାସ୍ କରିବା ବ୍ୟବସ୍ଥା, ଏଣିକି ସ୍କୁଲରେ ଫେଲ୍ ହେବେ ପିଲା
ସ୍କୁଲରେ ପଢ଼ୁଥିବା ପିଲାଙ୍କ ଲାଗି ଏଣିକି ଲାଗୁ ହେବ ପାସ୍ ଫେଲ ବ୍ୟବସ୍ଥା। ଅର୍ଥାତ୍ ଯେଉଁ ଛାତ୍ରଛାତ୍ରୀମାନେ ଖରାପ ପ୍ରଦର୍ଶନ କରିବେ ସେମାନଙ୍କୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ ନାହିଁ। ବରଂ ତାଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଧିକ ଧ୍ୟାନ ଦେଇ ପୁଣିଥରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଲାଗି ପ୍ରୋତ୍ସାହିତ କରିବେ। କେନ୍ଦ୍ର ସରକାର ପୂର୍ବରୁ ଲାଗୁ ହେଉଥିବା ‘ନୋ ଡିଟେନ୍ସନ୍’ ବା ଫେଲ୍ ନୀତି କୁ ପ୍ରତ୍ୟାହାର କରି ନେଇଛନ୍ତି। ଗତ ସପ୍ତାହରେ ଭାରତର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ନୀତି ୨୦୧୦ରେ ଏକ ଖଣ୍ଡକୁ ଯୋଗ କରି ଏହି ସଂଶୋଧନ କରିଛନ୍ତି।
ସତ୍ୟନଗରରେ ଭୟାବହ ଅଗ୍ନିକାଣ୍ଡ
ଭୁବେନେଶ୍ବର ସତ୍ଯନଗର ୱେରହାଉସରେ ବଡ ଧରଣର ଅଗ୍ନିକାଣ୍ଡ। ଭୟାବହ ଅଗ୍ନିକାଣ୍ଡରେ ବିପୁଳ ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ସୂଚନା। ପ୍ରଥମ ଥର ପାଇଁ ନିଆକୁ ଆୟତ୍ତ କରିବା ପାଇଁ ବ୍ୟବହାର ହୋଇଛି ରୋବୋଟିକ ମେସିନ। ରୋବୋଟିକ ମେସିନ ସହାୟତାରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ। ପିଏସପି ଡିଷ୍ଟ୍ରିବ୍ଯୁଟର ନାମକ ସଂସ୍ଥାର ଗୋଦାମରେ ହଠାତ ଲାଗିଥିଲା ନିଆଁ। ସନ୍ଧ୍ୟା ୭ଟା ବେଳେ ମାଲିକ ବନ୍ଦ କରି ଘରକୁ ଯିବା ପରେ ସେଠାରେ ନିଆଁ ଲାଗିଥିଲା। କେଉଁ କାରଣରୁ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁ କୁ ଆୟତ୍ତ କରିବା ପାଇଁ ନକେଦମ ହେବାକୁ ପଡ଼ିଥିଲା ଅଗ୍ନିଶମ ବାହିନୀକୁ। ନିଆଁଲିଭା କାର୍ଯ୍ୟରେ ୧୦ଟି ଟିମର ୧୦୦ରୁ ଅଧିକ କର୍ମଚାରୀ ନିୟୋଜିତ ଥିଲେ। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଆୟତ୍ତ କରିବା ପାଇଁ ସ୍ବତନ୍ତ୍ର କେମିକାଲ ଯୁକ୍ତ ଫୋମ ବ୍ୟବହାର କରିଥିଲା ଅଗ୍ନିଶମ ବାହିନୀ। ଗୋଦାମ ଗୃହରେ ବିଭିନ୍ନ କମ୍ପାନୀର ଗ୍ରାଇଣ୍ଡର, ପ୍ରେସର କୁକର,ଫ୍ୟାନ ଆଦି ଇଲୋକ୍ଟ୍ରୋନିକ ସାମଗ୍ରୀ ବହୁ ପରିମାଣରେ ଥିଲା।
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୋମବାର ନୂଆଦିଲ୍ଲୀଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଆଗାମୀ 'ପ୍ରବାସୀ ଭାରତୀୟ ଦିବସ' ଏବଂ 'ଉତ୍କର୍ଷ ଓଡ଼ିଶା' କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଜଣାଇଛନ୍ତି। ପ୍ରବାସୀ ଭାରତୀୟଙ୍କ ସହ ସାଧାରଣ ଜନତା ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଆୟୋଜନ ଆହୁରି ଭବ୍ୟ ହେବ।
ପ୍ରଖ୍ୟାତ ଫିଲ୍ମ ମେକର ଶ୍ୟାମ ବେନେଗଲଙ୍କ ଦେହାନ୍ତ
ଆଉ ନାହାନ୍ତି ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ, ଚିତ୍ରନାଟ୍ୟ ଲେଖକ ଓ ବୃତ୍ତଚିତ୍ର ନିର୍ମାତା ଶ୍ୟାମ ବେନେଗଲ। ଆଜି ସନ୍ଧ୍ୟା ୬.୩୦ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ବେନେଗଲ ଦୀର୍ଘଦିନ ହେଲା କିଡ୍ନୀ ଜନିତ ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ଆଜି ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ପରପାରିକୁ ଚାଲି ଯାଇଥିବା ତାଙ୍କ ଝିଅ ପିଆ ବେନେଗଲ ସୂଚନା ଦେଇଛନ୍ତି।
୬ ଦିନିଆ ଆମେରିକା ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର
ଆମେରିକା ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଡିସେମ୍ବର ୨୪ରୁ ୨୯ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ ବିଦେଶ ମନ୍ତ୍ରୀ। ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଶାସନକୁ ଫେରିବା ପରେ ଏହା କୌଣସି ଭାରତୀୟ ମନ୍ତ୍ରୀଙ୍କ ପ୍ରଥମ ଆମେରିକା ଗସ୍ତ। ଜୟଶଙ୍କରଙ୍କ ଏହି ଗସ୍ତରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ପରେ ଏହି ଆଲୋଚନାରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଧ୍ୟାନ ଦିଆଯିବ ବୋଲି ଆଶା କରାଯାଉଛି।